ଜଉଗଡ ମୁଁ ଜଉଗଡ
ଜଉଗଡ ମୁଁ ଜଉଗଡ
ଜଉଗଡ ମୁଁ ଯେ ଜଉଗଡ
କାନ୍ଦୁଅଛି ଆଜି ମୋ ଅନ୍ତର ଆତ୍ମା
ପଡଅଛି ହୋଇ ମୂକ ଜଡ ।
ଇତିହାସ ପରା ଅଛି ସାକ୍ଷୀ
ଯାହା ପାରିନାହଁ ତୁମେ ଦେଖି
କଳିଙ୍ଗ ଭୂମିରେ ବହି ଯାଇଥିଲା
ହିଁସା ଅନଳର ଯେଉଁ ଝଡ ।
ଜଉଗଡ......
ଚଣ୍ଡାଶୋକ ହୋଇ ଧର୍ମାଶୋକ
ବିତରିଲେ ଯେଉଁ ଦିବ୍ୟାଲୋକ
ଦେଖିଛକି ତୁମେ ମୋ ବକ୍ଷ ଚିରି ଯେ
ଧରିଥିଲି ମୁହିଁ ହୋଇ ବଡ ।
ଜଉଗଡ........
ଶାନ୍ତିର ମହତ୍ତ୍ଵ ସତ୍ୟ ବାଣୀ
ଅହିଂସା ମନ୍ତ୍ରର ଦୀକ୍ଷା ମୁଣି
ପାତିଦେଇ ହିଆ ଧରିଥିଲି କୋଳେ
ଆଜି ଶୂନ୍ୟ ଅଛି ମୋର କ୍ରୋଡ ।
ଜଉଗଡ.......
କେତେ ଘନ ବାରି ବତାସରେ
ହୋଇ ନ ଥିଲି ମୁଁ ହତାସରେ
ଯୌବନ ଜାହ୍ନବୀ ଶୁଷ୍କ ତୀରେ ଆଜି
ଜରାଜୀର୍ଣ୍ଣ ଦୁଃଖେ ଜଡସଡ ।
ଜଉଗଡ....
ପୁଳାପୁଳା ମୋର ମାଂସ ଝରେ
ହାଡରୁ ରକତ ବହି ଥରେ
କିଏ ସେ ପୋଛିବ ମୋ ଆଖିର ଲୁହ
ଉଦ୍ଧରିବ ଜିଣି ସ୍ମୃତି ଗଡ ।
ଜଉଗଡ.....
ପାଷାଣ ହିଆ ମୋ କେତେ ଦିନ
ପଡି ରହିଥିବ ହୋଇ ହୀନ
ମୋ ଆଡକୁ କା'ର ନିଘା ନାହିଁ କିଆଁ
ବୋଲୁଛନ୍ତି ଏକା ମୁହିଁ ବଡ ।