ନଈ ଆରପାଖେ
ନଈ ଆରପାଖେ
ନଈ ଆରପାଖେ କନକଚମ୍ପା ଲୋ ମହମହ ହୋଇ ବାସେ
ଏ ପାଖରେ ବସି ତୁଠରେ ପ୍ରିୟା ମୋ ଦେହ ହାତ ମାଜି ଘଷେ
ପିକଶୁକ କେତେ ତୋଟା ଗହଳରେ ଝୁଲୁଥାନ୍ତି ଆନନ୍ଦରେ
ପ୍ରୀତିର ପୂରବୀ ଆଙ୍କୁଥାନ୍ତି ବସି ନବନବ ପଲ୍ଲବରେ ।
ନଈ ଆରପାଖେ ପ୍ରିୟାର ଗାଆଁ ମୋ ଦୂର ତାଳବଣ ତଳେ
ସକାଳ ସ୍ନାହାନ ହରିଦ୍ରା ଲେପନ ଦିଶେ ଏଇ ପାଖ ଧାରେ
ସଂଜୁଆ ବେଳରେ ସଖୀ ଗହଣରେ ପ୍ରିୟା ଖିଲିଖିଲି ହସେ
ନହୁଲୀ ବୟସୀ ଦେହମଖା ବାସ ଚହଲା ପାଣିରେ ବାସେ ।
ନଈ ଆରପାଖେ ଚୂତ ଡାଳେ କଳି କରଇ ମଧୁର ରାସ
ବକୁଳବନର ଝୁଲଣାରେ ପ୍ରିୟା ଝୁଲୁଥାଏ ହୋଇ ବେଶ
ଗଭାର ଗଜରା ହସୁଥାଏ ତା'ର ନଈ ପଠାଧାରେ ଯେବେ
ସଖୀ ମେଳେ ଶୋଇ ବାଲିର ପଠାରେ କ୍ରୀଡା ରଚେ ଅଭିନବେ ।
ପାଉଁଜି ଶବଦ ଅଲକତ ବୋଳା ତାହାରି ସେ ପଦ ବେନି
ଟଣାଟଣା ଆଖି ଭୂରୁଭାଙ୍ଗେ ନାଚି ସେଇ ଯେ ମୃଗନୟନୀ
ନଈ ଏ ପାଖରେ ବିରହୀ ଚକୋର ସାଜି ଚାହିଁ ଆରପାରେ
ବସିଥାଏ ନିତି କେବେ ଆସି ପ୍ରିୟା ନାଚିବ ପ୍ରୀତି ମହ୍ଲାରେ ।