ମୋ ହାତ ମୁଠାର ଅବିର ବାକି
ମୋ ହାତ ମୁଠାର ଅବିର ବାକି
ଫଗୁଣର ଫଗୁ ଉଡୁଛି ଆକାଶେ
ମୋ ହାତ ମୁଠାର ଅବିର ବାକି
ଫେରିବନି ତୁମେ ଅଫେରା ରାଇଜୁ
ତଥାପି ଖୋଜୁଛି ଅବୁଝା ଆଖି।।
ଲାଗୁଛି ଏମିତି ସତେ କି ଯେମିତି
ପଛରୁ କୋଳେଇ ଧରିବ ମୋତେ
ଛଡେଇ ଯିବାକୁ ଜିଦି କରୁଥିବି
ବଢ଼େଇ ବାହୁରେ ଘେରିବ ସତେ
ରଙ୍ଗ ଲଗା ତୁମ ଆଙ୍ଗୁଳିରେ ଛୁଇଁ
ପ୍ରୀତି ଗୀତିକଥା ଯିବ କି ଲେଖି।।
ତୁମ ରଙ୍ଗେ ରଙ୍ଗି ଅଙ୍ଗେ ଅଙ୍ଗେ ଭିଜି
ହଜି ଯାଉଥିବ ଚେତନା ଯେବେ
ତୁମ ଅଙ୍ଗ ଛୁଆଁ କୁହୁକ କିମିଆ
ଘାରି ଯାଉଥିବ ମରମେ କେବେ
ଆବେଗ ବତୁରା ଆତୁର ନିଃଶ୍ବାସ
ଭିଜା ଭିଜା ଅଙ୍ଗେ ଯିବ କି ଲାଖି।।
ଚେଇଁ ଚେଇଁ ଯାହା ଦେଖୁଛି ନିଜେ ମୁଁ
କଳ୍ପନା ନୁହେଁ କି ସପନ ନୁହେଁ
ଅନୁଭବ ଯେବେ ଅଭାବ ପାଲଟେ
ଅପାଶୋରା ହୋଇ ମରମ ଦହେ
ସ୍ମୃତି ମଲା ଜହ୍ନ ଜୋଛନା ମଳିନ
ଆଶ୍ୱାସନା ଭାଷା ଯାଏ ଗୋ ଲେଖି।
ମୋ ହାତ ମୁଠାର ଅବିର ବାକି ।।
