ମୋ ଅଗଣା ତୁଳସୀ
ମୋ ଅଗଣା ତୁଳସୀ
ଧରଣୀ ପୃଷ୍ଠରେ ତୁଳସୀର ସୃଷ୍ଟି
ମାନବର ହିତ ପାଇଁ
ସଞ୍ଜୀବନୀ ରୂପେ ଜନ ହିତେ ଥାଏ
ଦେଇ ତା ପବିତ୍ର ଦେହୀ ।
ହିନ୍ଦୁ ଧର୍ମ ମତେ ପ୍ରଭାତେ ଉଠିଣ
ତୁଳସୀ ଦର୍ଶନ କଲେ
ପାପ ନାଶ ଯାଏ ଲକ୍ଷ୍ମୀ ପ୍ରାପ୍ତ ହୁଏ
ଧ୍ୟାନ ତାର ଠାଇଁ ଥିଲେ ।
ଘର ଅଗଣାରେ ସ୍ଥାପିଲେ ତୁଳସୀ
ବ୍ୟାଧି ହୋଇ ଥାଏ ଦୂର
ମୃତ୍ୟୁ ସଂଜୀବନୀ ହାତ ପାହାନ୍ତାରେ
କର ନାହିଁ ହତାଦାର ।
ତୁଳସୀ ପତର ଅତି ଦରକାର
କଫ କରି ଥାଏ ନାଶ
ଆୟୁର୍ବେଦ ଶାସ୍ତ୍ରେ ସର୍ବ ଶ୍ରେଷ୍ଠ ସ୍ଥାନେ
ପୂଜିତ ହୁଏ ଅବଶ୍ୟ ।
ଜାହ୍ନବୀଙ୍କ ସ୍ଥାନ ତୁଳସୀ ମୂଳରେ
ଶାଖାରେ ବିଷ୍ଣୁଙ୍କ ବାସ
ଅତ୍ୟନ୍ତ ଆନନ୍ଦେ ଦେବତା ରହିଲେ
ତୁଳସୀ ପର୍ଣ୍ଣରେ ତୋଷ ।
ଭିଜା ବସ୍ତ୍ର ପିନ୍ଧି ତୁଳସୀ ପୂଜିବ
ସଂଧ୍ୟା ହେଲେ ଧୂପ ଦୀପ
କାର୍ତ୍ତିକେ ତୁଳସୀ ମହାତ୍ମା ପଠନେ
ନଛୁଏଁ ଯମଙ୍କ କୋପ ।
ଜଗତ କଲ୍ୟାଣ ଚିନ୍ତି ନାରାୟଣ
ଧରା ପୃଷ୍ଠେ ଅବତୀର୍ଣ୍ଣ
ଦୁଷ୍ଟ ଜଳନ୍ଧର ବିନାଶ ପାଇଁକି
ତୁଳସୀ ସତୀତ୍ଵ ଚୁର୍ଣ୍ଣ ।
ବୃକ୍ଷ ହେଉ କି ବା ସତୀ କୃପାମୟୀ
ଉଚ୍ଚା ତୁଳସୀର ମଥା
ଯୁଗ ପରେ ଯୁଗ ପବିତ୍ର ଥିବ ସେ
ଜନେ ଶୁଣୁ ଥିବେ ଗାଥା ।