ବରଷା ରାଣୀ
ବରଷା ରାଣୀ
ବରଷା ରାଣୀ କହ କାହାଣୀ ।
କେଉଁଠି ଥିଲୁ କେବେ ଆସିଲୁ ।।
କହୁଛି ଶୁଣ କରେ ବଖାଣ ।
ମେଘରେ ଥିଲି ଭାସି ଆସିଲି ।।
ଧକ୍କା ଖାଇଲି ଝରି ପଡିଲି ।
ଆଷାଢ ମାସ ହେଲା ପ୍ରବେଶ ।।
ଶ୍ରାବଣ ମାସ ହୋଇଲେ ଶେଷ ।
ଫେରିବି ମୁହିଁ ମୋ ଇଚ୍ଛା ଯହିଁ ।।
ଉଡିଲେ ମେଘ ଯାଏ ମୁଁ ଉଡି ।
ମେଘ ସାଙ୍ଗରେ ମୋର ଧାଉଡି ।।
କଳାମେଘିଆ ଶାଢୀ ପିନ୍ଧାଇ ।
ଛାଡିଛି ମାଆ ଆସିଛି ମୁହିଁ ।।
ବାଦଲଫଟା ବରଷା କରି ।
ଗ୍ରୀଷମ ତାପ ନିଏ ମୁଁ ହରି ।।
ମେଘଡମ୍ବରୁ ବାଜଇ ବାଜା ।
ସୌଦାମିନୀ ଦେଖାଏ ସଜା ।।
ନଦୀ ନାଳରେ ଭରେ ମୁଁ ଜଳ ।
କାହାର ଖୁସି କାହାର କାଳ।।
ଦେଖିଲେ ମତେ ହସେ ଚାତକ ।
ଚାଷୀ ଖୋଲଇ ଜନ୍ମ ଜାତକ ।।
ଫୁଲ ଫଳରେ ଭରଇ ଧରା ।
ହସଖୁସିର ବୁହାଏ ଧାରା ।।
ଗର୍ଜିଲେ ମେଘ ନ ବରଷେ ମୁଁ ।
ମୌସୁମୀ ସାଥେ ରହିଥାଏ ମୁଁ ।।
ପିଲାଏ ଦେଖି ଡଙ୍ଗା ଭସାଇ ।
ମଜା ନିଅନ୍ତି ମତେ ଦେଖାଇ ।।
ବେଙ୍ଗ ରାଜାଟି ସାରୁ ମୂଳରେ ।
ବସିଛି ଛତି ଅଛି ଉପରେ ।।
ବେଙ୍ଗୁଲୀ ରାଣୀ ଦେଖିଲା ପାଣି ।
ହୁଳହୁଳି ସେ ଦେଖ ଦେଲାଣି ।।
ଲଙ୍ଗଳ ଧରି ବାହାରେ ଚାଷୀ ।
ମନ ତାହାର ଅତ୍ୟନ୍ତ ଖୁସି ।।
ଦେଖିଲା ମତେ ହଳ କରିବ ।
କେତେ ଫସଲ ଉପୁଜାଇବ ।।
ସଭିଙ୍କ ପେଟେ ଦେବ ସେ ଦାନା ।
ମତେ ଦେଖି ତା' ଖୁସି କୁହନା ।।
ଘରୁ ପଛକେ ଗଳୁ ତା' ପାଣି ।
ଯୋଗାଏ ଦାନା ସଭିଙ୍କୁ ଆଣି ।।
କାମୀ କାମିନୀ ହେଲେ ଉଷତ ।
ମନେ ସପନ ଅଶେଷ ଜାତ ।।
ସବୁ ବରଷ ଆସେ ମୁଁ ସତ ।
ତୁମକୁ ଦେଖି ହୁଏ ଉଷତ ।।
ସଭିଏଁ ମୋର ଅତି ନିଜର ।
ନାହିଁ ମୋହର ଆପଣା ପର ।।
କାଳଚକ୍ରର ଗତିରେ ମୁହିଁ ।
ଯିବା ଆସିବା କରୁଛି ରହି ।।
ସବୁ କହିଲି ପୁଚ୍ଛିଲ ବୋଲି ।
ଏବେ ତୁମଠୁ ବିଦାୟ ନେଲି ।।