STORYMIRROR

Kabiratna Nutan Kumar Behera

Abstract Drama Inspirational

4  

Kabiratna Nutan Kumar Behera

Abstract Drama Inspirational

ଭକ୍ତ ହନୁମାନ

ଭକ୍ତ ହନୁମାନ

1 min
241

  


ତ୍ରେତୟା ଯୁଗରେ ରାମ ଅବତାରେ

ହନୁମାନ ଥିଲେ ଭକତ ଭାବରେ,

ଭକ୍ତି ଶକ୍ତି ବଳେ ଅସମ୍ଭବ କାର୍ଯ୍ୟ

ହେଉଥିଲା ତାଙ୍କୁ ତ ଅତି ସହଜ ଯେ।


ମାତା ତାଙ୍କର ଧର୍ମପ୍ରାଣା ଅଞ୍ଜନା 

ପିତା କେଶରୀ ଥିଲେ ସୁଦକ୍ଷ ସେନା,

ବାଳୀ ସୁଗ୍ରୀବଙ୍କ ଶ୍ରଦ୍ଧେୟ ଭାଗ୍ନେୟ

କିସ୍କିନ୍ଧା ସେନାପତି ଭାବେ ଅଜୟ ଯେ।


ବାଳି ସୁଗ୍ରୀବଙ୍କ ଭାତୃତ୍ବ ବିବାଦେ

ବିତାଡିତ ହେଲେ ପଦରୁ ବିଷାଦେ,

ହୋଇ ସେ ସାନ ମାମୁଁର ପାରିଷଦ

ରକ୍ଷା କରୁଥିଲେ ଆସିଲେ ବିପଦ ଯେ।


ସୀତାଙ୍କୁ ହରଣ କରି ସେ ରାବଣ

ନେବାରୁ ଶ୍ରୀରାମ ହେଲେ ମ୍ରିୟମାଣ,

ସୁଗ୍ରୀବ ସହିତେ କରାଇ ମିତ୍ରତା

ହନୁମାନ ହେଲେ ପରାମର୍ଶ ଦାତା ଯେ।


କିସ୍କିନ୍ଧା ବାଳୀକୁ ମାରି ଶ୍ରୀରାମ

ପ୍ରକାଶିଲେ ତାଙ୍କ ଦିବ୍ୟ ପରାକ୍ରମ,

ମନ୍ତ୍ରଣା କଲେ ସବୁ ବସି ଏକାଠି

ଖୋଜିବେ ମା' ସୀତା ଅଛନ୍ତି କେଉଁଠି ଯେ ?


ହନୁମାନ ଗଲେ ସମୁଦ୍ରକୁ ଡେଇଁ

ସୀତା ଦେବୀଙ୍କୁ ଠାବ କରିବା ପାଇଁ,

ଅଶୋକ ବନରେ ମାତାଙ୍କୁ ସେ ଭେଟି

ସମ୍ବାଦ ନେଇଣ ଆସିଲେ ଲେଉଟି ଯେ।


ଲଗାଇବାରୁ ତାଙ୍କ ଲାଙ୍ଗୁଡ଼େ ନିଆଁ

ଲଙ୍କା ଜାଳି ଦେଲେ ମାରି ମାରି ଡିଆଁ,

ସୁନାର ଲଙ୍କାକୁ କରି ଛାରଖାର

ଦେଖାଇଲେ ସାହସ ଶକ୍ତି ତାଙ୍କର ଯେ। 


ଅତ୍ୟନ୍ତ ବଳଶାଳୀ ସେ ହନୁମାନ

ପ୍ରଭୁଙ୍କୁ ମଣୁଥିଲେ ଜୀବ ଜୀବନ,

ଆଜ୍ଞାରେ ତାଙ୍କର ହୋଇ ଅନୁଗତ

ସେବକ ଭାବରେ ଥିଲେ କାର୍ଯ୍ୟରତ ଯେ।


ମୁଖେ ଧରି ସଦା ଶ୍ରୀରାମଙ୍କ ନାମ

କରୁଥିଲେ ଗୁଣଗାନ ସେ ଅସୀମ,

ପ୍ରଭୁଙ୍କର ଭକ୍ତ ଭାବେ ପ୍ରିୟପାତ୍ର

ଥିଲେ ନମ୍ର ଶାନ୍ତ ଉଦାର ପବିତ୍ର ଯେ।


ହେବାରୁ ଲକ୍ଷ୍ମଣଙ୍କର ଶକ୍ତିଭେଦ

ପ୍ରଭୁ ଶ୍ରୀରାମଙ୍କ ବଢିଗଲା ଖେଦ,

ଆକାଶ ମାର୍ଗେ ଉଡ଼ି ସେ ହନୁମାନ

ବୋହି ଆଣିଲେ ଯାଇ ଗନ୍ଧମାର୍ଦ୍ଦନ ଯେ।


ମହୀରାବଣ ଚୋରାଇ ପାତାଳରେ

ରାମ ଲକ୍ଷ୍ମଣଙ୍କୁ ରଖିଲା ଗୁପ୍ତରେ,

ହନୁମାନ ବେଗେ ପାତାଳକୁ ଯାଇ

ଉଦ୍ଧାରି ଆଣିଲେ କାନ୍ଧରେ ବସାଇ ଯେ।


ସୀତାରାମ ରାମସୀତା ମହାମନ୍ତ୍ର

ହୃଦୟେ ଅହରହ ଥିଲା ସ୍ଵତନ୍ତ୍ର,

ଦେଖାଇଲେ ସୀତାରାମ ଛାତି ଚିରି

ଭକ୍ତ ଶିରୋମଣି ସେ ପ୍ରମାଣ କରି ଯେ।


ଶ୍ରୀରାମ ହନୁମାନ ଯେ ହରିହର

କୃପାରେ ତାଙ୍କର ରହିଛି ସଂସାର,

ଭକତ ଭାବରେ ସେ ଚିର ଅମର

ହୋଇ ରହିଛନ୍ତି ହନୁମାନ ବୀର ଯେ।

       



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract