ହାତଗଣ୍ଠି
ହାତଗଣ୍ଠି


ସାକ୍ଷୀ ଥିଲେ ଯହିଁ ଦଶ ଦିଗପାଳ,
ସାକ୍ଷୀ ଥିଲା ହୋମ ନିଆଁ ।
ଧାରେ ସିନ୍ଦୁରରେ ହାତେ ହାତ ରଖି,
ପାଲଟିଲ ମୋ ଦୁନିଆ ।।
ହୃଦୟ ଆସନ ଅଳଙ୍କୃତ କରି,
ଧର୍ମପତ୍ନୀ ସାଜିଥିଲ ।
ମୋ ଦୁଃଖ ସୁଖର ସାଥି ହେବାପାଇଁ,
ନିଜେ ଯେବେ ବାଛିଥିଲ ।।
ବିବାହ ବଚନେ ଅତୁଟ ବନ୍ଧନେ,
ଦୁହେଁ ହୋଇଥିଲେ ବନ୍ଧା ।
ହାତଗଣ୍ଠି ସହ ଆମ ଭାଗ୍ୟ ରେଖା,
ସେଦିନୁ ହୋଇଛି ଛନ୍ଧା ।।
ଜୀବନ ଯାତ୍ରାରେ ସହଭାଗୀ ହୋଇ,
ବାଣ୍ଟିନେଲ ଦୁଃଖ ସୁଖ ।
ପରିବାର ଭୁଲି ଆସିଥିଲ ଚାଲି,
ଦେଖି ନଥିଲ ଯା ମୁଖ ।।
ଆପଣା ଲୋକଙ୍କୁ ପରକଲା ବେଳେ,
ଓଦା କରିଥିଲ ଆଖି ।
ମନେ ମନେ ନେଇଥିଲି ମୁଁ ନିଷ୍ପତ୍ତି,
ସଦା ଖୁସି ଦେବି ମାଖି ।।
ପତ୍ନୀ ଭାବେ ସଦା ଦେଇଛ ପ୍ରେରଣା,
ପ୍ରତୀକ୍ଷଣ ଜୀବନରେ ।
ହରିଛ ମନରୁ ଦୁଃଖ ଓ ଯାତନା,
ତୁମ ପ୍ରେମ ପରଶରେ ।।