କାଳିଆ (କ - ଆଦ୍ୟବର୍ଣ୍ଣ)
କାଳିଆ (କ - ଆଦ୍ୟବର୍ଣ୍ଣ)
( ରାଗ - ସାବେରୀ )
କି କହିବି ଚାହିଁ ତ ପାରୁନିରେ
କଳା ଶ୍ରୀମୁଖକୁ ଦେଖି , ଲାଖି ଯାଉଅଛି ଆଖି
ଚାହିଁଦେଲେ ଆଉ ଫେରୁନିରେ ।। ୦ ।।
କାଳିଆ କଳା ଠାକୁର , ଖୋଲିଣ ଶିରୀମନ୍ଦିର
ପାଖକୁ ହାତଠାରି ଡାକେରେ
କରିନିଏ ଆପଣାର , ନ କରେ ପାଖୁ ଅନ୍ତର
ଭାବ ରଙ୍କା ଭାବକୁ ଚାଖେରେ ।।୧ ।।
କୋଟି ପୁଣ୍ୟ ବଡ଼ ଦାଣ୍ଡ , ରେଣୁକୁ ପାଇଲେ ତୁଣ୍ଡ
ମୁକତି ମିଳଇ ସଂସାରୁରେ
କରେ ଧରି ସେ ରେଣୁକୁ , ବୋଳି ଦେଲେ ଶରୀରକୁ
ତରିଯାନ୍ତି ପାପ ଦଶାରୁରେ ।। ୨ ।।
କହେ ପତିତପାବନ , ତା ଆଡ଼କୁ ଦିଅ ଧ୍ୟାନ  
;
ଉଡୁଛି ସଂସାରର ହିତରେ
କହୁଛି ନୀଳ ଚକର , କାଟିବ ପାପର ଡୋର
ବେନି ହାତକୁ ଥରେ ଟେକରେ ।। ୩ ।।
କାଳିଆ କଳା ବଦନ , କାହାକୁ କରେନା ହୀନ
ବନ୍ଧୁ ହେଉ କି ବଳରାମରେ
କରଇ ପାରି ସଭିଙ୍କୁ , ଊଣା କରେନି କାହାକୁ
ଥରୁଟେ ଡାକିଦେଲେ ନାମରେ ।। ୪ ।।
କରି କରାଏ ତା' ମତେ , ରଜ୍ଜୁକୁ ଧରି ସ୍ଵ-ହସ୍ତେ
ଯେଣେ ଓଟାରେ ତେଣେ ଯାଇରେ
କରି ନିଜର ସବୁକୁ , ଶୂନ୍ୟ ଯେ ଗଲା ବେଳକୁ
ମିଛେ ହୁଅନ୍ତି ସବୁ ବାଇରେ ।। ୫ ।।
କରମକୁ କରିଥିଲେ , ସୁଫଳ ମିଳଇ ଭଲେ
ଚକାନୟନେ ମତି ଦେଇରେ
କହଇ ଡମ୍ବରୁଧର , ପୂଜିଣ ବେନି ପୟର
ତା ବିନୁ ଅନ୍ୟ ଗତି ନାହିଁରେ ।। ୬ ।।