ପ୍ରକୃତି
ପ୍ରକୃତି
ପ୍ରକୃତି ରାଣୀର ଅପରୂପ କାନ୍ତି
ମନ ନେଇଯାଏ କିଣି
ବୋହିଯାଏ ଯେହ୍ନେ କୁଳୁକୁଳୁ ନାଦେ
ଶୁଭ୍ର ଝରଣାର ପାଣି ।
କେତେ ନଦନଦୀ ପାହାଡ ପର୍ବତ
ଜୀବଜନ୍ତୁ ପଶୁପକ୍ଷୀ
ସର୍ବେ ମିଶିକରି ପ୍ରକୃତିର ଅଂଶ
ରୂପ ସୌନ୍ଦର୍ଯ୍ୟର ସାକ୍ଷୀ ।
ପକ୍ଷୀର କାକଳି ବୀଣାଜିଣା ଧ୍ଵନି
କୋକିଳର କୁହୁ ତାନ
ମନ୍ଦ ମନ୍ଦ ବାଆ ଭାରି ମନଛୁଆଁ
ପୁଲକିତ ହୁଏ ପ୍ରାଣ ।
ଦେଖିଦେଲେ ଥରେ ସବୁଜ ବନାନୀ
ପଲକ ପଡ଼େନି ଜମା
ପତ୍ର ଫୁଲ ଫଳ ଝୁଣା ମହୁ ଲାଖ
ନାହିଁ ତାର ଗୁଣ ସୀମା ।
ନାନା ରଙ୍ଗେ ଫୁଲ ଫୁଟି ଚହଟଇ
ଚଉଦିଗରେ ସୁବାଷ
ମନ ମୋହିନିଏ ପ୍ରକୃତି ରାଣୀର
ନବ ଯଉବନ ବେଶ ।
ନୀଳ ନିଳିମାରେ ଭରିଛି ଆକାଶ
ତାରା ଫୁଲ ମାଳମାଳ
ସୂର୍ଯ୍ୟ ଚନ୍ଦ୍ର ଯହିଁ ହୋନ୍ତି ଆତଜାତ
ଏକ ସ୍ଥାନେ ହୋଇ ମେଳ ।
ସୁବର୍ଣ୍ଣ ପ୍ରକାଶ ଦେଇ ଦିନକର
ଦେଖାନ୍ତି ପ୍ରକୃତି ଶୋଭା
ପୂର୍ଣ୍ଣମୀ ଚାନ୍ଦର ଶୀତଳ ଯୋଛନା
ଦିଶେ କେଡ଼େ ମନଲୋଭା ।
ଘୋର ନିଦାଘରେ ଅସହ୍ୟ ତାତିରେ
ପ୍ରକୃତି ଝାଉଁଳି ଯାଏ
ନାନା ଜାତି ପକ୍ବ ଫଳେ ପୂର୍ଣ୍ଣ ହୋଇ
ସବୁରି ମନକୁ ମୋହେ ।
ବରଷା କାଳରେ ଶସ୍ୟ ଶ୍ୟାମଳରେ
ପୂରି ଉଠେ ମର୍ତ୍ତ୍ୟପୁର
ସାତ ରଙ୍ଗର ଯେ ଓଢଣାକୁ ଟାଣି
ପ୍ରକୃତି ଦିଶେ ସୁନ୍ଦର ।
ଶରତେ ଶିଶିର ପ୍ରଭାତ କିରଣେ
ହୀରା ମୋତି ଝଟକାଏ
କାଶତଣ୍ଡି ଫୁଲ କି ଅମୂଲ ମୂଲ
ଦିବ୍ୟ ରୂପ ଶୋଭାପାଏ ।
ବସନ୍ତ ଆଗମେ ଏହି ଧରାଧାମେ
ପ୍ରକୃତିର ହସ ଝରେ
ଯଉବନ ବେଳ ହୁଏ ଢଳଢ଼ଳ
ମୋହିନୀ ରୂପକୁ ଧରେ ।