ଲଜ୍ଜ୍ୟା ର ରକ୍ଷା
ଲଜ୍ଜ୍ୟା ର ରକ୍ଷା


କହିବାକୁ ଲାଜ ଲାଗେ, ଲାଗେ ବଡ ଦୁଃଖ
କେମିତି ବା ସହିଛି ଏ ସମାଜ ଆଜି ଦେଖ ?
ବଡ ବଡ କଥା ଆଉ ବଡ ସଜ ବାଜ
ଫମ୍ପା ମାଠିଆ ପରି ସବୁ ତାଙ୍କ କାର୍ଯ୍ୟ ।
ଭେଳିକି ଭେଳିକି ପୋଷାକରେ ହୁଅନ୍ତି ସଜ
ଆଭିଜାତ୍ୟ ଓ ବଡ଼ିମା ଦେଖାନ୍ତି ହୋଇ ନିର୍ଲଜ୍ଜ
ମିଥ୍ୟା ତାଙ୍କ ଠାଣି ଆଉ ମିଥ୍ୟା ତାଙ୍କ ହସ
ଅନ୍ତର ରେ ଭରା ତାଙ୍କ ସବୁ ବିଷାକ୍ତ ବିଷ ।
ନୁହନ୍ତି ସେ ନୀଳକଣ୍ଠ ଜଗତ ଈଶ୍ବର
କିନ୍ତୁ ସେ ତ ଅଟନ୍ତି ସର୍ପ ସମ ବଡ ବିଷଧର ।
ଲୁଚି ଲୁଚି ରହିଥାନ୍ତି ସମୟକୁ ଚାହିଁ
ବେଳ ଉଣ୍ଡି ଦଶନ୍ତି ସେ , ତାଙ୍କ ଦୟା ମାୟା ନାହିଁ ।
ରଖିଥାନ୍ତି ପାଳି କିଛି ନିଜ ଚାଟୁକାର
କରାନ୍ତି ତାଙ୍କ ଦ୍ୱାରା ସଦା ନିଜର ପ୍ରଚାର ।
ସରଳ ମଣିଷ ସେ ଯେ ବୁଝିବା ବା କାହୁଁ
ତାଙ୍କ ଫାଂଦରେ ଫସିଯାଏ ଅକାରଣେ ତେହୁଁ ।
ଦେଖନ୍ତି କିଛି ବୁଦ୍ଧିମାନ ,ରୁହନ୍ତି ନିରବ
ସେ ବୁଦ୍ଧି ତେବେ କେଉଁ କାର୍ଯ୍ୟରେ ଆସିବ?
ଅତ୍ୟାଚାର ଅନାଦର ଅବହେଳା ଦେଖି
ଯଦି ସଭ୍ୟ ସମାଜରେ ସର୍ବେ ବୁଝାନ୍ତି ଆଖି ।
କେମିତି ବା ସେମାନଙ୍କୁ ସଭ୍ୟ ରୂପେ ଗଣିବା ?
ଅସଭ୍ୟତା ଠାରୁ ସେ ତ ହୀନ ,ତୁଚ୍ଛ ତାଙ୍କ ଗରିମା।
କି ମୂଲ୍ୟ ଅଛି ଯଦି ରକ୍ଷକ ହେବ ଭକ୍ଷକ ?
କାହା ଆଗେ ଫେରାଦ ହେବା,କିଏ ବା ଶୁଣିବ?
