ଧର୍ମ କାନ୍ଦୁଛି
ଧର୍ମ କାନ୍ଦୁଛି


ଘୋର କଳିକାଳ ସ୍ଥିତି ଅସମ୍ଭାଳ ଧର୍ମ ଡାକେ ତ୍ରାହି ତ୍ରାହି
ହଳାହଳ ଵିଷ ଚଢ଼ିଛି ମସ୍ତିଷ୍କ ସ୍ୱାର୍ଥରେ ଜଗତ ବାଇ ।
ମଣିଷ ପଣିଆ ଆଜି ନିପାଣିଆ ସତ୍ୟ ଶାନ୍ତି ବାଟବଣା
ଭାବନ୍ତି ନିଜକୁ ଅତି ସିଆଣିଅ ଆଖି ଥାଉ ଦିନକଣା ।
ରକତକୁ ଚିହ୍ନି ପାରୁନି ମଣିଷ ନିଜ ଲୋକ ସାତ ପର
ନାରୀ ବଶା ନର କାମୂକ କିଙ୍କର ଲୋଭ ହିଂସା ଗୁରୁତର ।
ମାତା ପିତା ଭ୍ରାତା ସେନେହ ମମତା ଭୁଲିଯାଏ କୁଳାଙ୍ଗାର
ଯେତେ ଘୋଡ଼ାମୁହାଁ ମଦୁଆ ବାଦୁଆ କୁଳବୁଡ଼ା କାରବାର ।
ପୁଅ ବୋହୂ ନାତି ନାତୁଣୀ ରହନ୍ତି ଆନନ୍ଦେ ଘର ଭିତରେ
ମାତା ଗର୍ଭଧାରୀ ପିଣ୍ଢାରେ ପଡ଼ିଛି ଆହା କେଡ଼େ ହତାଦରେ ।
ରାତି ଯାଏ ବଢ଼ି ଥଣ୍ଡା ଆସେ ମାଡ଼ି ଛିଣ୍ଡା ଅଖା ଘୋଡ଼ିହୋଇ
ଜାକି ଜୁକି ହୋଇ କହୁଣୀ କୁଣ୍ଢେଇ ବିଚରାଟି ଗଲା ଶୋଇ ।
ଏତିକି ବେଳରେ ଅଦିନିଆ ମେଘ କୁଆଡୁ ଆସିଲା ମାଡ଼ି
ଆଲୁଅ କଟିଲା ଅନ୍ଧାର ଘୋଟିଲା ବିଜୁଳିକୁ ଘଡ଼ଘଡ଼ି ।
ବରଷା କଚଡ଼ା ମାରିଲା ଛିଞ୍ଚଡା ଘୁଷୁରି ଘୁଷୁରି ଯାଇ
କବାଟ ବାଡେଇ ଯେତେ ସେ ଡାକିଲା ଜଣେ କେ ଶୁଣିଲା ନାହିଁ ।
ପୁଅକୁ ବୋହୂକୁ ନାତି ନାତୁଣୀଙ୍କୁ ବାର ବାର ଡାକୁଥାଏ
ମରିଯିବି ବାପା କବାଟ ଖୋଲ ମୁଁ ଭିତରକୁ ଟିକେ ଯାଏ ।
ଭିତରେ ଟୁପୁରୁ ଟାପର ଶୁଭୁଛି ଅହୋ କେଡ଼େ ନିଦାରୁଣ
ଚେଇଁ ଶୁଏ ଯିଏ ଉଠାଇବ କିଏ ଶୁଝୁଚି ମାଆର ଋଣ!! ।
ଓଦା ସରସର ଦେହ ଥର ଥର ଶୋଇବାକୁ ନାହିଁ ଠାଆ
ଗଳେ ଗଳଗଳ ମଥାନରୁ ଜଳ ବହୁଛି କାଲୁଆ ବାଆ ।
ଗାଆଁ ଦାଣ୍ଡେ ପାଣି ସୁଅ ଛୁଟିଲାଣି ବୁଢ଼ୀକୁ ଲାଗେ ଛାନିଆ
ଉଠିବାକୁ ବଳ ନାହିଁଟି ଦେହର ଆଶା ବାଡ଼ିଟି ନପାଇ
ଅସହାୟେ ବୁଢ଼ୀ ଉଠୁ ବାଡ଼ ଧରି ଦାଣ୍ଡରେ ପଡ଼ିଲା ଯାଇ ।
ତଳେ ପାଣି ସୁଅ ଚିକିଟା କାଦୁଅ ଉପରେ ବରଷା ଧାର
କୁନ୍ଥେଇ କୁନ୍ଥେଇ କାନ୍ଦେ କଇଁ କଇଁ ସାହା କୃପା ଅକୂପାର ।
ପଡ଼ିଶା ଘରର ମାଆଟିଏ ଦେଖି ବୁଢୀକୁ ଉଠାଇ ନେଲା
ଲୁଗା ପାଲଟାଇ ଘଷିକୁ ଜଳାଇ ବହେ ସେକା ସେକି କଲା ।
ରାତି ପାହିଗଲା ସୂରୁଜ ଉଇଁଲା ପୁଅ ଦେଖେ ମାଆ ନାହିଁ
ବୋହୂକୁ ଡାକିଲା ଦେଖ କେଣେ ଗଲା, କା'ଘରକୁ ଥିବ ଯାଇ ।
ପଡୋଶୀ ଘରରେ ଜନନୀକୁ ଦେଖି ବରଷିଲା କଟୁ କଥା
ଆଉ ମୋ ଘରକୁ ନେବିନାହିଁ ତୋତେ ନୀଚ କଲୁ ମୋର ମଥା ।
ସକଳ ବୃତ୍ତାନ୍ତ ଶୁଣି ରଘୁନାଥ ଓଲଟି ରାଗରେ ଜଳି
ପଡୋଶୀକୁ ଗାଳି ଦେଇ କରେ କଳି ଧରମ ପଡ଼ିଲା ବଳି ।
ପଡୋଶୀ ବିଚରା ବୁଲି ଗାଆଁ ସାରା ଭଦ୍ରଲୋକ ଡକାଇଲା
ଗ୍ରାମ ସଭା ହେଲା ରଘୁଆ ଆସିଲା ସବୁ ଦୋଷ ମାନିଗଲା ।
ପଡୋଶୀକୁ କ୍ଷମା ମାଗିଲା ଅଧମା ମାଆକୁ ମୁଣ୍ଡିଆ ମାରି
ଆପଣାର ଘରେ ରଖିଲା ଯତ୍ନରେ ସଭିଙ୍କୁ ହୋଇ ଜୁହାରୀ ।
ପିତା ମାତା ଦ୍ରୋହ ଭ୍ରାତାରେ କଳହ ଡାକି ଆଣେ ଅଧୋଗତି
ଧର୍ମ ଚିରନ୍ତନ ନିଗମ ବଚନ, ପିତୃ ମାତୃ ଭକ୍ତି ଶକ୍ତି ।