ବିଶ୍ବ ଚମକାଇ ଦେବୁ
ବିଶ୍ବ ଚମକାଇ ଦେବୁ


ଖାଆଁ ଖାଆଁ ଥିଲା ଏ ଘର ଅଗଣା
ତୋତେ ପାଇ ଗଲା ପୂରି ,
ତୁ ମୋ ଘରର ଲକ୍ଷ୍ମୀଟିଏ ପରା
ସରଗର ସୁନା 'ପରୀ' ।
ମୋ ନୟନତାରା ,ସଜ କୁସୁମ ଲୋ
ତୋ ବାସେ ଚହଟେ ଘର ,
ଉପବନ ସମ ଲାଗେ ଏ ଅଗଣା
ସତେ କି ସରଗ ପୁର !!
ତୋ କଅଁଳ ହସ,ମଧୁର ପରଶ
ବାଲ୍ୟ ଚପଳତା ଯେତେ ,
ଦେଖି ପାଏ ମୁହିଁ ଅସୀମ ଆନନ୍ଦ
ବଖାଣିବି ଆଉ କେତେ !!
ତୋ ଅଳି, ଅଝଟ ଅଭିମାନ ଆଉ
କେତେ ମନଲୋଭା ଠାଣି ,
ଦେଖିକରି ତୋତେ ଖୁସିରେ ଡାକେ ମୁଁ
ଆ' ଆ..ମୋ କଣ୍ଢେଇ ରାଣୀ ।
ମାମା,ଚୁଲୁବୁଲି, ସୁନାଚାନ୍ଦ,ଗେହ୍ଲୀ
କେତେ ନାମ ଧରି ଡାକେ ,
ବାତ୍ସଲ୍ୟ ମମତା ଅଜାଡ଼ି ଦେବାକୁ
ସାଉଁଟି ନିଅଇ ବୁକେ ।
'ତାରି ଛମ ଛମ' ପାଉଁଜି ତୋର ଲୋ
ଚଳାଚଳ କଲେ ବାଜେ ,
ସେଇ ତାନ ଶୁଣି ବିଭୋର ହୁଏ ମୁଁ
ମୋ ମନ ସେ ତାନେ ମଜ୍ଜେ ।
ଆଜି ସିନା ତୁହି ସାନ ହୋଇ ଅଛୁ
କାଲିକି ବଡ଼ ହୋଇବୁ ,
ବିଦ୍ୟା,ବୁଦ୍ଧି ଆଉ ଜ୍ଞାନ ଗରିମାରେ
ବିଶ୍ବ ଚମକାଇ ଦେବୁ ।
ସେଇ ଅନୁସାରେ ଗଢ଼ିବି ଆଜିଠୁ
ତୋତେ ସ୍ୱୟଂସିଦ୍ଧା କରି ,
ଦୁନିଆ ବକ୍ଷରେ ଅରଜିବୁ ନାଆଁ
ହେବୁ ପର ଉପକାରୀ ।