ଶିକ୍ଷକ ଠାରୁ ଶ୍ରମିକ ସର୍ବେ ଆଜି ବାଟବଣା
ଚିକିତ୍ସକ, ଯନ୍ତ୍ରୀ ଓ ଆଇନଜୀବୀ ସେମାନେ ବି ଏଥିରେ ଗଣା ।
ଖାଲି ମିଛ ପ୍ରହସନ କରନ୍ତି ନିଜ ସ୍ୱାର୍ଥ ପାଇଁ
ସାମାଜିକ ଦାଇତ୍ୱ ର କିଛି ମୂଲ୍ୟବୋଧ ନାହିଁ ।
ମୂଲ୍ୟ ଏବେ ଖାଲି ମିଥ୍ୟା ପ୍ରଲୋଭନର
ଲାଗେ ସତେ ବୋଲି ପରି ସବୁ କି ବା ବେସ୍ୟାଳୟର ।
ଗଣିକା ତ ବୃତ୍ତି କରେ ନାହିଁ ତା କପଟ
କିନ୍ତୁ ସେ ତ କଳଙ୍
କର ଦାଗ ରେ ଲଟପଟ ।
କିନ୍ତୁ ବ୍ୟଭିଚାରୀ ଆଜି ବୁଲେ ସସମ୍ମାନେ ,
ଅତ୍ୟାଚାର କରିଚାଲେ ବସି ତା ସିଂହାସନେ ।
କହିବାକୁ ତାକୁ କି ଅବା ରୋକିବାକୁ କେହି ନାହିଁ ,
ଅଛି ତା ମଥାପରେ ଶାସକଙ୍କର ଆଶୀର୍ବାଦ ଯହିଁ ।
ନେତାଏ ଧବଳ ପୋଷାକ ପିନ୍ଧି ବୁଲୁଛନ୍ତି ,
ବଡ ବଡ କଥା କହି ମିଥ୍ୟା ପ୍ରତିଶୃତି ଦିଅନ୍ତି ।
ରାଜନୀତି କରନ୍ତି ସେ ,ନାହିଁ ତାଙ୍କ କିଛି ନୀତି ,
ଖାଲି ନିଜ ମୁଣା,ସ୍ୱାର୍ଥ ପାଇଁ ସଦା ବ୍ୟଗ୍ର ହୁଅନ୍ତି ।
କେବେ ସେମାନେ କରନ୍ତି ରାଜନୀତି ତ କେବେ ନାଟକ ,
ଖାଲି କଳା କନା ବୁଲାଇ କାଟନ୍ତି ଲୋକଙ୍କ ବେକ ।
ତଥାପି ଏ ସମାଜରେ କିଛି ଲୋକ ଉଠନ୍ତି ,
ଅନ୍ୟାୟ ଅନୀତିର ଯେବେ ପ୍ରତିରୋଧ କରନ୍ତି ।
ଅନେକ ହୁଅନ୍ତି ସେମାନଙ୍କ କ୍ରୋଧର ଶିକାର ,
କାହାର ବା ହୁଏ ସର୍ବନାଶ ବୁଡଇ ସଂସାର ।
କିଏ କେବେ କାହାକୁ କେମିତି କରଇ ବଦ୍ଧ ,
ଆଖି ଥାଇ ଦେଖିଲେ ବି ନ୍ୟାୟାଳୟ ସାଜେ ଅନ୍ଧ ।
ନ୍ୟାୟାଳୟ ମାଗେ ଖାଲି ସବୁର ପ୍ରମାଣ ,
ଯାହା ଆଜି ମିଳିବା ଦୁର୍ଲଭ ଓ ଅଟେ କଠିନ ।
ତେବେ କୁହ କେବେ ହେବା ଏହାର ଅନ୍ତ ?
କେବେ ହେବା ସୁନ୍ଦର ସମାଜର ଦୃଷ୍ଟାନ୍ତ ?
କେବେ ହେବ ଅନ୍ତ ବସ୍ତ୍ରହୀନ ଉଲଗ୍ନ ନୃତ୍ୟର ?
ଡାକେ ନିରୀହ ବ୍ୟାକୁଳ ଦ୍ରୌପଦୀ ପରି ବସ୍ତ୍ର ଦେଇ ରକ୍ଷାକାର ।
କୁରୁସଭା ତଳେ ସିନା କୃଷ୍ଣ ଦେଇଥିଲେ ବସ୍ତ୍ର ,
ଏବେ ଏ ଅସଭ୍ୟତାକୁ ହାରିବ କେଉଁ ଅସ୍ତ୍ର ?
କିଏ ଅବା ରଖିବ ଲାଜ ଉଦ୍ଧରିବ ଆସି ?
ନିଜେ ଯଦି ସଜାଗ ହେବ ଦୁଃଖ ଦେବା ନାଶି ।
ଆମେ ନିଜେ ହିଁ ଶ୍ରୀକୃଷ୍ଣ , ସମାଜ ତ ଦ୍ରୌପଦୀ,
ଜାଗି ଉଠି ଜଗାଇବା ସଂସାରେ ସଦ୍ବୁଦ୍ଧି ।
କରିବା ମିଶି ସର୍ବେ ଲଜ୍ଜ୍ୟା ର ରକ୍ଷା ,
ଦେବା ଏ ସମାଜକୁ ସୁନ୍ଦର ଦୃଢ ସୁରକ୍ଷା ।