STORYMIRROR

Puspalata Nayak

Tragedy

4  

Puspalata Nayak

Tragedy

ଶ୍ରଦ୍ଧାଞ୍ଜଳୀ

ଶ୍ରଦ୍ଧାଞ୍ଜଳୀ

2 mins
1.1K



କ୍ଷୁବ୍ଧ ମନର ସ୍ତବ୍ଧ କୋଠି ରେ

ଖୋଜେ ଭାଷା ଅଭିଧାନ

ଶଦ୍ଦ ପାଏନା ଦେବା ପାଇଁ ରୂପ

ବୀର ସହୀଦ ଙ୍କ ଜୟ ଗାନ l


ନିର୍ଜୀବ କଲମ ହେବକି ସକ୍ଷମ

ବୁଝିବ ପ୍ରାଣର ବ୍ୟଥା

କାଗଜ ବୁକୁ ରେ ଫୁଟାଇ ପାରିବ

ବୀର ସହୀଦ ଙ୍କ ଗାଥା l


ଜୀବନ ର ପଥେ ଗୋଲାପ ଗାଲିଚା

ଗୋଡ଼ରେ ଆଡେଇ ଦେଇ 

ମାତୃଭୂମି ର ମାନ ରଖିବାକୁ

 ଜୀବନ ପଣ ଲଗାଇ l


ମାନେ ନାହିଁ ସିଏ ବରଷା ବତାଷି

ହିମ ଘର୍ମ ର ତାତି

ଅଇରୀ ସଙ୍ଗରେ ବଇରୀ ସାଜିଛି

ମରଣ କୁ ନାହିଁ ଭୀତି l


ନଭ ଜଳ ସ୍ଥଳ କିବା ହିମାଚଳ

ସୀମାନ୍ତ ରେ ହୋଇ ଠିଆ

ମାତୃଭୂମି ର ମହତ ରଖେ ସେ

ଶତ୍ରୁ କୁ ପତେଇ ହିଆ l


ଯା' ଶାକ ତଣ୍ଡୁଳ ଯୋଗାଇଛି ବଳ

ବଢାଇଛି ବଳ ବପୁ

ତାହାରି ସେବାରେ ଉତ୍ସର୍ଗୀ ଜୀବନ

ତା' ପଦେ ପ୍ରାଣ ସମର୍ପୁ l


ବନ୍ଧୁକ ଭରା ବନ୍ଧୁର ରାସ୍ତାରେ

ଜାଗ୍ରତ ପ୍ରହରୀ ହୋଇ

ଜଗିଛ ବୋଲି ତ ତୂଳୀ ତଳ୍ପ ପରେ

ଶୋଇଛି ତା ଦେଶ ଭାଇ l


ଗୋଟିଏ ମା'ର ସନ୍ତାନ ନୁହେଁ ତ

କୋଟି ଜନନୀ ର ସୁତ

ମାତୃଭୂମି ର ମହତ ରଖିଲ

ବକ୍ଷରୁ ନିଗାଡି ରକ୍ତ l


ତୋ ସ୍ନେହ କାଙ୍ଗାଳ ମା'ର ଅଞ୍ଚଳ 

ଗଲୁ ଶୂନ୍ୟ କରି ଦେଇ

ଭାରତ ମା'ର ତ୍ରିରଙ୍ଗା ପତାକା

ଶୋଇଲୁ ଘୋଡେ଼ଇ ହୋଇ l


ବକ୍ଷୁ ନିଗାଡି ରୁଧିର ଧାର

ଆଙ୍କିଲ ଯା' ବକ୍ଷେ 

     ବୀଜୟ ର ଗାର

ସେହି ବୀର ପ୍ରସବିନୀ

      ଭାରତ ଜନନୀ

ତ୍ରିରଙ୍ଗା ପତାକା ତୋଳି

ତୁମରି ସୃତି ରେ ଏ ଆଖି ରୁ ଯାଉ

 ଲୁହ ଦୁଇ ଟୋପା ଝରି

ସେହି ହେଉ

 ବୀର ସହୀଦ ଙ୍କୁ ଶ୍ରଦ୍ଧାଞ୍ଜଳୀ l


କ୍ଷୁଦ କୁଢ଼ କରି କାକର ଆଧାର

ପଥର କରି ତା ଛାତି

ପୁଅ ଫେରି ବାର ଦିନ ଗଣୁ ଥିଲା

ପଥ ଚାହିଁ ନିତି ପ୍ରତି l


ଦେବା ପାଇଁ ଧନ୍ୟ ନାହିଁ ଭାଷା ଜ୍ଞାନ

ସେ ମାଆ ପଦେ ଜୁହାର

ଏ ବିଶାଳ ବପୁ ବଢାଇଲା ଯିଏ

ନିଜ ସ୍ଥନୁ ଦେଇ କ୍ଷୀର l


ତୋ ପରି ସନ୍ତାନ ହରାଇ ଯା କ୍ଷୁର୍ଣ୍ଣ

ହେଲା ଗର୍ଭ ଧାରୀ ବକ୍ଷ

ତାହାକୁ କି ପୂର୍ଣ୍ଣ କରି ପାରିବ ଏ

ଜାତି ର ମହତ ଲକ୍ଷ l


