ମୃତ୍ୟୁ
ମୃତ୍ୟୁ
ସଞ୍ଜହେଲେ ସରେ ସତେ ସୂରୁଜର ସୁଖ
ସକାଳକୁ ସରେ ସେଇ ଶେଫାଳୀର ଶିରୀ
ସରିବାକୁ ସମୁଦ୍ରରେ ମେଲାଇ ତା ମୁଖ-
ନଈ ଅବା ଯାଏ ବହି ବାଟ ଚିରିଚିରି !
କୁକ୍କଟ ଓ କାକରାବ କାକର ସହିତେ
କପଟୀ ରାତିକୁ ମିଶି ମାରିଥାନ୍ତି ମିଶେ
କୁଞ୍ଚଖୋଲି କମର କି କାମନାର ହିତେ
ହୁତାଶନ ହିଆଟାକୁ ମାରିସାରି ହସେ ।
ଶିଆଳିର ଶେଯପରେ ଶ୍ରୀପତି ଶରୀର
ସୁରୁହୁଏ ସରିବାଟା ଶରର ଆଘାତେ
ସରିସରି ଯାଏ ସେହି ଶ୍ରବଣ କୁମାର
ଶୋଷାତୁର ତୁଣ୍ଡେଦେବ ବୋଲି ପାଣି ହାତେ ।
ଶୋଷକୁ ସାଉଁଟି ଶେଷେ ଶେଷସତ୍ୟ ପାଇଁ
ଶେଷ ସାରିବାକୁ ଆସେ ମୃତ୍ୟୁ ଧାଇଁ ଧାଇଁ !!