ମାନିନୀ ଗୋ
ମାନିନୀ ଗୋ
ମାନିନୀ ଗୋ ତୁମ ଅଳସ ଆଖିରେ ସପନ ଭରିବା ପାଇଁ
ଯେତେ ଯା' କରମ ଛଡାଇ ସରମ କରୁଛି ତୁମରି ପାଇଁ ।
ନିଦଭରା ରାତି ମଧୁଝରା ତାତି ମଳିନ ହୋଇଛି ଆଜି
ନିଃଷ୍ପ୍ରାଣ ତୁମର ପାଦର ପାଉଁଜି କେଉଁଠି ଯାଇଛି ହଜି
ମାନ ଅଭିମାନ କୁହୁଳା ନିଆଁରେ ପାଉଁଶ କୁହୁଳେ ରହି ।
ମାନିନୀ ଗୋ.........
ଜୋଛନା ଲହଡି ତାରାଫୁଲ ଶେଯେ ଅଳସ ଭାଙ୍ଗୁଛି ଆଜି
ବନେ ଉପବନେ ଶେଫାଳିର ସାଜ ମଳିନ ମୁକୁର ମାଜି
ତୁମ ଗଭା ହାର ବାସର ଫୁଆରା ମଳିନ ରହିଛି କାହିଁ ।
ମାନିନୀ ଗୋ....
ମୁଗ୍ଧ ଗୋଧୁଳିର ସନ୍ଧ୍ୟାଧୂପ ତଳେ ତୁମ ପ୍ରୀତିଫୁଲ ମାୟା
ହଜାଉଥିଲା ମୋ ମନପକ୍ଷୀ ଦିନେ ହଜାଉଥିଲା ମୋ କାୟା
ବିତରି ପରଶ ମୋର ତନୁମନେ ସନ୍ତର୍ପଣେ ତୁମ ଛାଇ ।
ମାନିନୀ ଗୋ.....
ସ୍ନିଗ୍ଧ ସରସୀ ନୀରଜା ସଖି ଗୋ ପୁନେଇର ମଧୁରାତି
ବର୍ଷିବ କେବେ ହର୍ଷିତ ଲପନେ ମମ ପରେ କୃପା ମୋତି
କରିଛି ପ୍ରତୀକ୍ଷା ଦିଅ ପ୍ରୀତି ଭିକ୍ଷା ସଦା ମୋର ପାଶେ ରହି ।
ମାନିନୀ ଗୋ .......