ସ୍ମୃତି
ସ୍ମୃତି
ଅସ୍ତମିତ ସୂର୍ଯ୍ୟ ସ୍ତିମୀତ ଗୋଧୂଳି
ଅବସ ପାଦ ନୂପୂର
ଅବତୀର୍ଣ୍ଣ ଆଜି ଅନ୍ତିମ ସୋପାନେ
ଅଭିନୟ ସାରି ତାର ।
ଅପଲକ ଆଖି ତଳେ ନାଚି ଯାଏ
ସ୍ମୃତି ର ବାଲୁକା ବେଳା
ରେଣୁ ରେଣୁ ଵାଲି ସ୍ତୁପେ ଝଟକ ଇ
ଜୀର୍ଣ୍ଣ ଅତୀତର ଲୀଳା।
ଆଦ୍ୟ ଶୈଶବ ମୋ ଅଜ୍ଞାତରେ ଯାଏ
ସ୍ମୃତି ରେ ନ ପାଏ ସ୍ଥାନ
ସ୍ମୃତି ର ଆଖି ରେ ନିରେଖି ଦେଖିଲେ
ହୁଏ ଝାପ୍ସା ଦୃଶ୍ୟମାନ।
ଧିରେ ଧିରେ ଯେବେ ବୟସ ମୋହର
ଆଉ ଟିକେ ବଢି ଯାଏ
ବାଲ୍ୟ ଶିକ୍ଷା ସମୟଟା
ଦୃଶ୍ୟମାନ ହୁଏ ।
ଦୃଶ୍ୟ ହୁଏ ସାଥୀ ମେଳେ
ବାଲ୍ୟ ଶିକ୍ଷା ର ସୋପାନ
ଭଙ୍ଗା ସିଲଟ କୁ ପୁଣି
ବଡରା ଆସନ।
ମାଆ ର ଆକଟ ଆଉ
ସାର୍ ଙ୍କ ଛାଟ
ପୁଣି ବାପାଙ୍କର ନାଲି ଆଖି
ଆଉ ସାଙ୍ଗ ସାଥୀ ଭେଟ।
ୟା ଭିତରେ ବୟସ ମୋ
ଧିରେ ବଢି ଯାଏ
କୈଶୋର ର ସୋପାନ ରେ
ଆସି ପାଦ ଦିଏ।
ଅଜଣା ରେ ମୋ ଭିତରେ
ଆସେ ଚପଳତା
ନିଭୃତ କକ୍ଷ ରେ ମନ
ଖୋଜେ ସ୍ବାଧୀନତା।
ଯୁବା କାଳ ଉଭା ଯେବେ
ହେଲା ଜୀବନ ରେ
ପାଦ ଅଙ୍କା ବଙ୍କା ମୋର
ଖସଡ଼ା ରାସ୍ତାରେ ।
ଗଲେ ନ ଚଳଇ ପାଦ
ନ ଗଲେ ପ୍ରମାଦ
ବିବେକ ଲାଳସା ମଧ୍ୟେ
ଲାଗଇ ବିବାଦ ।
ଋତୁ ଚକ୍ର ପରି ଚାଲିଗଲା
ଜୀବନେ ଯୋଉବନ କାଳ
ଧରା ପୃଷ୍ଠେ ପାଦ ଚିହ୍ନ ଛାଡ଼ି ଗଲା
ମାତ୍ର ବାସ୍ତବେ ବିଫଳ ।
ଭାବ ଅଭାବ ର ହାଟ ବାଟ ଦେଇ
କେତେ ପଥ ଅତିକ୍ରାନ୍ତ
କରିଛି ସେ କଥା ସୃତି ସାଖୀ
ସ୍ମୃତି ଏକା ତା ଦୃଷ୍ଟାନ୍ତ।
