ଶୋଇଯା ଧନ
ଶୋଇଯା ଧନ


ଶୋଇଯା ଧନ ମୋ କଥା ମାନି
ଅବୁଝା ହୁଅନା ଏଇ କ୍ଷଣି
ଆଜି ପାଣି ପିଇ ଯିବା ଶୋଇ
କାଲି ମୁଁ ଆହାର ଦେବି ତହିଁ ।
ଭୂତାଣୁ ଦାନବ ଅଛି ମାତି
ସେ'ପାଇଁ ସର୍କାର କଲେ ନୀତି
ନିଜ ନିଜ ଗୃହେ ଲୋକେ ରହି
ତାଲାବନ୍ଦୀ ହୋଇ ଥିବେ ଯହିଁ ।
ବାହ୍ୟ ଥାନେ କେହି ଯିବେ ନାହିଁ
ଗୃହେ ଥିବେ କିଛି ଦିନ ପାଇଁ
ନାହିଁ ସିନା ଗୃହ ଆମ ପାଶେ
ସେ'ବାରେ କାର ଯେ ଯାଏ ଆସେ ।
ଏ ଖୋଲା ଗଗନ ଆମ ଘର
ଭାଳିବୁନି ତିଳେ ତାରେ ପର
ବସୁମତୀ ମାତା ଆମ ମାଆ
ଦୁର୍ଦ୍ଦିନେ ହୁଅଇ ସିଏ ସାହା ।
ଏ ସଙ୍କଟେ କାର ନାହିଁ ଧ୍ୟାନ
ତା'ପାଇଁ ମିଳଇ ତିଳେ ଥାନ
ଗଗନ ପବନ ସାଥେ ପାଣି
ଏ ଘୋର କାଳେ ସେ ସାହା ଜାଣି ।
p>
ସର୍କାର ଘୋଷଣା କଲେ ଯହିଁ
ଜୀବନଠୁଁ ବଳି କିଛି ନାହିଁ
ଜୀବିକା ପଛକେ ହେଉ ନ୍ୟୁନ
ଜୀବନ ଆମର ଥାଉ ଧନ ।
ଏକଥା ଶୁଣି ସେ ଶିଶୁ ଧନ
ବୁଝେ ନାହିଁ ତିଳେ ତା'ର ମନ
ଉଠି କହେ ପିତା ମୁଖ ଚାହିଁ
କ୍ଷୁଧା ବିନା ସତେ ହେବ ଜିଇଁ ।
କେତେ ଦିନ ଆଉ ପାଣି ପିଇ
ଏମନ୍ତ ଉପାସେ ଯିବା ଶୋଇ
ଶୁଣି ପିଲାଟିର ଏଇ କଥା
ଘୁରିଯାଏ ଏଠି ପିତା ମଥା ।
କା ପାଶେ ଅଛି କି ତା ଉତ୍ତର
କହି କି ପାରିବେ କେହି ନର
ପିତା କହେ ପୁତ୍ର ମୁଖ ଚାହିଁ
ଗରିବର ସାହା କେହି ନାହିଁ ।
କହଇ କୁମର ଶୁଣ ଜନେ
ମୋ' ଉତ୍ତର ଦେବ ଭାଳି ମନେ
ଜନମି ମୁହିଁ ଗରିବ କୋଳେ
କିସ ପାପ କଲି କୁହ ତିଳେ ।