ବୈଧବ୍ୟ
ବୈଧବ୍ୟ
ଦିଶେ ଅବସନ୍ନା ଧବଳବସନା
ନତମୁଖୀ ଏହି ନାରୀ
ମଉନେ ନାଚାର ଦୁଃଖ ହାହାକାର
ସ୍ପଷ୍ଟ ହୋଇଯାଏ ବାରି ।
ନାହିଁ ପୂର୍ବ ବେଶ ଭୂଷଣ ବିଶେଷ
ମଥାରେ ତା' ଆଗଭଳି
ପତି ସ୍ମୃତିଚିହ୍ନ ଆଦରି ସେ ଭିନ୍ନ
ଅନଳେ ଯାଏ କି ଜଳି !
ଏବେ ଦିନରାତି ବିଦାରି ତା' ଛାତି
ଘାଣ୍ଟେ ପୁନର୍ବାର ବ୍ୟଥା
ଅତିଶୟ ଦୀନ ସାନ୍ତ୍ବନା ବିହୀନ
ମନର କରୁଣ କଥା ।
ଯାହା ଅନୁମାନ କେବେଠାରୁ ମ୍ଳାନ
ପଡିଥିବ ଏହି ମୁଖ
ବିଧାତା ନିସ୍ତାରି ନନେଇ ବିସ୍ତାରି
ରଖିଛି ଅସହ୍ୟ ଦୁଃଖ ।
ଯଦି ସେ ବିଲୋକେ ଦର୍ପଣ ବି ଶୋକେ
ଫିକା ପଡ଼ିଯାଏ ବୋଧେ
ସହସା ବିରାଗେ କୋହ ସିନା ଜାଗେ
ଅନ୍ତରେ ନିଜେ ହିଁ ରୋଧେ ।
ହୃଦୟେ ଆସୀନ ରହି ନିଶିଦିନ
ପ୍ରାଣସଖା ପ୍ରିୟବର
ଜୀବନର ରାହା ମଧ୍ୟେ ହୋଇ ସାହା
ସଙ୍ଗେ ଥିବେ ନିରନ୍ତର ।
ପ୍ରିୟ ପାଶେ ତା'ର କାମିନୀ ଶୃଙ୍ଗାର
ହୋଇ ନଥିବ ତ ଊଣା
ନଥାଇ ଭରତା ସେହି ସୁନ୍ଦରତା
ଲାଗେ କିମ୍ପା ଏତେ ଘୃଣା ?
ଦିନେ ତା'ର ଅଙ୍ଗେ ନିତ୍ୟ ନବରଙ୍ଗେ
ଯଉବନ ମଦ ଭରି
କଞ୍ଜ ବିଲୋଚନ କରି ଉନ୍ମୋଚନ
ଥିବ ବିଳାସିନୀ ପରି ।
ପ୍ରିୟତମ ଛବି ହୃଦେ ଅନୁଭବି
ବିଶ୍ରାମ ନନେଇ ତିଳେ
ଭାଳି ପୂର୍ବମତେ ସେହି ସୁଖ ସତେ
ଖୋଜିଲେ କାହୁଁ ବା ମିଳେ ?
ଶୁଭ୍ର ତାରାପତି ତୁଲ୍ୟ ଦନ୍ତପନ୍ତି
ମୁଖାକାଶେ ଯହିଁ ଶୋହେ
ତାରକା ଗହଣେ ଆଜି କି ଗ୍ରହଣେ
ମଳିନ ଉଦାସ କୋହେ ?
ଆଉ ଅନୁପମ ରୂପ ଅନୁକ୍ରମ
ସଜାଇବ କାହା ଲାଗି
ଦୁଃଖେ ଆଶ୍ବାସନା ପାଇଁ ଉପାସନା
କରେ ଅବିରତ ଜାଗି ।
ପ୍ରାଣେଶ୍ବର ଭୁଜେ ଯେବେ ନେତ୍ର ବୁଜେ
ସୁହାସିନୀ ମଦମତ୍ତା
ଅତ୍ୟନ୍ତ ଶ୍ରଦ୍ଧାରେ ଚୁମେ ଓଷ୍ଠଧାରେ
ଏକାକାର ହୁଏ ସତ୍ତା ।
ବିମୁଗ୍ଧ ପ୍ରଣୟୀ ସର୍ବସ୍ବ ମଣଇ
ପାଇ ତାକୁ ପ୍ରେମାବେଶେ
ସୁଖଦ ସଂସାର ତା' ପାଇଁ ଅସାର
ଲାଗେ ଏବେ ପରିଶେଷେ ।
ହୃଦୟ ତରଳ ଥାଇ ବି ସରଳ
ନୁହଁଇ ବୈଧବ୍ୟ ରାହା
ମଳିନ ବଦନେ ବସି ସେ ସଦନେ
ବିଳପେ କେବଳ ଯାହା ।