STORYMIRROR

Kabiratna Nutan Kumar Behera

Drama Action Inspirational

3  

Kabiratna Nutan Kumar Behera

Drama Action Inspirational

ସ୍ଵୟଂ ସେବକ

ସ୍ଵୟଂ ସେବକ

1 min
140

        

ସଂସାର ମଧ୍ୟରେ ଯେତେ କର୍ମ ଅଛି

ତା' ଭିତରେ ସେବା ଯତ୍ନ ଯେ ଶ୍ରେଷ୍ଠ କର୍ମ,

ହୃଦୟରେ ନରଖି ତିଳେ ବି ଦ୍ଵିଧା

ମାନବ ପାଳି ବଜାଇ ରଖେ ତାର ଧର୍ମ।

ମାନବ ସେବା ହିଁ ମାଧବ ସେବା

ପବିତ୍ର ମନେ ଅନୁଭବି ହୁଏ ଯିଏ ସହାୟକ,

ବିନା ସ୍ବାର୍ଥରେ କରିଥାଏ ସେବା ତ୍ୟାଗ

ଦେବ ଅଂଶୀ ସିଏ ସ୍ଵୟଂ ସେବକ।

ଅସହାୟ ଦୀନଦୁଃଖୀ ରୋଗୀ ଶିଶୁ

ଅବା ବିପନ୍ନଙ୍କର କରି ଚାଲିଥାଏ ସେବା, 

ସେ ରଖି ନଥାଏ ତା ଦାନର ପ୍ରତିଦାନ

ଦେଇ ଚାଲିଥାଏ ଜାଣେ ନାହିଁ ନେବା।

ବିବେଚନାରେ ବଞ୍ଚାଇ ଥାଏ ଜୀବନ

ସେବା ଏକ ସ୍ଵେଚ୍ଛାକୃତ ମହନୀୟ ଗୁଣ,

ବାଧ୍ୟ ବାଧ୍ୟକତାରେ କରି ହୁଏନା କାହାକୁ

ମନ ହୃଦୟରୁ ହୁଏ ଜଣେ ଦୟା ପରାୟଣ।

ସେବା ଶୁଶ୍ରୁଷା ମନୋଭାବ ସ୍ଵତଃ ଆସେ

ନିର୍ବିକାରରେ ଅନାବିଳ ଭାବେ କରେ ଜାଣି,

ଅନ୍ୟର ମଙ୍ଗଳେ ଉପକାର କରିଥାଏ ଯିଏ

ମାନବୀୟ ମହତ ଗୁଣରେ ହୋଇ ଗୁଣୀ।

ଲଭିଥାଏ ସେ ପରମଙ୍କ ଅପାର କରୁଣା

ନୀସ୍ତବ୍ଧରେ ଶୁଣି ପାରେ ହୃଦେ ଦିବ୍ୟବାଣୀ,

ସୃଷ୍ଟିର ତତ୍ତ୍ଵ ମହତ୍ୱ ବୁଝି କରେ ନିଷ୍କାମ କର୍ମ

ସେ ସାଧୁ ସନ୍ଥ ଦିବ୍ୟରୂପୀ ଆତ୍ମଜ୍ଞାନୀ।

ସେ ସ୍ଵୟଂ ସେବକ ଈଶ୍ଵରଙ୍କ ପ୍ରତିନିଧି

ଦେବଦୂତ ହୋଇ ଆସିଥାନ୍ତି ଧରାଧାମେ,

ଜନ କଲ୍ୟାଣର ମହାମନ୍ତ୍ର ଉଚ୍ଚାରଣ କରି

ପ୍ରତିପାଦନ କରିଥାନ୍ତି ସବୁ ନିଜର ଶ୍ରମେ।

ଉତ୍କଳମଣି ଗୋପବନ୍ଧୁଙ୍କ ପରି ମହାପୁରୁଷ

ମାଦାର୍ ତେରେସାଙ୍କ ଭଳି ମହୀୟସୀ,

ମୁକ୍ତ ପବିତ୍ର ଆତ୍ମାର ଶରୀର ଧରି

ସେବାରେ ଥାଆନ୍ତି ବ୍ରତୀ ଜଗତକୁ ଆସି।

ନଥାଇ ଏ ଗୁଣ କେହି ହୁଏନା ସ୍ଵୟଂ ସେବକ

ପୁଣ୍ୟ ପବିତ୍ର କର୍ମେ ସେ ହୁଏ ପରିଚିତ,

ତାଙ୍କଠାରୁ ପାଏ ଯିଏ ସେବା ଯତ୍ନ ଆଦର

ସେ ହୋଇଥାଏ କୃତଜ୍ଞ ବଶମ୍ଵଦ ଅନୁଗତ।

ପାରିବାରିକ ସମ୍ପର୍କରେ ମାତା ପିତାଠାରୁ

ଯେତେ ଆତ୍ମୀୟସ୍ଵଜନ ବନ୍ଧୁବାନ୍ଧବ,

ଭାବର ବନ୍ଧନେ ହୋଇଥାନ୍ତି ସ୍ଵୟଂ ସେବକ

ସେମାନେ ହିତୈଶୀ ଶୁଭାକାଂକ୍ଷୀ ମାନବ।

ସ୍ନେହ ଶ୍ରଦ୍ଧା ପ୍ରେମ ଭଲ ପାଇବାର

ବିନିମୟରେ ଅନୁଭବ କରିହୁଏ ତା ହୃଦେ,

ଏ ବଦାନ୍ୟତା ମାନବର ମହନୀୟ ଗୁଣ

ସଂସାରକୁ ମଧୁମୟ କରି ରଖିଥାଏ ଆନନ୍ଦେ।

         


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama