ରାବଣ ପୋଡ଼ି
ରାବଣ ପୋଡ଼ି
ରାମାୟଣ ବାଣୀ ଶ୍ରୀରାମ କାହାଣୀ
ଯାହା ବର୍ଣ୍ଣଇ ପୁରାଣ
ବାହ୍ୟ ନେତ୍ରେ ଦେଖି ସର୍ବେ ବିଚାରନ୍ତି
କୁକର୍ମ କଲା ରାବଣ
ମାତ୍ର ଖୋଲି ଅନ୍ତଃଚକ୍ଷୁ
ଦେଖନ୍ତେ ମାନବ ନିଶ୍ଚେ ହୋନ୍ତା ଦୂର
ଅଜ୍ଞାନତା ଧରାବକ୍ଷୁ ।
ସୁଜ୍ଞାନୀ ବ୍ରାହ୍ମଣ ସେ ବୀର ରାବଣ
ନିଜର ମୁକତି ପାଇଁ
ଧରି ମାତା ହାତ ବସାଇଣ ରଥ
ଲଙ୍କାରେ ରଖିଲେ ନେଇ
ହୃଦୟରେ ମାତୃଭାବ
ଅଶୋକ ବନରେ ଅଶ୍ୱତ୍ଥ ମୂଳରେ
ବନ୍ଧ୍ୟା ଦୋଷର ବିଲୋପ ।
ଶ୍ରୀରାମ ଡାକରା ହୃଦ କଲା ତୋରା
ପ୍ରତିଷ୍ଠିତ ସେତୁବନ୍ଧ
ଗଣୁଥାନ୍ତି ଦିନ ତାଙ୍କୁ କେଉଁଦିନ
ମିଳିବ ମୁକ୍ତି ସୁଗନ୍ଧ
ଶିରୀରାମଙ୍କ ହସ୍ତରେ
ହୋଇ ସିଏ ବଧ ଲଭି ପଦ୍ମପାଦ
ରହିବେ ବେକୁଣ୍ଠ ପୁରେ ।
ଅପହରି ମାତ ହୃଦୟ କ୍ଷତାକ୍ତ
ମାତ୍ର ତୁଣ୍ଡେ ଥାଏ ବିଷ
ସାଧ୍ୟ ଅଛି କା'ର ଖଟାଇଣ ବଳ
ଲଙ୍ଘିବ ବିଧି ନିର୍ଦ୍ଦେଶ
ଲକ୍ଷ୍ମୀଙ୍କର ଅଭିଶାପ
ମୁଣ୍ଡାଇ ମୁଣ୍ଡାଇ ଏଠୁ ହେଲେ ପାରି
ଦ୍ୱାପରରେ ଶେଷ ହେବ ।
ଅସୁର କୁଳରେ ଜନମି ମହୀରେ
ଥିଲା ଆସୁରିକ ଗୁଣ
ଗର୍ବ ଦମ୍ଭ ଚୂର ହୋଇଲା ତାଙ୍କର
ଦେହ ପଞ୍ଚଭୂତେ ଲୀନ
ଆଜି ଏ ରାବଣ ପୋଡ଼ି
ସଭିଙ୍କୁ ସୂଚାଏ ଜୀଇଁଥିବା ଯାଏ
ସେ ସ୍ୱଭାବ ଦିଅ ତଡ଼ି ।
ଖୁସିର ପସରା ମେଲିବ ଏ ଧରା
ଘୁଞ୍ଚିଯିବ ଦୁଃଖ ନଈ
ଧାଇଁ ସୁଖ ନଈ ପ୍ରତି ପାଦ ଛୁଇଁ
କୁଳୁକୁଳୁ ଯିବ ବହି
ଗାଇ ମଧୁର ସଙ୍ଗୀତ
ଭେଦି ସର୍ବ ହୃଦ କରି ସମ୍ମୋହିତ
ସେତେ କି ପାନ ଅମୃତ !
ପ୍ରତିଟି ଚେତନ ନ ଜଗାଇ ମନ
ନିଜ ଭିତର ଦାନବ
ରଖିଥିଲେ ତେଜି ଯନ୍ତ୍ରଣାରେ ଭିଜି
ନିତିଦିନ ସଢ଼ୁଥିବ
ଆସୁରିକ ଗୁଣ ବେଢ଼ି
ଯଦି ରହିଥିବ କିଆଁ ଲାଭ ହେବ
ରାବଣ ଛବିକୁ ପୋଡ଼ି ।