ମୋ ପ୍ରିୟତମା
ମୋ ପ୍ରିୟତମା
ପ୍ରଥମ ଦେଖାରେ ପ୍ରଥମ ଚାହାଁରେ କରିଦେଲ ମୋତେ ଗୁଣି
ଶୟନେ ସପନେ ଜାଗରଣେ ମୋର ସେ ଛବି ଆଉ ଲିଭୁନି
କେମିତି କହିବି ତୁମେ ବାଳକାଳେ ଥିଲ ମୋ ବାଳିକା ବଧୂ
ହୃଦୟକୁ ମୋର ବିଦୀର୍ଣ୍ଣ କରୁଛି ତୁମ ସ୍ମୃତି ସୁଧା ମଧୁ
ଭୁଲିପାରୁ ନାହିଁ ଜମା
ମୋ ପ୍ରିୟତମା ତୁମେ ମୋ ପ୍ରିୟତମା ।
ତୁମକୁ ଦେଖିଲା ପରେ ଜାଗିଉଠେ ଆଜି ସେହି ପିଲା ବେଳ
ଖେଳୁଥିଲେ ଲୁଚକାଳି ବୁଲି ବୁଲି ଗାଁ ଆମ୍ବ ତୋଟା ମାଳ
ଖେଳୁଥିଲେ ତୋଳି ବାଲିଘର ଆଉ କଣ୍ଢେଇର ବାହାଘର
ତୁମର କଣ୍ଢେଇ କନିଆଁ ହୁଏତ ମୋ କଣ୍ଢେଇ ହୁଏ ବର
ଯେହ୍ନେ ଶିବ ଆଉ ଉମା
ମୋ ପ୍ରିୟତମା ତୁମେ ମୋ ପ୍ରିୟତମା।।
କେଣେ ହଜିଗଲ ଖୋଜି ପାଇଲିନି ଚାଲିଗଲ କେତେ ଦୂରେ
ଭାବିଥିଲି ପ୍ରିୟା ମୋ ମନ କଥାକୁ କହିବି ତୁମେ ପାଖରେ
ଆଜି ଅକସ୍ମାତେ ଦେଖିଣ ତୁମକୁ ମୁଖୁବାକ୍ୟ ନ ସ୍ଫୁରଇ
ଶତ ସ୍ବର୍ଗରୁ କି ପରି ଅପସରୀ ଆସିଛ ମର୍ତ୍ତ୍ୟେ ଓହ୍ଲାଇ
ମୁଖ ଯେମନ୍ତେ ଚନ୍ଦ୍ରମା
ମୋ ପ୍ରିୟତମା ତୁମେ ମୋ ପ୍ରିୟତମା।।
ହରିଣି ଆଖିରେ ଚୋରା ଚାହାଣୀରେ ଚାହିଁ ଦେଲେ ତୁମେ ଥରେ
ହୃଦୟକୁ ମୋର ପକାଉଛି ହାଣି ଝୁରି ଝୁରି ଖାଲି ମରେ
ଗଜଗାମିନୀ ଗୋ ଚାଲିରେ ତୁମର ଫୁଟୁଛି ହଜାରେ ଫୁଲ
ଯୁବା ମାନଙ୍କର କଥା କି କହିବି ବୃଦ୍ଧେ ହ୍ୟୁନ୍ତି କଲବଲ
ନାହିଁ ତୁମ ଗୁଣ ସୀମା
ମୋ ପ୍ରିୟତମା ତୁମେ ମୋ ପ୍ରିୟତମା।
ଚନ୍ଦ୍ର ବଦନକୁ ଦେଖିଲେ ତୁମର ଜପ ଛାଡି ଦେବେ ମୁନି
ଭୂମିକମ୍ପ ହୁଏ ସଭିଙ୍କ ଛାତିରେ ହଲିଗଲେ ତୁମ ବେଣୀ
ତୁମ ସ୍ୱର ଶୁଣି ବିଚରା କୋକିଳ ମୁହଁ କୁ ଲୁଚାଏ କାହିଁ
ଫୁଲ ମରିଯାନ୍ତି ଲଜ୍ଜା ଅପମାନେ ପଡ଼ିଲେ ତୁମର ଛାଇ
ଅଟକି କନ୍ଦର୍ପ ଜେମା
ମୋ ପ୍ରିୟତମା ତୁମେ ମୋ ପ୍ରିୟତମା।
ତୁମ ପରଶରେ ଶୁଦ୍ଧ ସୁବର୍ଣ୍ଣର ଗର୍ବ ହୋଇ ଯାଏ ଚୂନା
ଏକା ଏ ସଂସାରେ ଉଡାଉଛ ପରା ସୌନ୍ଦର୍ଯ୍ୟର କୀର୍ତ୍ତି ବାନା
ମଥାରେ ତୁମର ଶୋଭା ପାଉଅଛି ସୁସଜ୍ଜିତ ଘନ କେଶ
କେଶ ତ ନୁହେଁ ସେ ଯୁବକ ପାଇଁ କି ଅଟେ ମହାକାଳ ଫାଶ
ଧରିଲେ ଛାଡେନି ଜମା
ମୋ ପ୍ରିୟତମା ତୁମେ ମୋ ପ୍ରିୟ ତମା।
ମନ ମୋ ଦେଇଛି ଜୀବନ ବି ଦେବି ବୁଲି ଚାହଁ ପ୍ରିୟା ଥରେ
ଅସହ୍ୟ ହେଲାଣି ବିରହ ବେଦନା କୃପା ଦୃଷ୍ଟି ଦିଅ ବାରେ
ବିଧିର ବିଧାନ କେ କରିବ ଆନ ତୁମେ ତ ମୋହରି ପାଇଁ
ତୁମେ ମୋର ପ୍ରିୟା ମୁଁ ତୁମ ପ୍ରେମିକ ଲେଖିଅଛି ଯାହା ବିହି
ହେବନି କାହାରି ବାମା
ମୋ ପ୍ରିୟତମା ତୁମେ ମୋ ପ୍ରିୟତମା ।