ନାହିଁ ପ୍ରବୋଧନା ଦେବାକୁ ସାନ୍ତ୍ଵନା

ସେହି ମା ପାଦେ ଅଳି

ତୁମରି ସୃତି ରେ ଏ ଆଖିରୁ ଯାଉ

ଲୁହ ଦୁଇ ଟୋପା ଝରି

ସେହି ହେଉ 

ବୀର ସହୀଦ ଙ୍କୁ ଶ୍ରଦ୍ଧାଞ୍ଜଳୀ l


ବାପ ବୁକୁ ତଳ ଅବ୍ୟକ୍ତ ଯନ୍ତ୍ରଣା

ହୁଅଇ ଅବଦମିତ

କହେ ଦେଶ ପାଇଁ ପୁଅ 

      ଜୀବନ ଦେଇଛି

ତା ପାଇଁ ଆଜି ଗର୍ବିତ l


ଜୀବନର ଆଶା ବାର୍ଦ୍ଧକ୍ୟ ଭରଷା

ଆଶା ବାଡି ଗଲା ଟଳି

ସେହି ବାପା ପାଦେ ପ୍ରଣାମ ଜଣାଇ

ତୁମରି ସୃତି ରେ

       ମୋ ଆଖି ରୁ ଯାଉ

 ଲୁହ ଦୁଇ ଟୋପା ଝରି

 ସେହି ହେଉ

 ବୀର ସହୀଦ ଙ୍କୁ ଶ୍ରଦ୍ଧାଞ୍ଜଳୀ l


ଅବିଳମ୍ବେ ଫେରି ଆସିବି ତୋ ପୁରୀ

କହି ଗଣ୍ଡେ ମଣ୍ଡିଲେ ଚୁମ୍ବନ

ବୀରାଙ୍ଗନା ତୁମେ ବିଜୟ ତିଳକ

ମୋ ଶିରେ କର ମଣ୍ଡନ l


ସେହି ଶେଷ ସ୍ପର୍ଶ ପାଇଛି ଉଶ୍ଵାସ

କାମିନୀ କାମନା ତନୁ

ଫେରି ନାହିଁ ଆଉ 

     ଫେରିବ ନାହିଁ ସେ

ଭୁଲି କି ପାରୁଛି ମନୁ l


ସେହି ବିରହ ବୀଧୁରା 

          ଅଧୁରା ସ୍ବପ୍ନ କୁ

ଆଙ୍କେ ତା'ର ଭାଗ୍ୟ ତୂଳୀ

ଆଜି ବିଧବା ନୁହଁ ସେ

          ବୀର ବଧୂ ପାଦେ

ତୁମରି ଶୃତି ରେ ମୋ ଆଖିରୁ ଯାଉ

ଲୁହ ଦୁଇ ଟୋପା ଝରି

ସେହି ହେଉ

ବୀର ସହୀଦ ଙ୍କୁ ଶ୍ରଦ୍ଧାଞ୍ଜଳୀ l


ସାରି ଧୂଳି ଖେଳ

        ଧରି ମା' ଅଞ୍ଚଳ 

ଦରୋଟି ଭାଷାରେ ସୂତ

କହେ କରି ଗୋଳ ଲଗାଏ ଜଞ୍ଜୀଳ

   କେବେ ଫେରିବେ ମୋ ତାତ l


ନ ସ୍ପୁରଇ ବାକ୍ୟ 

          ହୋଇଯାଏ ମୂକ

କି ଦେବ ଉତ୍ତର ଭାଳି

ବାତ୍ସଲ୍ୟ କାଙ୍ଗାଳ ଶିଶୁ ମନ ତଳ

ବ୍ୟଥାକୁ କରି ଆଞ୍ଜୁଳି

ତୁମରି ସୃତି ରେ ମୋ ଆଖିରୁ ଯାଉ

 ଲୁହ ଦୁଇ ଟୋପା ଝରି

ସେହି ହେଉ 

ବୀର ସହୀଦ ଙ୍କୁ ଶ୍ରଦ୍ଧାଞ୍ଜଳୀ l


ରହି ଅଛି ବାକି 

         ବାନ୍ଧିବାକୁ ରାଖି

ଅପେକ୍ଷା ରେ ଅର୍ଘ୍ୟ ଥାଳି

ଲୋତକର ନଈ ନେଇଛି ଭସାଇ

ତା ସେନେହ କୁସୁମାଞ୍ଜଳୀ l


ସେହି ଅଶ୍ରୁ ର ପାଳ୍ବବନୀ 

        ଅଭାଗି ଭଗିନୀ

ପାଦ ତଳେ ଯେବେ

ତୁମରି ସୃତି ରେ ମୋ ଆଖିରୁ ଯାଏ

ଲୁହ ଦୁଇ ଟୋପା ଝରି

ସେହି ହେବ

ବୀର ସହୀଦ ଙ୍କୁ ଶ୍ରଦ୍ଧାଞ୍ଜଳୀ ll



Rate this content
Log in

Similar oriya poem from Tragedy