ଦୀପାବଳି
ଦୀପାବଳି


ହେମନ୍ତ ଋତୁରେ କାର୍ତ୍ତିକ ମାସରେ
କୃଷ୍ଣ ଅମାବାସ୍ୟା ଦିନ ।
ଦୀପାବଳି ପର୍ବ ଆସଇ ଏ ପର୍ବ
ସର୍ବେ କରନ୍ତି ପାଳନ ॥
ଭାଇଚାରାର ଏ ପରବ ଏଥିରେ
ପରିଷ୍କାର ଘରଦ୍ବାର ।
ସାମାନ କିଣିବା ଦୀପାଳି ଜାଳିବା
ପିଠା ମିଠାର ସମ୍ଭାର ॥
ପିତରଙ୍କୁ ଦୀପଦାନ କରି ଏଇ
ପରବ ପାଳନ ହୁଏ ।
ରଙ୍ଗୋଲି ରଙ୍ଗାଇ ଆତସବାଜିର
ଆସରା ଧରା କମ୍ପାଏ ॥
ଘର ସଫା ଲାଗି ଝାଡୁ ହୁଏ କିଣା
ଧନତେରସ ଦିନରେ ।
ସୁନାରୂପା ଗହଣା ଧାତୁ ଦରବ
କେହି କିଣଇ ଖୁସିରେ ॥
ଧନ୍ୱନ୍ତରୀଙ୍କର ଜୟନ୍ତୀ ପାଳିତ
ହୁଅଇ ଏଇ ଦିବସେ ।
ଯମଙ୍କ ତର୍ପଣ ନରକ ଚତୁର୍ଦ୍ଦଶୀ
ଏ ତାହାପରେ ଆସେ ॥
ଦୀପାବଳ
ି ଜାଳି ପୟାଶ୍ରାଦ୍ଧ ହୁଏ
ଅମାବାସ୍ୟାର ସନ୍ଧ୍ୟାରେ ।
ବଡବଡିଆଙ୍କୁ ପିପେଇ ଡାକନ୍ତି
ପୂପ ଦୀପଦାନ ପରେ ॥
ଶ୍ୟାମାକାଳୀ ପୂଜା ହୁଏ ନିଶାର୍ଦ୍ଧରେ
କାର୍ତ୍ତିକ ଅମାବାସ୍ୟାରେ ।
ଦୀପ ଆଲୋକରେ ଝଲସଇ ଘର
ଆଲୋକମାଳା ସଜ୍ଜାରେ ॥
ବିଦ୍ୟୁତ ଆଲୋକେ ଆଜିର ଯୁଗରେ
ହୁଏ ଘର ସଜବାଜ ।
ପ୍ରଦୂଷଣ ବାଣ କେତେ ଫୁଟା ହୁଏ
କହିବାକୁ ମାଡେ ଲାଜ ॥
ବାୟୁ ପ୍ରଦୂଷଣ ଶବ୍ଦ ପ୍ରଦୂଷଣ
ଘାତକ ହେଲାଣି ଭାରି ।
କହିଲେ ସେକଥା ଶୁଣୁଛି ବା କିଏ
ଜୀବନ ଯିବ ବାହାରି ॥
ଶ୍ରଦ୍ଧା ଭକତିରେ ଦୀପଦାନ ଶ୍ରାଦ୍ଧ
କରି ପାଳିବା ଏ ପର୍ବ ।
ଦୀପାଳି ଜାଳିବା ଆଲୋକ ବୁଣିବା
ପରମ୍ପରା ଗଉରବ ॥