ମହାଧୂପ
ମହାଧୂପ
ନଇଁ ଆସୁଥିବା ବିନିଦ୍ର ରଜନୀ
ସଜଳ ସଜଳ ଲାଗେ
ପାଶେ ପାଶେ ଯେବେ ଥିବ ମୋର ପ୍ରିୟା
ପଞ୍ଚମ ସୁସ୍ଵର ଜାଗେ ।
ଜହ୍ନର ଜୋଛନା ଦୂର ତାଳବଣୁ
ଆସି ବାତାୟନ ପାଶେ
ମଧୁର ମଧୁର ଚାନ୍ଦିନୀର ପୁର
ରଚେ ନବ ମଲ୍ଲୀ ବାସେ ।
ତୁମେ ଥିଲେ ପାଶେ ଶୁଷ୍କ ଉପବନେ
ସରଗ ସୁଷମା ନେଷି
ଅଦିନେ କୋକିଳ ଗାଏ ମଧୁସ୍ଵନେ
ହସୁଥାଏ ଚୂତ କଷି ।
କାଳ ବଇଶାଖି ବସନ୍ତ ଆଣଇ
ଫୁଲ ଫୁଟେ ମନବନେ
ମଧୁ ସମୀରଣ ମଧୁ ଗୁଞ୍ଜରଣ
ଖେଳୁଥାଏ ଶମଶାନେ ।
ହସର ଲହଡି ନୀଳ ଊର୍ମିମାଳେ
ଫେନିଳ ଯୌବନା ହୋଇ
ଭିଜାଏ ଯେ ମନ ଭିଜାଏ ଯେ ତନ
ଭିଜେ ଦେହ
ବେଳାଭୁଇଁ ।
ଟାଙ୍ଗରା ଭୂଇଁରେ ଫୁଟେ ଶତଦଳ
ପ୍ରୀତି ରୂପ ରଙ୍ଗ ତୋଳି
କର୍ଦ୍ଦମର ଶୀଳା ତୋଫା ତୋଫା ଲାଗେ
ଚନ୍ଦନ ପରଶ ବୋଳି ।
ଅସରନ୍ତି ଦିନ ଅସାର ଜୀବନ
ରଙ୍ଗହୀନ ଯଉବନ
ପୂର୍ଣ୍ଣ ପ୍ରକାଶରେ ପୁନେଇ ଦ୍ୟୁଲୋକେ
ଭରେ ରଙ୍ଗ ସମ୍ମୋହନ ।
ନୀରବ ଗମ୍ଭୀର ଶରତ ସମ୍ଭାରେ
ମୃଦୁ ମୃଦୁ ଚମ୍ପାକଢି
ମୁଡୁକି ହସଇ ପାଶେ ଥିଲେ ମୋର
ପ୍ରିୟା ତୁମ ଜୁଡା ବେଢି ।
ଚଲାପଥ ଦିଶେ ସ୍ଵଚ୍ଛ ନିରିମଳ
ଅସହଣି ଅସହଜ
ଅଛିଣ୍ଡା ଗଣିତ ସର୍ଜେ ନବ ସୂତ୍ର
ନାଶି ଅମାନିଶି ତେଜ ।
ସଦା ଥିବା ଆମେ ପାଖେପାଖେ ରହି
ଅର୍ଦ୍ଧ ନାରୀଶ୍ଵର ରୂପେ
ଏହି ଆଶା ଥିବ ଉଜ୍ଜୀବିତ ଆମ
ମହାରାସ ମହାଧୂପେ ।