ଦୁଃ... ସ୍ୱପ୍ନ ମୋ ଅତୀତର
ଦୁଃ... ସ୍ୱପ୍ନ ମୋ ଅତୀତର
ଶୁଣ ରେ ପିଲାଏ ମନ ଦେଇ ଶୁଣ
ଛବି ବହି ପଢ଼ି ଯାଣ
ଓଡ଼ିଶା ମୂଲକେ ଥିଲା ମୋର ନାଆଁ
କିଏ କରିଲା ହରଣ ।
ପିଲା ମାନେ ଛବି ବହି ପଢ଼ୁ ଥିଲେ
ଚାଲ ଯିବା ଚାନ୍ଦବାଲି
ଚାନ୍ଦବାଲି ମୁଁ ଯେ ଛୋଟିଆ ବନ୍ଦର
ଅତି ସୁନ୍ଦର ମୁଁ ଥିଲି ।
ଓଡ଼ିଶା ମୂଲକେ ଥିଲା ମୋର ନାଆଁ
ଭୂଲି ଗଲା ଏ ଦୁନିଆଁ
ଚାନ୍ଦବାଲି ଚାନ୍ଦ ପରି ହସୁ ଥିଲି
ସୁନ୍ଦୁରିଆ ମୋର ନାଆଁ ।
ଅତୀତ ରେ କେତେ ଘଟଣା ଘଟିଲା
ମୋ କୋଳୁ କିଏ ହାରିଲା
ସାତ ସମୁଦ୍ର ର ତେର ନଈ ପାରେ
ବଣିଜ ବେପାର ଗଲା ।
ଭେଳା ଭେଳା କେତେ ଜାହାଜ ଆସଇ
ଦରିଆ ଆର ପାରି ରୁ
ବମ୍ବେ ଦିଲ୍ଲୀ ପୁଣି କଲିକତା ଠାରୁ
ଆସି ଦେଶ ବିଦେଶ ରୁ ।
ମାଳ ମାଳ ନାଆ ନଉକା ଲଗାଇ
ବଣିଜ ବେପାର ପାଇଁ
ସେ ବେଳର କଥା ମଣିଷ ପଶୋରେ
ମୋ କୋଳୁ ଗଲା ଉଭେଇ ।
ବ୍ରିଟିଶ୍ ଅମଳେ ମୋ ସଂକେତ ମାନ
ପଡ଼ି ହୁଏ ଅର୍ଦ୍ଧ ଭଗ୍ନ
ପ୍ରଥମ ରେ ଥିଲି ମୁଁ ଏଠି ବିଖ୍ୟାତ
ନାହିଁ ଆଉ ଚିହ୍ନ ବର୍ଣ୍ଣ ।
କେନ୍ଦ୍ରାପଡ଼ା ଜିଲ୍ଲା ସେ ରାଜ ନଗର
ଜଙ୍ଗଲ ରେ ପରିପୂର୍ଣ
ନଦୀ ନାଳ ଘେରା ସେ ହେନ୍ତାଳ ବଣ
ଅଟେ ଅଭୟା ଅରଣ୍ୟ ।
ମାନ୍ୟତା ପାଇଲା ଜାତୀୟ ଉଦ୍ୟାନ
ଭିତର କନିକା ଜାଣ
ଗହୀର ମଥା କୁ ଆସନ୍ତି କଇଁଛ
ଫେରାଅ ମୋ କୀର୍ତ୍ତି ମାନ ।
ବୈତରଣୀ କୂଳେ ମୁହିଁ ବିଦ୍ୟ ମାନ
ଥିଲା ମୋହରି ସମ୍ମାନ
ଭିତର କନିକା ଅଭୟା ଅରଣ୍ୟ
ମୋ ଠୁଁ ଯାଏ ପର୍ଯ୍ୟଟନ ।
ଅତୀତ ରେ ଥିଲି ମୁଁ ଭାରି ସୁନ୍ଦର
ଗୋଟିଏ ଛୋଟ ବନ୍ଦର
ଫେରାଇ ଦିଅ ମୋ ପୂର୍ବ ଗଉରବ
କହିବି କାହା ଆଗର ।