STORYMIRROR

Dr Baman Chandra Dixit

Abstract Classics

4  

Dr Baman Chandra Dixit

Abstract Classics

ଆସନା ତୁମେ ଆଉ

ଆସନା ତୁମେ ଆଉ

1 min
1

ହେ ସ୍ୱପ୍ନ ! ଆସନା ତୁମେ ଆଉ
ରାତ୍ରିର ଅନ୍ତିମ ପ୍ରହରରେ
ରୋମାଂଚିତ କରନାହିଁ
ସଙ୍କୁଚିତ ଜୀବନକୁ ମୋର
ପଡିଛି ପଡ଼ିଥାଉ
ଅଫୁଲା ବେଳୁନ ପରି
ଉଡିବାର ଆଶାବାୟୁ ଫୁଙ୍କନାହିଁ ତହିଁ ।
ବହୁଛିଦ୍ରା କାୟା ତା'ର ତୁମେ କି ନଜାଣ ?
ମୁଁ ଜାଣେ , କିନ୍ତୁ ଜଣାଏନା ନିଜକୁ
ଭାବେ ରାତି ତ ଅଛି , ନିଦ ବି ଅଛି ।
ଶୋଇବାକୁ ଚେଷ୍ଟା କରେ
ଆଖିପତା ଜାକିଜୁକି
ନିଦ ନଆସିଲେ ବି ।
ହେ ସ୍ୱପ୍ନ! ଗହଳ ନିଦରେ
ତୁମେ ଆସନାହିଁ ଜାଣି
ଚାଦରରେ ମୁହଁକୁ ଢାଙ୍କିଛି
ଶୋଇବାର ଅଭିନୟ ଯାହା
କେହି କିଛି ବୁଝିନପାରୁ ବୋଲି ।
ତୁମେ କିନ୍ତୁ ବୁଝିପାର ,
ତେଣୁ ପସିଆସ ଧସେଇ ପସେଇ
 ଢଙ୍କା ଚାଦର ଏଡ଼େଇ
ମେଞ୍ଚେ ମରୀଚିକା ନେଇ ।
ତୁମେ ତ ରଙ୍ଗୀନ ସବୁବେଳେ
ଚମକିଲୀ ପ୍ରଜାପତି ପରି ,
ପ୍ରିୟା ପରି ଅବା ବହୁରଙ୍ଗୀ କେଉଁ
ଅମରାବତୀର ପାରିଜାତ ପରି ।
ପ୍ରୀତିପୟଧରା ଅଧରର
ଲାସ୍ୟ ମଧୁରୀମା
ଅବା କେଉଁ କମ୍ପିତ ଅଧରାର
ଗଣ୍ଡମଣ୍ଡଳରେ ଲାଜର ଳାଳୀମା ପରି।
ହେଲେ ମୋର ଶ୍ରାନ୍ତ ଜୀବନର
କ୍ଳାନ୍ତ ତିକ୍ତ ବର୍ଣାଳୀରେ ହେବନି ଶୋଭିତ ।
ଯଦି ଆସ , ଆସ ଦିବାଲୋକେ
ମୋ କର୍ମରେ , ଧର୍ମରେ , ସଂଘର୍ଷରେ ,
ଆହୁତିରେ , ପ୍ରକୃତିରେ ,ପ୍ରତିଶ୍ରୁତି ଏବଂ ପ୍ରସ୍ତୁତିରେ । ତୁମେ ତ ସେମିତି ନୁହଁ ,
ଯେମିତି ଜୀବନ ମୋର ଅବା ଜୀବନୀ ମୋ'ର ।
ତେଣୁ ହେ ସ୍ୱପ୍ନ ! ଆସନା ତୁମେ ଆଉ
ମଖମଲୀ ମୃଗତୃଷ୍ନା ନେଇ ।
ଅଳ୍ପ ଟିକେ ବିଶ୍ରାମକୁ ମୋର
ବୃଥା ଆଶା ଆସ୍ଵାଦ ଚଖେଇ ।। **^**^**^**^**^**^**^**^  


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract