ଶବ ର ସବାରୀ
ଶବ ର ସବାରୀ
ମାଆ କୋଳରୁ ଯେ କୋକେଇ ପର୍ଯ୍ୟନ୍ତ
ରହିଛି ଯେତେ ଦୂରତା
ଜୀବନ ନାଟକ ଆରମ୍ଭ ରୁ ଶେଷ
ସର୍ବେ ଜାଣନ୍ତି ଏ କଥା ।
ଅଭିନୟ ତୋର ଆରମ୍ଭ ହୁଅଇ
ଯେବେ ଜଳଇ ଏନ୍ତୁଡି
ଏହି ଅଭିନୟ ସରି ଯିବ ଯେବେ
ଖେଳିବୁ ଖଇକଉଡି ।
ରାଜ ସିଂହାସନ ଦୁର୍ଲଭ ଆସନ
ହୁଏତ ମିଳିବ ନାହିଁ
ସମସ୍ତଙ୍କ ଭାଗ୍ୟେ ଶେଷ ସିଂହାସନ
ମିଳିବ ଏହି କୋକେଇ ।
ଧନ ମାନ ଯଶ କୀରତି ଗୋଉରବ
ଥାଉ ଯେତେ ଆୟୋଜନ
ସବୁକୁ ପଛରେ ପକାଇ କୋକେଇ
କୋଳରେ ଯିବୁ ଶ୍ମଶାନ ।
ଅରଜୀଥା ଯେତେ ଯାନ କି ବାହାନ
ସଜାଇଥା ହାତୀ ଘୋଡ଼ା
ଶେଷରେ ତୋହର ମହା ଯାତ୍ରା କାଳେ
ଛ' ଖଣ୍ଡ ବାଉଁଶ ଲୋଡା ।
ସବୁ ମୋର ମୋର ବୋଲୁ ଏ ସଂସାର
ମୋହ ମାୟା ଜାଲେ ପଡ଼ି
ମାୟା ଜାଲ ଦିନେ ଛିଣ୍ଡିବ ରେ ଧନ
ଭିଡିବ ପାଳ ଦଉଡି ।
ବନ୍ଧୁ ପରିଜନ ଆତ୍ମୀୟ ସ୍ବଜନ
ଜାୟା ପ୍ରେମେ ହେଲୁ ଅନ୍ଧ
ଆସିବ ସେ ଦିନ କରି ଦୃଢ଼ ମନ
ଦେବେ ତୋତେ ଚାରି କାନ୍ଧ ।
ଗର୍ବ ଦମ୍ଭ ଅହଂ ଭାବେ ଭାବୁ ଥାଉ
କିଏ ବଡ଼ କିଏ ସାନ
କି ରଜା କି ପ୍ରଜା ଜ୍ଞାନ ଗୁଣେ ସଜା
ତା କୋଳେ ସବୁ ସମାନ ।
କନକ ପଲ୍ୟଙ୍କ କାମିନୀ ର ଅଙ୍କ
ରହିବନି ସବୁ ଦିନେ
ଯେ ଦିନ କୋକେଇ ଆସିବ ପାଖେଇ
ଶୋଇବୁ ମହା ଶୟନେ ।
ଦଣ୍ଡେ ନ ଦେଖିଲେ ଦାରା ତନୟ କୁ
ଯୁଗ ମଣୁ ଥିଲୁ ତୁହି
ଦାଣ୍ଡରେ ରହିବେ ସାଙ୍ଗରେ ନ ଯିବେ
ଆଦରି ନେବରେ ଯୂଇ ।
ରୁକୁଣାର ରଥ ଅଣ ଲେଉଟା ସେ
ଆଉ ତ ଫେରିବ ନାହିଁଁ
ହରାଇଲୁ କେତେ ପାଇଲୁ କେତେ
ତୁ ହିସାବ ପାଇବୁ କାହିଁ ।
ଜୀବନ ର ଦୀପ ଦିନେ ଲିଭି ଯିବ
ସରିଲେ ଆୟୁଷ ତୈଳ
ଦିନେ ନ ହେଜିଲୁ ଯାହା ହସ୍ତେ ଅଛି
ତୈଳ ଦେବା ଅଧିକାର ।
ପିଠିଆ ବଳଦ ହୋଇ ତୁ ପିଠିରେ
ଲଦିଲୁ ମଣି କାଞ୍ଚନ
ସଂସାର ହାଟରୁ ଫେରିବା ବେଳକୁ
ହାତେ ନାହିଁ ଗଣ୍ଠି ଧନ ।
ପଞ୍ଚଭୂତେ ଗଢା ଏ ମର ଶରୀର
ପଞ୍ଚଭୂତେ ହେବ ଲୀନ
ଭଲ କର୍ମ ଥିଲେ ରହିବ ଅମର
ତୋହରି ଅବର୍ତ୍ତମାନ ।
ଆତ୍ମା ଅବିନାଶୀ ନୋହିବ ବିନାଶ
ଫେରି ଯିବ ନିଜ ପୁରି
ମୁଠାଏ ପାଉଁଶ ଥିବ ଅବଶେଷ
ମଶାଣି କୋଳ ଆବୋରି ।
ଭବ ତରୁ ଡାଳେ ସେଫାଳୀ ଫୁଲ ତୁ
ଫୁଟିଛୁ ରାତିକ ପାଇଁ
ହୋଇଲେ ପ୍ରଭାତ ହେବୁ ବୃନ୍ତଚୁତ
ମହକରେ ମନ ମୋହି ।
ଦାନ ଦୟା କ୍ଷମା ପୂଣ୍ୟ ଥିଲେ ଜମା
ସେ ହେବ ପଥ ସଙ୍ଖାଳି
ପରମାତ୍ମା ପଦେ ପଶିବୁ ଶରଣ
ଦେଇ ପୂଣ୍ୟ ପୁଷ୍ପାଞ୍ଜଳୀ ।