STORYMIRROR

Tushar Kanta Prasad

Tragedy Others

4  

Tushar Kanta Prasad

Tragedy Others

ଶହୀଦ ଭାଇ ର ସାଇତା ରାକ୍ଷୀ

ଶହୀଦ ଭାଇ ର ସାଇତା ରାକ୍ଷୀ

1 min
52

ହୃଦୟରେ ମୋର ଯନ୍ତ୍ରଣାର ସ୍ବର, 

     ଆଖିରେ ଉଛୁଳେ ଲୁହର ନଈ। 

ଝୁରି ହୁଏ ଆଜି ତୋ ସ୍ନେହ ରଙ୍କୁଣୀ, 

     ଏକା କରି କାହିଁ ଗଲୁ ତୁ ଭାଇ।। 


କା' ସାଥେ କରିବି ଅଳି ଅଝଟ ମୁଁ, 

     କହିବି କା' ପାଶେ ମନର କଥା। 

ଅଭିମାନ କଲେ କେ ଦେବ ମନେଇ, 

     କାହା କୋଳେ ପୁଣି ରଖିବି ମଥା।। 


ଫେରି ଆସିଥିଲୁ ଯେବେ ଶେଷ ଥର, 

      କଥା ନ କହିକି ରହିଲୁ ତୁନି। 

ସବୁଥର ପରି ପଚାରିଲୁ ନାହିଁ, 

     କେମିତି ଅଛି ତୋ ଫୁଲେଇ କୁନି।।


ଯେତେଥର ତୋ'ର ଠିକଣା ବଦଳେ, 

     ଆଗ ଦେଉଥିଲୁ ମୋତେ ଜଣେଇ। 

କହୁଥିଲୁ ମୋତେ ପଠେଇବୁ ରାକ୍ଷୀ, 

     ତୋ ରାକ୍ଷୀ ପାଇଁକି ଥିବି ଅନେଇ।। 


ସୀମାପରେ ରହି ଏ ମାଟି ସେବାରେ, 

     ଚାଲିଗଲୁ କରି ମୋତେ ତୁ ପର। 

ଭୁଲିଗଲୁ ଅବା ରାକ୍ଷୀ ପୂର୍ଣ୍ଣିମାର, 

     ଭଉଣୀ ହାତରୁ ରାକ୍ଷୀ କୁ ତୋ'ର।। 


ମୁଁ ମାଗି ନଥିଲି ରାକ୍ଷୀର ପାଉଣା, 

      କାହିଁକି କରିଲୁ ତୁ ମନ ଊଣା। 

କେମିତି କାଟିଲୁ ସମ୍ପର୍କର ଡୋର, 

    ମୋ ଖୁସି କି ଥିଲା ତୋତେ ଅଜଣା।। 


ମା' ଆଜି କହିଛି ବାନ୍ଧିବାକୁ ରାକ୍ଷୀ, 

    ପୂଜାଘରେ ଥିବା ଠାକୁର ହାତେ। 

କେମିତି ବାନ୍ଧିବି କହ ଥରେ ଭାଇ, 

   ମୋ ଠାରୁ ଛଡେଇ ନେଲେ ଯେ ତୋତେ।। 


ସାଇତି ରଖିଛୁ ସବୁ ରାକ୍ଷୀ ମୋର,

     ତୋ ସ୍ମୃତିର ଏବେ ସେ ମୂକସାକ୍ଷୀ। 

ବାକି ଜୀବନକୁ ଦେଖି ବିତେଇବି, 

     ଶହୀଦ ଭାଇ ର ସାଇତା ରାକ୍ଷୀ।। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy