ମଣିଷ ରଚୁଛି ମହାଭାରତ
ମଣିଷ ରଚୁଛି ମହାଭାରତ


ଶ୍ରେଷ୍ଠ ସୃଷ୍ଟି ଅଟେ ଏ ମଣିଷ ଜାତି
ପ୍ରଭୁଙ୍କ ଅମୂଲ୍ୟ ଦାନ
ଜଗତର ମଧୁମୟ ସ୍ଥିତି ପାଇଁ
ବିବେକ ଉପସ୍ଥାପନ ।
ମଣିଷ ମନର ବିବେକ ଆଜି ଯେ
ସ୍ଵାର୍ଥ କାରାଗାରେ ବନ୍ଦୀ
ବିବେକ ହୀନ ଏ ମଣିଷ ରଚୁଛି
ମହାଭାରତର ଫନ୍ଦୀ ।
ଚେତନାରେ ପ୍ରେମ ବାହୁନି କାନ୍ଦୁଛି
ପ୍ରତାରଣା ବହ୍ନି ଜଳେ
ମଣିଷ ରଚୁଛି ମହାଭାରତ ଯେ
ଆତ୍ମାନନ୍ଦ ଯେ କୁହୁଳେ ।
ପରିବାରୁ ଗାଁ, ଗାଆଁରୁ ସହର
ଶକୁନି ମାମୁଁ ଙ୍କ ଭିଡ଼
ପ୍ରତିହିଂସା ନିଆଁ ଜାଳି ପୋଡି ଦିଏ
ସୁନ୍ଦର ସୃଷ୍ଟି ସମ୍ଭାର ।
ମଣିଷ ମନରୁ ଲିଭି ଯାଉଅଛି
ସ୍ନେହ ସୋହାଗର ସଂଜ୍ଞା
ସଂପର୍କ ପହଁରେ ମଝି ଦରିଆରେ
ସ୍ଵାର୍ଥେ ସିଏ ଅନୁବନ୍ଧା ।
ମଣିଷ ମନର ସ୍ଵାର୍ଥ ବଳୟରେ
ଧୃତରାଷ୍ଟ୍ରଙ୍କର ଭିଡ଼
ରାଜଧର୍ମ କାହିଁ ହଜି ଯାଉଅଛି
ହେଉଛି ମହାଭାରତ ।
ସତ୍ୟ ଆଜି ବନ୍ଦୀ ମିଥ୍ୟା ବଳୟରେ
ମଣିଷ ରଚଇ ଯୁଦ୍ଧ
ମଣିଷ ରଚୁଛି ମହାଭାରତ ଯେ
ସର୍ବଦା ମନ ତା କ୍ଷୁବ୍ଧ ।
ଚେତନା ଶକ୍ତି ଯେ ବିଚ୍ୟୁତ ହୋଇଛି
ଭୁଲିଛି ସ୍ଵ ସୁଗୁଣ
ସତ୍ୟ ବଦଳରେ ମିଥ୍ୟା ହୋଇଅଛି
ମଣିଷର ଆଭୂଷଣ ।
ମଣିଷ ଚେତନା ଶାନ୍ତି ବିରହିତ
ସବୁଠି ଲଢାଇ ଚାଲେ
ଭାଇ ହେଉ ନାହିଁ ଭାଇର ଶକତି
ଭାଇ ଗଳା କାଟି ଚାଲେ ।
ସ୍ୱାର୍ଥୀ ମଣିଷର ମନୁ ଲିଭି ଅଛି
ତ୍ୟାଗ,ଦୟା, କ୍ଷମା ଗୁଣ
ଅହଂକାର ଆଉ ହିଂସାର ପରଶେ
ଭୁଲେ ଯୁଦ୍ଧ ପରିଣାମ ।
ଭ୍ରାତୃତ୍ଵ ମହକ ଦିଗ ହରାଇଛି
ମଣିଷ ରାସ୍ତା ଭୁଲିଛି
ଧର୍ମ ସଂସ୍ଥାପନା ଭାବନାକୁ ସିଏ
ଦୁର୍ବଳତା କହୁଅଛି ।
ମଣିଷ ରଚୁଛି ମହାଭାରତ ଯେ
ଆତ୍ମ ବଡ଼ିମାରେ ମାତି
ମଣିଷ ପଣିଆ ଆତ୍ମାହୁତି ଦିଏ
ହଜିଛି ଶାସନ ନୀତି ।
ତ୍ୟାଗ ହଜିଅଛି ଭୋଗ ଦୁନିଆରେ
ପ୍ରେମ ସ୍ଵାର୍ଥ ଜାଲେ ବନ୍ଦୀ
ସହନଶୀଳତା କ୍ରୁରତାରେ ହଜି
କୁରୁକ୍ଷେତ୍ରେ ଯୁଦ୍ଧ ବନ୍ଦୀ ।
ସଂସ୍କାର ର କଥା ହଜି ଯାଉଅଛି
ଆଧୁନିକତାର ସ୍ପର୍ଶେ
ଆଧ୍ୟାତ୍ମିକତାର ସୁରକ୍ଷା ବଳୟ
ଭାଙ୍ଗିଯିବା ଦୃଶ୍ୟ ଭାସେ ।
ପରିବାରେ ପିତା ମାତା କାନ୍ଦୁଛନ୍ତି
ରାସ୍ତା ଧାରେ ନାରୀ କାନ୍ଦେ
ଅସହାୟ ଟିଏ ସହାୟ ମାଗୁଛି
ଧିକ୍କାରେ ମନ ତା ରୁ଼ଧେ ।
ମଣିଷ ରଚୁଛି ମହାଭାରତ ଯେ
ସତ୍ୟ ପାଇଁ ଆତ୍ମ ବଳୀ
ସପ୍ତରଥୀ ହାତେ ଅଭିମନ୍ୟୁ ବଧ
ନ୍ୟାୟ ଯାଏ ବାଟ ଭୁଲି ।
ମଣିଷ ରଚିଛି ମହାଭାରତ ଯେ
ଅଶାନ୍ତି ର ବହ୍ନି ଜଳେ
ଆସ ହେ କେଶବ ଏ ଯୁଦ୍ଧ କ୍ଷେତ୍ରକୁ
ଅଧର୍ମ ବିନାଶ ହେଳେ ।
ମଣିଷ ମନରେ ଭର ହେ କେଶବ
ଅର୍ଜୁନ ଙ୍କ ସମର୍ପଣ
ନୀତି ଆଦର୍ଶର କୋମଳ ପରଶେ
ଚେତନା ହେଉ ମହାନ ।
ନ୍ୟାୟର ପ୍ରତିଷ୍ଠା ହେଉ ହେ ଗୋବିନ୍ଦ
ଭୀମ ବାହୁବଳ ଦୃଢ ପ୍ରତିଜ୍ଞା
ମଣିଷ ପଣିଆ ଉଦ୍ରେକ କର ହେ
କହିଦିଅ ପ୍ରଭୁ ନ୍ୟାୟର ସଂଜ୍ଞା ।
ଦ୍ରଷ୍ଟା ହୋଇ ଖାଲି ନରହୁ ମଣିଷ
ସତ୍ୟ ନ୍ୟାୟର ଯେ ପ୍ରତିଷ୍ଠା ହେଉ
ମଣିଷର ରଚା ମହାଭାରତର
ଅବସାନ ପ୍ରଭୁ ହୋଇ ଯେ ଯାଉ ।
ମଣିଷ ରଚୁ ଏ ଧରା ଧାମେ ପ୍ରଭୁ
ପ୍ରେମର ସରଗ ସ୍ନେହ ମନ୍ଦିର
ନୀତି ଆଦର୍ଶରେ ରୁଦ୍ଧିମନ୍ତ ହେଉ
ଏ ଜଗତ ହେଉ ମହିମା ମୟ ।