STORYMIRROR

Balaram Sethi

Abstract

3  

Balaram Sethi

Abstract

ଦଇବ ତ ଦୁଃଖ ଦେଲା

ଦଇବ ତ ଦୁଃଖ ଦେଲା

1 min
282

  ଆଠ ବରଷର  ପିଲାଟିଏ କୁନା

  ନିତି ବୁଲି ଶୋଲା ବିକେ

  ଦେହରେ ତାହାର ଚିରା ପ୍ୟାଣ୍ଟ୍ ସାର୍ଟ

  ଛିଣ୍ଡା ଝୁଲା ଧରି ହାତେ ।।


  ବିନା ତେଲେ ମୁଣ୍ଡ କେଶ ଫର ଫର

  ଶୋଲା ନିଅ ବାବୁ ଶୋଲା

  ଡାକ ଛାଡ଼ି ବିକେ ଦି...ପଇସା ପାଏ

  ଏ ବୟସେ ଛୋଟ ପିଲା ।।


  ଶିକ୍ଷା ନିର୍ଦ୍ଦେଶକ ମଟର ଗାଡ଼ିରେ

  ଯିବା ବାଟେ ଦେଖୁ ଦେଖୁ

  ପଚାରିଲେ ବାବୁ ପାଠ ପଢା ଛାଡ଼ି

  ଶୋଲା କାହିଁ ପାଇଁ ବିକୁ ।।


  ନମସ୍କାର ହୋଇ କୁନା କାନ୍ଦି କହେ

  ଦଇବ ତ ଦୁଃଖ ଦେଲା

  ତୃତୀୟ ଶ୍ରେଣୀରେ ପଢ଼ୁ ଥିବା ବେଳେ

  ମୋ ବାପାଙ୍କୁ ଜ୍ୱର ହେଲା ।।


  ଗୋଡ ହାତ ଫୁଲି ମୋଟା ହୋଇଗଲା

  ଦେଖାଇଲୁ ଡ଼ାକତର

  ପଇସା ଅଭାବୁ କିଣି ପାରିଲୁନି

  ଔଷଧ ଟିକେ ବାପାର ।।


  ଖାଇବାକୁ ଗଣ୍ଡେ ଦେବାକୁ ମୋ ମାଆ

  ପର ଘରେ କାମ କଲା

  ଘର ଲିପା ପୋଛା ବାସନ ମଜାରେ

  ମାଆ ହାତେ ଘାଆ ହେଲା ।।


  ବହୁ ଦୁଃଖ କଷ୍ଟ ମୋ ମାଆ ସହିଲା

  ମାଆ ହାତେ ପାଣି କନ୍ଦା

  ଘାଆ ହାତ ଦେଖି ଘୃଣା କଲେ ଲୋକ

  ମିଳିଲାନି କାମ ଧନ୍ଦା ।।


  ପାଇଲୁନି ଆମେ ଖାଦ୍ୟ କି ଔଷଧ

  ଭୋକରୁ ଯନ୍ତ୍ରଣା ବଳି

  ଏଥିପାଇଁ ବାବୁ ପାଠ ପଢା ଛାଡ଼ି

  ଵିକୁଅଛି ଶୋଲା ବୁଲି ।।


  କୁନା କଥା ଶୁଣି ଶିକ୍ଷା ନିର୍ଦ୍ଦେଶକ

  ଗାଁକୁ ସାଙ୍ଗରେ ନେଲେ

  ବାପା ଓ ମାଆକୁ ଡାକ୍ତର ଦେଖାଇ

  ଜ୍ୱର ପରୀକ୍ଷା କରିଲେ ।।


  ଡାକ୍ତରଙ୍କର  ପରାମର୍ଶ କ୍ରମେ

  ମାଆଙ୍କୁ ଔଷଧ ଦେଲେ

  ବିଦ୍ୟାଳୟେ କୁନା ନାମ ଲେଖାଇଲେ

  ବହି ଖାତା କିଣି ଦେଲେ ।।


  କୁନା ପରି ପିଲା  ପଢିବାକୁ ପାଠ

  ସର୍ବଶିକ୍ଷା କେନ୍ଦ୍ର ଖୋଲେ

  ବହୁ ପିଲା ଆଜି ପାଠ ପଢିବାକୁ

  ଶିକ୍ଷା କେନ୍ଦ୍ରେ ମୁହାଁଇଲେ ।।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract