ସତ୍ୟ ବଚନ
ସତ୍ୟ ବଚନ


ମଣିଷ ଜୀବନ ପାଣିରେ ଫୋଟକା
କେତେବେଳେ ଲିଭିଯିବ
କାହିଁ ପାଇଁ ଏତେ ମାନ ଅଭିମାନ
କ୍ରୋଧ ଘୃଣା ଆଉ ଗର୍ବ l
କି ନେଇ ଆସିଛୁ କି ନେଇ ଯିବୁତୁ
ମିଛ ମାୟାର ସଂସାର
ସର୍ବେ ଆମେ ପରା ଅଭିନୟ ସାରି
ବାହୁଡ଼ିବା ନିଜ ଘର l
ପାଣିରେ ଯେପରି ଫୋଟକା ଟିଏ ତୁ
ଜୀବନ ନିର୍ଦ୍ଧିଷ୍ଟ କାହିଁ
ଯେତିକି ସମୟ ବଞ୍ଚିଛୁ ତୁହି ରେ
ହସି ଖେଳି ଯା ଜିଇଁ l
ଲୁହକୁ ପୋଛିତୁ ହସି ଦେ ଥରେ
ଦୁଃଖ ସବୁ ଘୁଂଚିଯିବ
ପରକୁ ଆପଣା କରି ଚାଲୁଥିଲେ
ବାଟ ପୁଣି କଟିଯିବ l
ପାଇବା ର ଆଶା ଯେତିକି ରଖୁତୁ
ତ୍ୟାଗ ରେ ମନ ତୁ ବଳା
ପାଇବା ଖୁସି ଠୁ ଦେବାର ଆନନ୍ଦ
ବୁଝିଯିବୁ ତୁ ରେ ବାଳା l
(ମୋର) ମୋର କହି ଯେତେ ଧନ୍ଦି ହେଲେ
କିଛି ବି ନୁହେଁ ତୋହର
ଅଭିନୟ ପାଇଁ ରଙ୍ଗମଞ୍ଚେ ଛିଡା
ଚରିତ୍ର ତୋର ନିଜର l
ଉତ୍ଥାନ ପତ୍ତନ ଜୀବନରେ ଆସେ
ଡରିଯାଆ ନାହିଁ ତୁହି
ବୀର ଦର୍ପ ପଣେ ଆଗକୁ ମାଡିଯା
ପଛକୁ ତୁ ଚାହାଁ ନାହିଁ l
ହାରିଯିବୁ ଯଦି ହାର ମାନିବୁନି
ପୁଣି ହସି ଛିଡା ହେବୁ
ପରିଶ୍ରମ କରି ଆଗକୁ ଚଳିଲେ
ସଫଳ ନିଶ୍ଚୟ ହେବୁ l
କେ କଣ କହିଲା ଭୁଲିଯା ରେ ଧନ
କ୍ଷମା ତାକୁ ଦେ କରି
ମଣିଷ ମାତ୍ରକେ ଭୁଲ ହେବା ସାର
ସବୁକୁ ଦେ ଆଡ କରି l
ଦୁଃଖ ହେଉ ଅବା ସୁଖ ର ଅବଧି
ଅତିହିଁ କ୍ଷୀଣ ଅଟଇ
ଦୁଃଖରେ କାତର ନ ହୁଅ ରେ ତୁହି
ସୁଖ ରେ ନ ହ ତୁ ବାଇ l
ଆତ୍ମା ଶୁଦ୍ଧି ତୁହି ବେଳହୁଁ କରିନେ
ପଛକୁ ନଥିବ ବେଳ
ସମୟ ଆକାଶେ ଉଡୁଅଛି ଦେଖ
ଛଞ୍ଚାଣ ରୂପୀ ସେ କାଳ l
ସତ୍ୟ ଏ ବଚନ ନିଶ୍ଚେ ହେଜ ରଖ
ଜୀବନେ ଉନ୍ନତି ପାଇଁ
ଉପରୋକ୍ତ କଥା ମାନି ଚଳୁଥିଲେ
ଦୁଃଖ ଯିବ ଦୂର ହୋଇ l
ଦେବକୀ ବେହେରା