STORYMIRROR

Jyochhna rani Devi

Others

4  

Jyochhna rani Devi

Others

କେତେ କଥା ଯାଏ କହି

କେତେ କଥା ଯାଏ କହି

1 min
357



ବରୁଣେଇ ତୋର ଅଙ୍ଗ ସୌଷ୍ଠବ ମୁଗ୍ଧ ମଧୁର ଗାତ୍ର

ସ୍ନିଗ୍ଧ ଶୀତଳ ପ୍ରକୃତିର କୋଳ ନୀଳାଭ ଶ୍ୟାମଳ ଦୃପ୍ତ

  ନିଘଞ୍ଚ ବନାନୀ କୁଞ୍ଜ

ତରୁଲତା ହସ ରୁଚିର ମଧୁର ମନୋହର ଉଷା ସଞ୍ଜ 

  ଯୁଗଯୁଗ ଧରି ରହି

କାଳର କରାଳ ସ୍ରୋତରେ ମଉନେ କେତେକଥା ଯାଏ କହି ।


କେତେକଥା ସତେ ଲୁଚାଇ ଧରିଛୁ ହୋଇନି ଯା' ଉନ୍ମୋଚନ

ଛୁଇଁ ପାରିନାହିଁ ଅଦ୍ୟାବଧି ତାହା ଇତିହାସେ ଅଛି ଲୀନ

  କେତେ ଯେ ସଂହାର ଲୀଳା

ଘଟିଥିଲା ତୋର ବକ୍ଷରେ ଯାହା କରି ରୁଧିରର ଖେଳା

 ଆସିନି ଲୋକଲୋଚନେ

ସଂଗୋପନେ ଯାହା ସାଇତି ରଖିଛୁ ଘଟିଥିଲା ସେଠି ଦିନେ ।


କେତେକେତେ ମାତା ବିଦାୟ ଦେଇ ଯେ ଅଶ୍ରୁ ପାତି ନୀରବରେ

ଆପଣା ମମତା ବନ୍ଧା ପକାଇ ଗୋ ତୋହରି ଚରଣ ତଳେ

  ସନ୍ତାନର ବୀରଗାଥା

ଶୁଣିବାକୁ ଦିନେ ପାତି ସେ ଶ୍ରବଣ ଟେକି ରଖିଥିଲେ ମଥା

 ଫେରିଥିଲା କିଏ ଘରେ

କିଏ ହଜିଥିଲା ମୁକତିର ପଥେ ରଥୀ ହୋଇ ଆରପାରେ ।


ଗମ୍ଭୀର ତପସ୍ଵୀ ପୁଣ୍ୟ ତପ ବଳେ ଧରି ଆପଣା ସନ୍ତାନେ

ବୀରତ୍ଵରେ ଛାତି ଦେଇଥିଲୁ ପାତି ଲଢିବାକୁ ରଣାଙ୍ଗନେ

  ଏ ମାଟି ମୁକତି ପାଇଁ<

/p>

ସୂକତିର ମାଳେ ଗୁନ୍ଥି ଦେଇଥିଲୁ ସଭିଙ୍କୁ କୋଳେଇ ନେଇ

  ଦେଇଥିଲୁ ବୀଜମନ୍ତ୍ର

ପ୍ରାଣବଳୀ ଦେଇ ମାତୃଭୂମି ପାଇଁ ଗଢିବାକୁ ନିଜ ତନ୍ତ୍ର ।


ବନ୍ଧୁର ତୋର ଅଗମ୍ୟ ଗଭୀର ଦୁର୍ବୋଧ୍ୟ ଶିଳାମୁଖେ

ଗୋରା ସେନାନୀର ରକ୍ତମୁଖା ତନ୍ତ୍ରୀ ଶିଥିଳତା ଲଭି ଦୁଃଖେ

 ଫେରୁଥିଲା ବାରବାର

ଭଗ୍ନ ଡେଣାରେ ପରାଜୟ ଭରି ହେଉଥିଲା ଛାରଖାର

  ମଣି ତୁ ନିଜକୁ ଧନ୍ୟ

ମୁକ୍ତିର ମଶାଲ ଜାଳି ଦେଉଥିଲୁ ଭରି ଶତ ଶିହରଣ ।


ସ୍ଵରାଜର ପଥ ତିଆରିଥିଲୁ ଯେ ଆପଣା ଗହନ ବନେ

ତୋ ଅଭେଦ୍ୟ କୋଳ ସ୍ନିଗ୍ଧ କୋମଳ ପାତି ହର୍ଷିତ ମନେ

  ଜଗବନ୍ଧୁ ରାଜଗୁରୁ

ଶାଣିତ ବଚନ ତୀକ୍ଷ୍ଣ କରବାଳେ ସଳଖି ଏଇଠି ମେରୁ

  ଜାତୀୟତା ପ୍ରାଣସିନ୍ଧୁ

ଭରିଥିଲେ ଦିନେ ସାଉଁଟି ସାଉଁଟି କୋଟିକୋଟି ପ୍ରାଣବିନ୍ଦୁ ।


ରହିଅଛୁ ସିନା ମୂକ ସାକ୍ଷୀ ହୋଇ କର୍ପୂର ଯାଇଛି ଉଡି

ଭାବନାର ସ୍ରୋତେ କେତେ ଛବି ଆଜି ଚିତ୍ତ ଚେତନାରେ ମାଡି

 ତୋଳଇ ଅମୃତଝର

ମୋ ମାଟି ମାଆର ଗର୍ବ ଗଉରବ ସଉରଭ ମଞ୍ଚପୁର

 ନଇଁଯାଏ ଆପେ ମଥା

ଯୁଗଯୁଗ ପାଇଁ ଆଶିଷ ଭରୁ ଥା' ଭାଙ୍ଗିଦେଇ ନୀରବତା ।



Rate this content
Log in