ମୋଦେଶ ପରି କେ ଅଛି କାହିଁ
ମୋଦେଶ ପରି କେ ଅଛି କାହିଁ
ସୁଜଳା ସୁଫଳା ଶସ୍ୟ ଶ୍ୟାମଳା ଏଇ ଭାରତ ଭୂଇଁ,
ନିଇତି ଯାହାର ନୀଳ ସାଗର ଦିଏ ଚରଣ ଧୋଇ।
ସବୁଜ ବନାନୀ ଗିରି ଝରଣା କୋଳେ ମଣ୍ଡିତ ଯାର,
ସେ ଆମ ଭାରତ ବିଶ୍ୱେ ବନ୍ଦିତ ନାହିଁ ତୁଳନା ତାର।
ହିନ୍ଦୁ ମୁସଲିମ ଶିଖ ଜଇନ ସର୍ବେ ଥାଆନ୍ତି ଯହିଁ,
ସଭିଁଏ ଆପଣା ନୁହେଁ କେ ପର ଅଟେ ମହାନ ତହିଁ।
ନାହିଁ ଭେଦଭାବ ଜାତି ଧରମେ ଏଇ ଭାରତେ ମୋର,
ସେପାଇଁ ମୋଦେଶ ପରି ଜଗତେ ଅଛି କେ ଏଠି ବର।
ଦିଏ ପରିଚୟ ମୋର ଭାରତ ବିଶ୍ୱେ ନିଆରା ଥାନ,
ଯାହାର ପ୍ରେରଣା ବଳେ ପାଇଚୁ କେତେ କେତେ ଯେ ମାନ।
ଆମ ଇତିହାସ ଆମ ପୁରାଣ ଦିଏ ଜଗତେ ଶିକ୍ଷା,
ପ୍ରଥା ପରମ୍ପରା ଐକ୍ୟ ସଂସ୍କୃତେ ନାହିଁ ଯାହାର ବ୍ୟାଖ୍ୟା।
ମହାନ ବିପ୍ଳବୀ ବୀର ସୈନିକ କେତେ ସଂଗ୍ରାମୀ ଜନ,
ଯାର ବଳୀଦାନେ ଦେଶ ଆମର ଗଢ଼ା ହୋଇଚି ଜାଣ।
କେତେ ବାଧା ବିଘ୍ନ ଆସି ଭାରତେ ଡରି ନାହୁଁ ଯେ ଆମେ,
ପ୍ରେମ ଶାନ୍ତି ମୈତ୍ରୀ ସାଥେ ଏକତା ଅଛି ତାହାର ଭୂମେ।
ଅହିଂସା ମାରଗେ ସତ୍ୟ ବଚନେ ଗଢ଼ା ଏଦେଶ ମୋର,
ଭାଇଚାରା ପ୍ରେମ ଉଠେ ମହକି ସାରା ଜଗତେ ଯାର।
ଆମ୍ଭେ ବଳୀୟାନ ବଳେ ଯାହାର ଏଇ ଭାରତେ ଆଜି,
ତାର ବଳୀଦାନେ ଛିଡା ମୋଦେଶ ବୀର ବିପ୍ଳବୀ ସାଜି।
ଆସ ହେ ମୋର ଭଉଣୀ ଭାଇ ଆସ ଗୋ ନର ନାରୀ,
ତ୍ରିରଙ୍ଗା ତଳେ ନେବା ଶପଥ ତାରେ ସ୍ମରଣ କରି।
ତାହାରି ତ୍ୟାଗ ସୁମରି ଆମେ ଦେଶ ଗଢିବା ଯହିଁ,
ଦେଖିଣ ତାହା ସାରା ଦୁନିଆ ଶୀର ନୋଇଁବ ତହିଁ।