ସାହିତ୍ୟିକ ଠାରୁ ଚାହେଁ ମାନବ ଜାତି
ସାହିତ୍ୟିକ ଠାରୁ ଚାହେଁ ମାନବ ଜାତି
କାଲି କାହିଁକି, ରାତି ଅଧରେ ଚାହିଁଲି ଆକାଶକୁ
ନେତ୍ରରେ ପାଇଲି ସୁନ୍ଦର ଅଗଣିତ ତାରା ମାନଙ୍କୁ |୧|
ପଚାରିଲି ତାଙ୍କୁ ମଣିଷ ଜୀବନ ଦର୍ଶନର ଧାରା
ପାଇଲି ଉତ୍ତର ମାନବ ହୋଇ ବୁଝି ନାହିଁ ପରା |୨|
ଅସ୍ଥି-ଚର୍ମ-ମେଦର ଏ ଶରୀର ଏକ କ୍ଷଣ ଭଙ୍ଗୁର
କାଳର କବଳେ ହୁଏ ବିବର୍ତ୍ତିତ ରୁପ ଆକାର ତାର |୩|
ଯେତେ ଦିନ ପ୍ରାଣ ଅଛି ଆମେ ଚାଲିବା ଅବିରତ
ଏଇ ଜୀବନ, ଦିନେ ଜଳିବାକୁ ହେବ, କଥା ସତ |୪|
ଆମେ ସମସ୍ତେ ସୃଷ୍ଟି ଓ କାଳର କବଳେ ଅଧିନ
ଯାବତ ସୁଖର ପରଶ ଓ ଧନ କ୍ଷଣିକରେ ବିଲୀନ |୫|
ଦିନେ ଜଳିବାକୁ ହେବ, ଏ ଅଶାର ପ୍ରଦୀପ ନେଇ
ସମୟ ସ୍ରୋତରେ ଆମକୁ ତ ନେଇ ଯିବ ଧୋଇ |୬|
ଆଗକୁ ଆଗକୁ ଚାଲିଛି ଏ ଜୀବନ ନୌକାରେ
ମାନବ ହୋଇଛି, କିନ୍ତୁ ଚାଲେ ବିପରୀତ ଦିଶାରେ |୭|
ତୁଟି ଯିବ ମୋହ କାୟାକୁ ଛାଡି ଚାଲିଗଲେ ଜୀବ
ମରଣ ହେଲେ ଏ ଦେହ ତ ମାଟିରେ ମିଶିଣ ଯିବ |୮|
ଛୋଟ ପିଲାଙ୍କ ପରିକା ହୃଦୟଟିଏ ଥାଏ ଯାହାର
ସେ ମନୁଷ୍ୟ ସଦାବେଳେ ଅନୁଗାମୀ ହୁଏ ଆଦର୍ଶର |୯|
ଲୋଭ ଆଳସ୍ୟରେ ଆସକ୍ତ ହୁଏ ନାହିଁ କେବେ
ବହୁ ପ୍ରତିଭାର ଅଧିକାରୀ, କିନ୍ତୁ ନଚାଲେ ଗର୍ବେ |୧୦|
ମାନ ଓ ସନମାନ ତୁଛା, ଅଲୋଡା ହୁଏ ତାହାର
ନିଜ ନିହିତ ସ୍ୱାର୍ଥ ଠାରୁ ରହେ କୋଶ କୋଶ ଦୂର |୧୧|
ସରବ ଗୁଣ ଓ ଚରିତ୍ର ଅଛି ଗର୍ବ ରଖେନି ମନରେ
ଖାଲି ମୁରୁକି ହସାଟିଏ ମାରି ଚଳଇ ହସ ଖୁସିରେ |୧୨|
ରେ ମାନବ, ଆଖିରେ କୁଢ଼ କୁଢ଼ ସ୍ୱପ୍ନ ଆଉ ସ୍ୱପ୍ନ
କାହିଁକି ଭୁଲ ଜାଣି ଏଇ ତ ଯୌବନ ଆଉ ଜୀବନ |୧୩|
ମନ ଆକାଶରୁ ସତ୍ୟ, ଭକ୍ତି ଓ ପ୍ରେମଭାବ ଭୁଲିଲେ
ନିଜେ ନିଜ ସମୟକୁ କଷ୍ଟେ ଅତିବାହିତ କରିବ ଭଲେ |୧୪|
ଯେବେ ହରାଇ ଥାଏ ଆମ ବିବେକ ଓ ମାନବିକତା
ମଣିଷ କହୁ, କିନ୍ତୁ ହରାଇ ଥାଉ ମଣିଷତ୍ୱର ସତ୍ତl |୧୫|
କଳ ବଳ କୌଶଳ ଶିଖିଛୁ ଭୌତିକ ସମ୍ପତ୍ତି ପାଇଁ
ଖୁସିର ବର୍ଣ୍ଣମାଳା ହଜିଯିବ ଗର୍ବ ଅହଙ୍କାର କିପାଇଁ |୧୬|
ମାଆର ଜଠରରୁ ଆସି ଝିଅ ବୋହୁଙ୍କ ଇଜତ ଲୁଟୁଛୁ
ଡାକ୍ତର, ମିଛେ ଗର୍ଭ ସୁସ୍ଥତା ପାଇଁ ଗର୍ଭପାତ କରାଉଛୁ |୧୭|
ସମାଜେ ଆତଙ୍କ କରି ସଜାଉଛୁ ହତାଶା ଦୁର୍ଦ୍ଦଶା
ତୋ ଯୋଗୁ ମାନବ ଧର୍ମ ଲଭିଛି ବିପରୀତ ଦିଶା |୧୮|
ମଣିଷ ଉପରେ ବିଶ୍ୱାସ ତେଣୁ ରହିବ ନାହିଁ
ଏହାକୁ ମନେ ରଖିବ ସାହିତ୍ୟିକ ଭଉଣୀ ଭାଇ |୧୯|
ଚାହେଁ, ସାହିତ୍ୟିକ ଠାରୁ ଏଇ ମାନବ ଜାତି
ମାଟି ମଣିଷ ମଧ୍ୟେ ସଂଚାରି ଦେବାକୁ ଜାଗୃତି |୨୦|
ଆହେ କବିକୁଳ, ଚଳାଅ ତୁମ ଲେଖନୀ ଶକତିକୁ
ଜୀବନ୍ଯାସ ଦିଅ ମାଟି ମଣିଷର କାହାଣୀ ବ୍ଯଥାକୁ |୨୧|
ସବୁଠାରୁ ନିଆରା ସରସ ସୁନ୍ଦର ଲେଖନୀରେ
ଜୀବନ୍ଯାସ ଦିଅ ଖଟିଖିଆ ଶ୍ରମ ଶୋଷଣର ବାରେ |୨୨|
ସରଳ ଓଡିଆ ଭାଷା ଓ ଛନ୍ଦମୟ ମାଧ୍ୟମରେ
ସ୍ବାଭିମାନ କଥା ଭରି ଦିଅ ଶ୍ରମିକ ଭାଇର ମନରେ |୨୩|
ମଣିଷ ଜାତି ଡାକେ ହେ କବିକୁଳ ତୁମ କଲମ ମୁନରେ
ହୃତ ମାନବିକତା ଫେରାଇ ଆଣ, ତୁମ ବୀଣାର ଝଙ୍କାରେ |୨୪|