STORYMIRROR

Dambarudhar Dash

Inspirational

4  

Dambarudhar Dash

Inspirational

ଧରଣୀ କାନ୍ଦୁଛି ଅମ୍ଳଜାନ ପାଇଁ

ଧରଣୀ କାନ୍ଦୁଛି ଅମ୍ଳଜାନ ପାଇଁ

1 min
352

ସୁନ୍ଦର ସୃଷ୍ଟିକୁ     ରଚିଲେ ଈଶ୍ୱର 

      ପ୍ରକୃତିର ରୂପ ଦେଇ

ମାନବ ଜାତିକୁ     ସୃଷ୍ଟି କରିଥିଲେ

      ତାହାର ସୁରକ୍ଷା ପାଇଁ ।।୦।।

ଜଗତ ମଧ୍ୟରେ     ଏ ମଣିଷ ଜାତି 

      ଶ୍ରେଷ୍ଠ ଜୀବ ବୋଲାଉଛି

ଅଧିକାର ପଛେ     ଧାଇଁ ଧାଇଁ ନିତି  

       କର୍ତ୍ତବ୍ୟ ଭୁଲି ଯାଉଛି।। ୧।।

ଶୋଷଣ କରୁଛି     ସୁନ୍ଦର ସୃଷ୍ଟିକୁ 

        ନୀତି ନିୟମକୁ ଭୁଲି

ଲୁଣ୍ଠନ କରିଣ      ରସାତଳ ପଥେ

      ପ୍ରକୃତିକୁ ଦିଏ ଠେଲି ।।୨।।

ଈଶ୍ୱର ସୃଷ୍ଟିରେ     ଅପୂର୍ବ ସୃଜନ

       ବନ ଲତା ତରୁମାଳ

ଦିଏ ଅମ୍ଳଜାନ      ଝୁଣା ଲାଖ ମହୁ 

     କାଠ ପତ୍ର ଫୁଲ ଫଳ ।।୩।।

ମାନବ ହିତରେ     ନିଜକୁ ସମର୍ପେ 

     ଅଟେ ବହୁ ଉପକାରୀ

ପ୍ରତିଦାନେ ଆଜି    ନିଷ୍ଠୁର ମଣିଷ 

     ପକାଉଛି ତାକୁ ମାରି ।।୪।।

ବିକାଶ ନିମନ୍ତେ     ଗଛ କଟା ହୁଏ 

      ହୁଏ ଅମ୍ଳଜାନ ଶେଷ

କଳକାରଖାନା     ଗାଡ଼ି ମଟର ଯେ

      ଉଦ୍ଗାରୁ ଅଛନ୍ତି ବିଷ ।।୫।।

ବୃକ୍ଷ ସ୍ଥାନେ ଆଜି    ଠିଆ ହୋଇଅଛି

       ବଡ଼ ବଡ଼ ଅଟ୍ଟାଳିକା

ପ୍ରକୃତି ରାଣୀର     ସର୍ବନାଶ କରି 

       ରାଜୁତି କରୁଛି ଏକା ।।୬।।

ଶ୍ରୀହୀନ ଦିଶଇ     ଆଜି ଏ ଧରଣୀ 

      ପ୍ରକୃତି ବୋହିଛି ରୋଷ

ଅମ୍ଳଜାନ ପାଇଁ      ଡହଳ ବିକଳ 

      ହେଉଛି ଆଜି ମଣିଷ ।।୭।।

ନିଜ ହାତେ ନିଜେ     କରିଛି ବରଣ

       ନିଜର ହିଁ ସର୍ବନାଶ

ଖୋଜିଲେ ଅମୃତ     ପାଇବ ସେ କାହିଁ 

       ଫଳାଇଛି ଯେବେ ବିଷ ।।୮।।

ଏ ସାରା ସଂସାରେ    ବୃକ୍ଷ ସିନା ଏକା

       ଅମ୍ଳଜାନ ଦେଉଥାଇ

ବୃକ୍ଷର ବିନାଶେ      ଆଜି ଏ ଧରଣୀ 

     କାନ୍ଦେ ଅମ୍ଳଜାନ ପାଇଁ ।।୯।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational