STORYMIRROR

Dr. Pratap Kumar Swain

Tragedy Inspirational

4  

Dr. Pratap Kumar Swain

Tragedy Inspirational

ପ୍ରକୃତି ର କୋହ

ପ୍ରକୃତି ର କୋହ

2 mins
300


ଲୋଡା ନାହିଁ ମୋର ପୁରସ୍କାର

କରୁନି କାହାକୁ ତିରସ୍କାର

ପ୍ରକୃତି ବକ୍ଷରେ ବଞ୍ଚି ରହିବାକୁ

ସଭିଙ୍କର ଅଛି ଅଧିକାର।।

ଜନମ ବେଳରେ ପ୍ରକୃତିରେ

ପଡି କାନ୍ଦିଲୁ ତୁ ବିକଳରେ

ମା କୋଳ ଆଉ ପ୍ରକୃତି କୋଳରେ

ଖେଳିଲୁ ତୁ କେତେ ଆନନ୍ଦରେ।।

ଶୈଶବରେ ଖେଳି ଧୂଳି ଖେଳ

କଲୁ ତୁହି କେତେ କୋଳାହଳ

ଦିନ ଟିଏ ତୋତେ ଆକଟି ନାହିଁ ସେ

ସହିଛି ଆଘାତ କେତେ ତୋର।।

ଧିରେ ଧିରେ ତୁହି ବଡ ହେଲୁ

ପାଠପଢ଼ାରେ ତୁ ମନ ଦେଲୁ

ସଂସାର ରେ ତୁହି ଜ୍ଞାନୀ ବୋଲାଇଣ

ପ୍ରକୃତି ମାଆକୁ ଭୁଲିଗଲୁ।।

କଲୁ କେତେ ତୁ ଗବେଷଣା

ଅନ୍ଧାରରେ ହେଲୁ ବାଟବଣା

ଈର୍ଷା ଦ୍ବେଷ ତୋର ବଢିଗଲା ପୁଣି

ମାଆକୁ କଲୁ ଅବମାନନା ।।

ଆକାଶେ ଉଡିଲୁ ପକ୍ଷୀପରି

ଜଳରେ ଭାସିଲୁ ସୋଲ ପରି

ଗଢିଲୁ ତୁ କେତେ କଳକାରଖାନା

ପରିବେଶ ପୁଣି ଧ୍ବଂସ କରି ।।

ହେଲୁ ପୁଣି ତୁ ବୈଜ୍ଞାନିକ

ସେଥିରେ ମୋହର ନାହିଁ ଦୁଃଖ

ଅନ୍ଯ ପ୍ରାଣୀଙ୍କର ବିନାଶ କରିଲୁ

ନିଜେ ଭୁଞ୍ଜୁଛୁ ତୁ କେତେ ସୁଖ।।

ମୁଁ ସମ୍ବଳ ଯେତେ ରଖିଥିଲି

ସବୁ ଶେଷ କଲୁ ଜ୍ଞାନୀ ବୋଲି

ଜାଣିନୁ କି ଧନ ବସିତୁ ଖାଇଲେ

ସରିଯିବ ପରା ନଈ ବାଲି।।

ତିଆରିଲୁ ବୋମା କ୍ଷେପଣାସ୍ତ୍ର

କେତେ ଯୁଦ୍ଧ କଲୁ ଘମାଘୋଟ

ଯାହାକୁ ମାରିଲୁ ସେ ପରା ତୋ ଭାଇ

ନ ବୁଝି ପୁଣି ତାର ଅଝଟ ।।

ସ୍ବାର୍ଥ କୁ କରି ତୁହି ସାରଥି

ଭାବୁଅଛୁ ଖାଲି ଦିନ ରାତି

କବଳିତ କରି ସାରା ବିଶ୍ବ ପୁଣି

ହୋଇବୁ ତୁ ତାର ଅଧିପତି ।।

  କରୋନା ଭୂତାଣୁ ତିଆରିଲୁ

ତା ବଂଶ ବିସ୍ତାର କରାଇଲୁ

ଭସ୍ମାସୁର ହୋଇ ଗୋଡାଇଛି ତୋତେ

ହେଉଛୁ ତୁ କେତେ କାଲୁବାଲୁ। ।।

ଚାଇନା ହେଉ କି ଆମେରିକା

ସବୁରି ଛାତିରେ ଏବେ ଦକା

ଧ୍ବଂସ ମୁଖରେ ପଡି ତୁ ଡାକୁଛୁ

ଭଗବାନ ମୋତେ କର ରକ୍ଷା ।

ତୋ ଜୀବନ ଧାରଣ ପାଇଁ ଧନ

ରଖିଥିଲି ପୁଣି ଅମ୍ଳଜାନ

ବିକାଶ ନାଆଁରେ ବିନାଶ ରଚିଲୁ

ମୋ ବକ୍ଷ କରିଲୁ ବୃକ୍ଷ ଶୂନ୍ଯ । ।

ଏବେ ଗଢିଲୁଣି ତୁ ଭାସ୍କର

ଦେଖି ହଂସା ଉଡିଲାଣି ମୋର

କଥା ମାନି ଧ୍ବଂସ ପଥରୁ ଓହର

ନହେଲେ ହୋଇବୁ ଛାରଖାର । ।

ତୋ ମରଣ ଦେଖି ମୁଁ କାନ୍ଦୁଛି

ଉପାୟ ନାହିଁ ମୋହର କିଛି

ମରିବା ଆଗରୁ ମୋତେ ଅଧାମାରି

ଚିନ୍ତା କଲେ ନାହିଁ ଲାଭ କିଛି ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy