STORYMIRROR

Kabiratna Nutan Kumar Behera

Drama Action Inspirational

4  

Kabiratna Nutan Kumar Behera

Drama Action Inspirational

ତୁମ ପାଶେ ପ୍ରଭୁ ଜାଳୁଛି ଜାଗର

ତୁମ ପାଶେ ପ୍ରଭୁ ଜାଳୁଛି ଜାଗର

1 min
259


ନାଶ କରିଦିଅ ଅଜ୍ଞାନ ତିମିର

     ତୁମ ପାଶେ ପ୍ରଭୁ ଜାଳୁଛି ଜାଗର ଯେ, 

ଆଜି ତ ପବିତ୍ର ମହାଶିବରାତ୍ରୀ

     ଫଗୁଣ ଚତୁର୍ଦ୍ଦଶୀର ପୁଣ୍ୟ ତିଥି ଯେ।


ମନ୍ଦିରକୁ ଆସି ଜାଳୁଛି ଜାଗର

     ତୁମେ ପ୍ରଭୁ ମହାଦେବ ମହେଶ୍ଵର ଯେ,

ଦୀପର ସ୍ଵରୂପ ଶରୀର ସଳିତା 

    ଭକ୍ତିରେ ଜାଳେ ମୁଁ ରଖି ନିରବତା ଯେ।


ପବିତ୍ର ଭାବ ତୈଳେ ଭରା ହୃଦୟ 

    ଜଳି ଜଳି କରୁ ସେ ଆଲୋକମୟ ଯେ,

ମନରେ ରହୁ ମୋର ଦିବ୍ୟ ଚେତନା 

     ଉପବାସେ କରିବାକୁ ଆରାଧନା ଯେ।


କଲ୍ୟାଣର ଲାଗି ମୁଁ ଶୁଭ ମନାସେ,

   ଦୁଃଖ ଦୈନ୍ୟ ଯାଉ ତୁମରି ଆଶିଷେ ଯେ,

ଜୀବନ ଜଞ୍ଜାଳୁ ପାଇବାକୁ ତ୍ରାହି 

     ଗୁହାରି କରୁଛି ତୁମ ପାଶେ ରହି ଯେ।


ତୁମେ ଶିବ ଦେବ ଦେବ ମହାଦେବ

    ଜୀବର ଜୀବନ ସଂସାରେ ବିଭବ ଯେ,

କରିଛି ତୁମକୁ ହୃଦୟେ ଧାରଣା

    ଭରି ଦିଅ ପ୍ରଭୁ ଉତ୍ସାହ ପ୍ରେରଣା ଯେ।


ଜାଳୁଛି ଜାଗର ହୋଇ ଉଜାଗର

 ପୂର୍ଣ୍ଣ ହେବ ବୋଲି ଆଶା ସ୍ବପ୍ନ ମୋର ଯେ,

ତୁମେ ତ୍ରିଶୂଳଧାରୀ ଭୋଳାଶଙ୍କର

ଜିତେନ୍ଦ୍ରିୟ ମହାଯୋଗୀ ଯୋଗେଶ୍ଵର ଯେ।


ତୁମ ଭକତକୁ ତପେ ଦେଇ ବର,

     ଭବ ସାଗରରୁ କରି ଦିଅ ପାର ଯେ,

ହେ କୈଳାସପତି ପ୍ରଭୁ ଆଶୁତୋଷ 

     ଅଜ୍ଞାନ ତିମିର କରି ଦିଅ ନାଶ ଯେ।


ତୁମେ ପାର୍ବତୀପତି ଶଶ୍ମାନବାସୀ 

     ଡମ୍ବରୁଧର ପଶୁପତି ସନ୍ନ୍ୟାସୀ ଯେ,

ତୁମକୁ ଧ୍ୟାୟି ମୁଁ ଜାଳୁଛି ଜାଗର

   ଭବ ଭୟ ମୋ ମନରୁ କର ଦୂର ଯେ।


ତୁମେ ହରିହର ସର୍ପ ମାଳାଧାରୀ 

  ଗଳାରେ ରୁଦ୍ରାକ୍ଷ ଭସ୍ମ ବୋଳା ଶରୀ ଯେ,

ଅଙ୍ଗର ବସନ ବ୍ୟାଘ୍ର ଛାଲ ତବ 

   ହେ କାଳଜୟୀ ରୁଦ୍ର କର ତାଣ୍ଡବ ଯେ।


ତ୍ରିକାଳକୁ ଧ୍ୟାନେ କରିଅଛ ଜୟ

     ଶ୍ରଦ୍ଧାଳୁ ଭକତଙ୍କୁ ଦିଅ ଆଶ୍ରୟ ଯେ,

ତୁମେ ତ୍ରିଲୋଚନ ଦୂର କର ଭୟ

   ତୁମ ପାଶେ ଅଳି ହୁଅ ହେ ସଦୟ ଯେ।


ବୃଷଭ ବାହାନେ ବସି ନିମିଷକେ

    ବିଶ୍ଵ ବ୍ରହ୍ମାଣ୍ଡ ବୁଲ ଏକ ପଲକେ ଯେ,

ତୁମେ ପ୍ରଭୁ ନୀଳକଣ୍ଠ ମୃତ୍ୟୁଞ୍ଜୟ

   ପାପ ତାପ ସଂହାରି ଦିଅ ଅଭୟ ଯେ।


ନାଶ କରିଦିଅ ଅଜ୍ଞାନ ତିମିର

    ତୁମ ପାଶେ ପ୍ରଭୁ ଜାଳୁଛି ଜାଗର ଯେ,

ହେ ମଙ୍ଗଳମୟ ସର୍ବେ କୃପା କର

 ଜ୍ଞାନାଲୋକେ ଉଜ୍ଜ୍ୱଳ ହେଉ ସଂସାର ଯେ।


     


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Drama