ପ୍ରତିଶ୍ରୁତି
ପ୍ରତିଶ୍ରୁତି
ଜହ୍ନକୁ ମାଗିଲି ଚେନାଏ ହସ ମୁଁ
ହସିଦେଇ ଚାଲିଗଲା
ରାତିକୁ ମାଗିଲି ମୁଠାଏ ସପନ
ସକାଳ ସଅଳ ହେଲା ।
ଫୁଲକୁ ମାଗିଲି କୋମଳତା ଟିକେ
ରଙ୍ଗେଇବା ପାଇଁ ଦେହ
ମୁଡୁକି ହସି ସେ ମୁହଁ ମୋଡିଦଲା
ସମ୍ଭାଳି ନ ହେଲା କୋହ ।
ପକ୍ଷୀକୁ ମାଗିଲି ଅନନ୍ତ ଆକାଶୁ
ଟିକିଏ ଅଳପ ଥାନ
ଉଡିଗଲା କେଉଁ ଘୋର ବନସ୍ତରେ
ନ ଦେଇ ତାହାକୁ ଧ୍ୟାନ ।
ଆକାଶକୁ ଦିନେ ମାଗିଲି ବିସ୍ତୃତି
ହାତଟେକି ଲବେ ଦିଅ
ଚାହିଁଲାନି ଥରେ ପାତି ସେ ଶ୍ରବଣ
ଭସାଉଛି ଭବ ସୁଅ ।
ସମୀରେ ମାଗ
ିଲି ନିଃଶ୍ବାସ ଟିକିଏ
ଛୁଇଁଦେଇ ଗଲା ଚାଲି
କହିଲା ସଧୀରେ ଶୟଳେ ସର୍ବଦା
ରହିବାଟା ଯାଆ ଭୁଲି ।
ମାଗିଲି ଧରାକୁ ମାଟିରୂ ମୁଠିଏ
ମୁଣ୍ଡରେ ବୋଳିବି ବୋଲି
କୋଳେଇ ନେଲା ସେ ଦେଇ ପ୍ରତିଶ୍ରୁତି
ହୃଦୟ ଦରଜା ଖୋଲି ।
କହିଲା ସେ ମୋର ମଥାକୁ ଆଉଁସି
ତୁ କି ମୋ ଠୁ ଭିନ୍ନ
ତୁ ମୋର ହୃଦ ଚନ୍ଦନ ପରା ଲୋ
ତୁ ମୋ ପୁନେଇ ଜହ୍ନ ।
ବିଶାଳ ପଣତ ପାତି ଦେଇଅଛି
ମୋ ଠାରୁ କଲି ସର୍ଜନ
ଝରିଯିବୁ ଯେବେ କୋଳେ ତୋଳି ନେବି
ଦେଖୁଥା' ମିଠା ସପନ ।