STORYMIRROR

Sarojini Mishra

Tragedy Inspirational

3  

Sarojini Mishra

Tragedy Inspirational

ମୁଁ ଜୟନ୍ତୀ କହୁଛି

ମୁଁ ଜୟନ୍ତୀ କହୁଛି

1 min
198


ମୁଁ ଜୟନ୍ତୀ ଘର ମୋର ବାଲେଶ୍ଵର

ମୁଁ ନିପଟ ମଫସଲୀ

ମୋ ସଂସାରୁ ସାଉଁଟେ ମୁଁ

ପୁଳା ପୁଳା ଆତ୍ମଧିକ୍କାର

ଆତ୍ମଗ୍ଳାନି ମାନେ ଅକ୍ଟୋପାସ୍‌ ଭଳି

ଜାବୁଡି ଧରନ୍ତି ମୋର

ଜୀବନ ପରିଧିକୁ ।


ମୁଁ ଜୟନ୍ତୀ ଘର ମୋର ବାଲେଶ୍ଵର

ସାକ୍ଷରତା ମୋତେ ଛୁଇଁ ନାହିଁ

କିଂକର୍ତ୍ତବ୍ୟବିମୂଢ ହୋଇ

ସ୍ଵାକ୍ଷର ହୋଇଛି ।

ଆଉ 

ନିଜ ନାଁ ଦସ୍ତଖତ କରି ଆନନ୍ଦ ପାଇଛି ।


ମୁଁ ଜୟନ୍ତୀ ଘର ମୋର ବାଲେଶ୍ଵର

ସଂସାରର ବୋଝ ବୋହି 

ହାଲିଆ ହେଲେ ବି ବସିବାକୁ ମନା ।

ହେଲେ 

ମନ ମୋର ଗଦା ଗଦା ପ୍ରଶ୍ନ

ଉତ୍ତର ପଚାରିବାକୁ ବି ସାହସ ନାହିଁ

ସବୁ ପ୍ରଶ୍ନ__ ଜ୍ଵାଳା ଯନ୍ତ୍ରଣା ହୋଇ

ମନ ଅଗଣାରେ ବନ୍ଦୀ ।


ମୁଁ ଜୟନ୍ତୀ ଘର ମୋର ବାଲେଶ୍ଵର

ବୁଝେନା ମୁଁ ମହିଳା ସଶକ୍ତିକରଣ

ହେଲେ 

ରାଜନୀତିର ପଶାଖେଳେ 

ହୋଇଗଲି ଗୋଟିଟିଏ

ହୋଇଗଲି ମୋ ଗାଁର ସରପଞ୍ଚ

ହୋଇଗଲି ଅନ୍ୟମାନଙ୍କ ସିଦ୍ଧାନ୍ତର

ଛୋଟ ଗୋଟେ ରବର ଷ୍ଟାମ୍ପ

ଯେଉଁଠି ମୋ ଆତ୍ମାର ଡାକ

ମୋ ବିବେକ__ମୋ ସିଦ୍ଧାନ୍ତ ମୂଲ୍ୟହୀନ 

ମୋ ସିଦ୍ଧାନ୍ତ ବ୍ୟକ୍ତ କରୁ କରୁ

ମୁରବି ପଣିଆ ସବୁ 

ଗଳା ରୁଦ୍ଧ କରନ୍ତି --

ବାସ୍ତବତାକୁ ଅନୁଭବ କରି

ବିବେକ ର ସିଦ୍ଧାନ୍ତକୁ ଶୁଣାଇବା ପାଇଁ

ସାହାସ ଜୁଟାଉ ଜୁଟାଉ 

ମାଡ ଗାଳି ଆତ୍ମଦହନରେ

ପୋତି ହେବାକୁ ପଡ଼େ ।


ମୁଁ ଜୟନ୍ତୀ ଘର ମୋର ବାଲେଶ୍ଵର__

ମୋ ସାମ୍ନାରେ ଟିଣ ଘର 

ଛାତ ହୋଇଯାଏ

ଆଉ ମୋ ଗାଆଁର କ୍ଷେତ ମାଉସୀ

ଟିକିଏ ବର୍ଷାରେ ଏପିଣ୍ଡା ସେ ପିଣ୍ଡା ହୁଏ 

ମୋ ବିବେକ ର ଧିକ୍କାର ରେ ଉବୁ ଟୁବୁ ହେଉ ହେଉ

ମହିଳା ସଶକ୍ତି କରଣର ଧ୍ଵଜାଟା 

କାହିଁ କେତେ ଦୂରେ ପଡି ରହେ 

ଆଉ 

ମହିଳା ସଶକ୍ତି କରଣ ର ଅର୍ଥ ବୁଝୁ ବୁଝୁ

ଅନେକ ଡେରି ହୋଇଯାଏ ।


ସମୟ ସ୍ରୋତରେ ଭାସି ଯାଉ ଯାଉ

ବିବେକର ତାଡନାରେ 

ସୁର ତୋଳି କହେ

ଗୃହ ହୀନ କ୍ଷେତ ମାଉସୀର କଥା

କ୍ଷେତ ମାଉସୀକୁ ନ୍ୟାୟ ଦେବାକୁ ଯାଇ

ଖାଏ ମାଡ ଗାଳି

ହେଲେ-----

ମୁଁ ରହେ ଜିଦ୍‌ରେ ଅଟଳ

କେଉଁ ଏକ ଆନ୍ତରିଣ ଶକ୍ତିରେ

ମୁଁ ରୁହେ ଅଟଳ ।


ଦୀର୍ଘ ପାଞ୍ଚବର୍ଷର ଆତ୍ମଦହନରୁ

ଟିକିଏ ଆଶ୍ୱସ୍ତି ମିଳେ

କ୍ଷେତ ମାଉସୀର ଘରଟି ଦେଖି ।


ମୁଁ ଜୟନ୍ତୀ ଘର ମୋର ବାଲେଶ୍ଵର

ପଚାରୁଛି ପ୍ରଶ୍ନ___

ଏହା କଣ ମହିଳା ସଶକ୍ତି କରଣ ?

ୟାକୁ କଣ କହନ୍ତି ରାଜନୀତି ? 

ଏମିତି କେତେ ସବୁ ଅସମାହିତ

ପ୍ରଶ୍ନର ଉତ୍ତର କିଏ ଦେବ ?

କିଏ ବା କରିବ ଏହାର ଉପଚାର ?

ଏ ଘଟଣା__

ହାଣ୍ଡିଏ ଭାତରେ ଗୋଟିଏ ଚିପି

ଜାଣିଲା ପରି__

କିଏ ଅନୁଭବ କରିବ 

ଜୟନ୍ତୀ ମାନଙ୍କର ଆତ୍ମବେଦନା

କିଏ କରିବ ୟା' ର ସମାଧାନ

ମୁଁ ତୁମେ ଆମେ

ନା ରାଜନୀତି----????

     



Rate this content
Log in

Similar oriya poem from Tragedy