ଖଣ୍ଡିତ ସ୍ବପ୍ନ
ଖଣ୍ଡିତ ସ୍ବପ୍ନ
ସମ୍ପୂର୍ଣ୍ଣତାର ଆଶା ଆଉ ବିଶ୍ୱାସ ଥିଲା,
ସଂକଳ୍ପ କରି ଲକ୍ଷପଥେ ଅଗ୍ରସର ହେଲା,
ସ୍ୱପ୍ନକୁ କର୍ମରଥେ ନିଜର ସାରଥୀ କଲା,
କେମିତି ସେହି ରଥ ଅଟକି ଗଲା ?
ଚିନ୍ତାଗ୍ରସ୍ତ ହୋଇ ସମୟର ଦ୍ୱାହି ଦେଇ,
ଚିନ୍ତନକୁ ଯେବେ ଶାନ୍ତ କରିବା ପାଇଁ,
ନୟନ ଯୁଗଳକୁ ମୁଦ୍ରିତ କରି ଦେଇ,
କାହିଁକି ବ୍ୟଗ୍ର ହେଲା ଭାବ ପାଇଁ |
ଦେଖୁ ଦେଖୁ ସ୍ବପ୍ନ ଖଣ୍ଡିତ ହୋଇଗଲା,
ସଂକଳ୍ପକୁ ସିଏ ଟିକେ ଶିଥିଳ କରିଦେଲା,
ବ୍ୟବସ୍ଥା ଯେବେ କର୍ମକୁ ପ୍ରଶ୍ନ କଲା,
ଉତ୍ତର ପାଇଁ କାହିଁକି ଦରାଣ୍ଡି ହେଲା |
ତେବେ ଏବେ ଦଣ୍ଡିତ ହେବ କିଏ,
ଆଶା, ବିଶ୍ୱାସ, କର୍ମ ଅବା ସଭିଏଁ,
କିନ୍ତୁ ଖଣ୍ଡିତ ସ୍ବପ୍ନ ଯୋଡି ନହୁଏ,
ଅର୍ଦ୍ଧଦଗ୍ଧ ଆତ୍ମା ଖାଲି ଉତ୍ପୀଡ଼ନ ପାଏ |
ତଥାପି ସମୟ ଆସି ହାତ ଧରେ,
ଅତୀତକୁ ଲୁଚାଇ ଦିଏ ସ୍ମୃତି ମଧ୍ୟରେ,
ବର୍ତ୍ତମାନକୁ ଡାକି ସିଏ ଆଖିଠାର ମାରେ,
ଭବିଷ୍ୟତ ପାଇଁ କର୍ମରଥକୁ ସଜ୍ଜିତ କରେ|
କର୍ମରଥ ଚକ ଗଡି ଗଡି ଚାଲେ,
ନୂତନ ସ୍ୱପ୍ନକୁ ଚିନ୍ତନ ଗଢି ତୋଳେ,
ଧୀରେ ଧୀରେ ବିଷାଦକୁ ମନରୁ ଭୁଲେ,
ଛାଡି ଦିଏ ତାକୁ ସ୍ମୃତିର କୋଳେ |
କିଛି ସମ୍ଭାବନାର ଆଶା ଜାଗ୍ରତ ହୁଏ,
ଲୁଚିଥିବା ସ୍ବପ୍ନକୁ ପୁଣି ଏକତ୍ରିତ କରାଏ,
କିଛି ପ୍ରଶ୍ନର ଉତ୍ତର ପ୍ରାପ୍ତ ହୁଏ,
ବାକିଥିବା ପ୍ରଶ୍ନ କର୍ମକୁ ପ୍ରେରଣା ଦିଏ |
ଖଣ୍ଡିତ ସ୍ୱପ୍ନକୁ ଭରସା ଯୋଡିବାକୁ ଲାଗେ,
ଯୋଡ଼ା ଯୋଡିରେ ନୂତନ ବିଶ୍ୱାସ ଜାଗେ,
ଆଶାର ଆଲୋକ ଝଲକି ଉଠେ ଚଉଦିଗେ,
ସମୟ ସହିତ ଅନ୍ତିମ ଯାତ୍ରାପଥେ ଭାଗେ |