ମାଣବସା ଗୁରୁବାର
ମାଣବସା ଗୁରୁବାର
ଦୁଆର ମୁହଁରେ ଲେପି ଏ ଗୋମୟ
ଗେରୁଆ ମଣ୍ଡଳ କାଟି
ଅତି ଯତନରେ ଝୋଟି ଚିତା ସବୁ
ଆଙ୍କିଛି ପିଠଉ ବାଟି ।
ବ୍ରାହ୍ମମୁହୂର୍ତ୍ତରୁ ଘର ପରିଚ୍ଛନ୍ନ
କରି ହେଲି ସଦ୍ୟସ୍ନାତା
ନୈବେଦ୍ୟ ସଜାଡି ପୂଜା ଅର୍ଘ୍ୟ ଦେଲି
ଘେନା କର ଲକ୍ଷ୍ମୀମାତା ।
ସରସ କରିଛ ଜୀବନ ଆମର
କରୁଣା ଦେଇଛ ଢାଳି
ସମର୍ଥ କରିଛ କର୍ମକ୍ଷେତ୍ରେ ଯୁଝି
ହେବାକୁ ସୌଭାଗ୍ଯଶାଳୀ ।
ହାତଗୋଡ଼ ଆମ ଚାଲିଥାଉ ମାଆ
ଉଦ୍ଯୋଗେ ନଯାଉ ଥକି
<p>କୁବୁଦ୍ଧି ନପଶୁ ବସି ଖାଇବାକୁ
ଅପର ଜନଙ୍କୁ ଠକି ।
ହସି ଉଠୁ ଆମ ସୁଖର ସଂସାର
ଶାନ୍ତି ପ୍ରୀତି ମୈତ୍ରୀ ବଳେ
ସାଗର ଦୁଲଣୀ ଲକ୍ଷ୍ମୀ ଠାକୁରାଣୀ
ନତି କରେ ପାଦତଳେ ।
ବିଷ୍ଣୁ ମନୋହରୀ ହୃଦୟବାସିନୀ
କର ଗୋ ଆଶିଷ ଦାନ
ଅନ୍ନର ସଂସ୍ଥାନ ଯୋଗାଇ ସଭିଙ୍କୁ
ଦିଅ ବସ୍ତ୍ର ବାସସ୍ଥାନ ।
ମାର୍ଗଶିର ମାସ ଗୁରୁବାର ଆଜି
ଓଡିଆଙ୍କୁ ବଡ଼ ପ୍ରିୟ
ଆସ ଆସ ମାଆ ବିରାଜି ସଦନେ
ସନ୍ତୋଷେ ଅଭୟ ଦିଅ ।