ମାଟି ମାଆ
ମାଟି ମାଆ
ମାଟିରୁ ଆରମ୍ଭ ମାଟିରେ ଶେଷ
ସେ ନଥିଲେ ସର୍ବେ ହେବେ ବିନାଶ l
ଘର ତୋଳୁ ଆମେ ମାଟି ଉପରେ
ଚାଲୁ ପୁଣି ଆମେ ଏଇ ମାଟିରେ l
ମାଟି ନଥିଲେ ନଥାଆନ୍ତା ଗଛ
କି କରନ୍ତୁ କେବେ ଚିନ୍ତା କରିଛ l
ମାଟି ପାଇଁ କ୍ଷେତେ ସୁନା ଫଳେଟି
ଖାଦ୍ୟ ଖାଇ ସର୍ବେ ବଡ଼ ହେଊଟି l
ଉତ୍ପାଦନ ଶକ୍ତି ତା ପାଖେ ଅଛି
ଗଛ ଲତା ତାର ପାଇଁ ବଞ୍ଚିଛି l
ଗଛ ଅଛି ବୋଲି ନେଉ ନିଃଶ୍ୱାସ
ମାଟିର ଅଟେ ଏ କାର୍ଯ୍ୟ ବିଶେଷ l
ଚାଲୁ ବୁଲୁ ଆମେ କୋଳେ ତାହାରି
ନାଚୁ ଖେଳୁ ଆମେ ମାଟି ଉପରି l
ମାଟି ଦେଇ ବୋହି ଯାଏ ନଦୀଟି
ଜୀବଜଗତକୁ ପୁଣି ଜଳ ବାଣ୍ଟେଟି l
ଜନ୍ମ ହୋଇ ଯେବେ ଆଣ୍ଠେଇ ଥାଉ
ମାଟି ପରେ କେତେ ଧୂଳି ଯେ ହେଉ l
ପିଲାଦିନେ ରାନ୍ଧୁ ଭାତ ତିଅଣ
ମାଟିରେ ଗଢୁ ଯେ କେତେ କଅଣ l
ସଢ଼େଇରେ ଦେଇ କାଦୁଅ ମାଟି
ମିଛରେ ରାନ୍ଧିକି ଖାଇ ଥାଉଟି l
ବେଳେ ବେଳେ ପୁଣି କେତେକ ପିଲା
ଖାଉଥାନ୍ତି ମାଟି ପୁଳାକୁ ପୁଳା l
କଂହ୍ନେଇର ମାଟି ଖିଆ ବିଖ୍ୟାତ
ଜଗିଥାନ୍ତି ତେଣୁ ତାତ ଓ ମାତ l<
/strong>
ଖରାଦିନେ ଦାଣ୍ଡୁ ବୁଲି ଆସିଲେ
ଥଣ୍ଡା ପାଣି ଟିକେ ଦର୍କାର ହେଲେ l
ଧନୀ ଘରେ ସିନା ଫ୍ରିଜଟି ଅଛି
ଥଣ୍ଡା ପାଣି ତେଣୁ ସେହୁ ପିଉଛି l
ଗରୀବର ଆଶା ମାଠିଆ ପାଣି
ପିଇବାକୁ ହିତ ମନକୁ ଜାଣି l
ମାଟିର କଣ୍ଢେଇ କି ମନୋହର
କିଣି ନିଏ ମନ ସବୁରିଙ୍କର l
ମାଟିର କୁଡ଼ିଆ କେଡେ ସୁନ୍ଦର
ଖରାଦିନ ଲାଗେ ସରଗ ପୁର l
ବରଷାରେ ମାଟି ଓଦା ହୋଇଲେ
ଭିଜା ମାଟି ବାସ୍ନା ଚହଟେ ହେଳେ l
ଜୀବଜଗତ ରେ ଯେତେ ଜୀବଟି
ଲୋଡ଼େ ପ୍ରତିକ୍ଷଣେ ଏହି ମାଟିଟି l
ଜୀବନ ଚକ୍ରରେ ଏଇଠି ଶେଷେ
ପାର୍ଥିବ ଶରୀର ମାଟିରେ ମିଶେ l
ତାହାଠୁ ଆରମ୍ଭ ତାହାଠି ଶେଷ
ରହିଯାଏ ସ୍ମୃତି ଅଂଶ ବିଶେଷ l
କେତେ ଯେ ଆସିକି ଗଲେଣି କେତେ
ଏହି ମାଟି କୋଳେ ବଢି ସମସ୍ତେ l
ମାଟି ନୁହେଁ ସେତ ମାଆ ଆମରି
କେତେ ଅଳି ସହେ ମା'ର ପରି l
ନମସ୍କାର କରେ ପାଦେ ତାହାର
ମାଟି ନୁହେଁ ସେ ଯେ ମା ଆମର l
କରିବାନି କେବେ ଦୂଷିତ ତାକୁ
ସ୍ୱଚ୍ଛ ରଖ ତେଣୁ ମାଟି ମାଆକୁ l