STORYMIRROR

Dr. Pratap Kumar Swain

Inspirational

3  

Dr. Pratap Kumar Swain

Inspirational

ସେ ଦିନ ଏ ଦିନ

ସେ ଦିନ ଏ ଦିନ

2 mins
228

ଯେତେବେଳେ ଆମେ ଛୋଟ ପିଲା ଥିଲେ

ବାରମାସେ ଷଡ ଋତୁ ଦେଖୁଥିଲେ

ସେଦିନ ଯାଇଛି ଚାଲି।

ଏବେ ବରଷକେ ଗ୍ରୀଷ୍ମ ବର୍ଷା ଶୀତ

ଲାଗେ ଭାରି ଖାଲି ଖାଲି।

ଖରାବେଳଟାର ସେ ଝାଞ୍ଜି ପବନ

ଦେହ କୁ ସେ କରୁଥିଲା ଯେ ଦହନ

ସେକାଳ ପଖାଳ କାହିଁ ।

ଏବେ ଚାଉଳରେ ପଖାଳ କରିଲେ

ସେ ସ୍ବାଦ ଆସଇ ନାହିଁ ।

ସେଦିନର ଚାଷୀ ହଳ ଲଙ୍ଗଳରେ

ଚାଷ କରୁଥିଲା ଗୋବର ଖତରେ

ସେ ପନିପରିବା କାହିଁ ।

ଶଙ୍କର ଜାତୀୟ ଖାଦ୍ୟଶସ୍ଯ ଖାଇ

ଦେହରେ ଲାଗଇ ନାହିଁ ।

ବଢି ଚାଲିଅଛି ଜନ ସଂଖ୍ୟା ଆମ

ଚାଷଜମିରେ ଘର ହୁଏ ନିର୍ମାଣ

ଅଳପ ଜମିରେ ଚାଷ ।

ସାର ଔଷଧର ପ୍ରୟୋଗ କରିକି

ଖାଉଅଛେ ଆମେ ବିଷ।

ଆଷାଢ ଶ୍ରାବଣ ଝଡି ବରଷାରେ

ଚଷାପୁଅ ଥାଏ ତା ଚାଷଜମିରେ

ପକ୍ଷୀଆ ତା ହୁଏ ସାହା

ଚାଷେ ତରତର ନହେବ ଯଦିସେ

କିଏ ବା କହିବ ଆହା।

ଏବେ ଚାଷୀ ଆଉ କରୁନାହିଁ ଚାଷ

ଗରିବ ଶ୍ରେଣୀରେ ତା ନାମ ପ୍ରକାଶ

ମାଗଣା ପାଉଛି ଖାଦ୍ୟ

ସରକାରଙ୍କ ର ଯୋଜନା ତାହାକୁ

ଶୋଇବାକୁ କରେ ବାଧ୍ଯ।

ଭାଦ୍ରବ ଆଶ୍ବୀନ ଶରତ ଋତୁରେ

ତୋଫା ଜହ୍ନ ପଡେ ଆକାଶ ବକ୍ଷରେ

ସେ ଶୋଭା ବର୍ଣ୍ଣିବ କିଏ।

ଯେତେ କଳା ଲୋକ ହୋଇଥାଉ ପଛେ

ଦୂରୁ ବାରି ହୋଇଯାଏ।

ଏବେ ସବୁଆଡେ ବିଜୁଳି ଆଲୁଅ

ଲାଗୁନାହିଁ ଆଉ ଅମାବାସ୍ଯା ଭୟ

ଯେତେ ଚିହ୍ନା ଜଣା ଭୂତ ବା ଭୂତୁଣୀ

ଛାଡିଲେଣି ନିଜ ଦେହ।

ଖୁଦୁରୁକୁଣୀ ରେ ପୁରପଲ୍ଲୀ କମ୍ପେ

ଭୋଗ ପାଇଁ ଠେଲା ପେଲା ହୁଏ କେତେ

ସେ ଦିନ ଯେ ଆଉ କାହିଁ

ଲଙ୍ଗଳା ନାଚରେ ମଙ୍ଗଳା ଭଷାଣୀ

ଗାଆଁ ଦାଣ୍ଡ ଫାଟୁଥାଇ।

ମାଆ ଦୂର୍ଗାଙ୍କର ଶାରଦୀୟ ପୂଜା

ପୂଜା ମଣ୍ଡପର ଶାଢୀ ସାଜ ସଜ୍ଜା

ଏବେ ଯେ ସାତ ସପନ।

ଏବେ ମଣ୍ଡପରେ ରୋସଣୀ ସାଙ୍ଗକୁ

ମଡର୍ଣ୍ଣ ଡେକୋରେସନ।

ସେ ଦିନ ଦୂର୍ଗାଙ୍କ ଭଷାଣୀ ବେଳରେ

ମାଆଙ୍କ ବିଦାୟେ ଦୁଃଖ କରୁଥିଲେ

ନାଲି ପାଣି ଏବେ ପିଇ

ବାପା ଦାଦାଙ୍କୁ ସେ ଚିହ୍ନି ପାରନ୍ତିନି

ଡାକୁଥାନ୍ତି ଭାଇ ଭାଇ।

କାର୍ତ୍ତିକ ମାସର ଧରମ ମାସରେ

ଆମିଷ ନିଷେଧ ଥିଲା ଗାଁଆ ଟାରେ

ଏବେ ତା ମାନୁଛି କିଏ?

ଗାଁ ମୁଣ୍ଡଟାରେ ଚବିଶ ଘଣ୍ଟିଆ

ବ୍ରୟଲର ଡାକ ଦିଏ।

ଦୀପାବଳି ଯେବେ ଆସଇ ଧରାରେ

କାଳୀମାଆ ଙ୍କର ପୂଜା ଏଠି ଚାଲେ

ବଡବଡୁଆଙ୍କୁ ଡାକୁ।

କାଉଁରିଆ କାଠି ଜଳାଇ ସଭିଏଁ

ଆଶୀର୍ବାଦ ତାଙ୍କ ମାଗୁ।

ଏବେ ସେ ଅତୀତ ଅଟଇ କ୍ଷତାକ୍ତ

ଭାଇ ଭାଇ ମଧ୍ଯେ ନାହିଁ ସ୍ନେହ ଭାବ

ସବୁ ଟଙ୍କା ଦେଇଛି ପୋଡି।

ଡଲାର ଆଗରେ ନଥିଲେ ବି ଭାଉ

ସଂପର୍କ ଦିଏ ବିଗାଡି।

ଲକ୍ଷ୍ମୀ ଙ୍କ ର ପୂଜା ମାର୍ଗଶୀର ମାସେ

ନୂଆଧାନରେ ଯେ ଘରେ ମାଣ ବସେ

ସେ ବେଳ ଯାଇଛି ଚାଲି।

ମାଣଧାନ ଆମେ କିଣି ଆଣିକରି

ପୂଜା କରୁଅଛେ ଖାଲି।

ନାହିଁ ସେ ସରାଗ ଲକ୍ଷ୍ମୀବ୍ରତ ବହି

ସେ ଗୀତ ମୋବାଇଲଫୋନ ରେ ବଜାଇ

ଓଷା କରେ ଆଜି ନାରୀ।

ଆଜି ସାଜିଅଛି ନାରୀ ଆଧୁନିକା

କିଏ ହେବ ତାର ସରି।

ପୌଷ ମାଘ ଶୀତ ଆଜି ଯେ ଅତୀତ

ନିଆଁ ପୁଆଇବା କାହିଁ ଫୁରୁସତ୍

ସେ ଶୀତ ଯାଇଛି ଚାଲି।

ଏବେ ଶୀତ ହେଲେ ରୁମ୍ ହିଟର ଟା

ହସୁଥାଏ ନାଲି ନାଲି।

କୋହଲା ପାଗର ନାହିଁ ଦେଖା ଆଉ

ପୃଥିବୀ ରେ ଖାଲି ପ୍ରଦୂଷଣ ଭାଉ

ନାନା ବ୍ଯାଧୀ ବ୍ଯାପିଯାଏ

ସେଦିନ ର ଶୀତ ସେଦିନର ଗୀତ

ମନ ଖାଲି ଝୁରୁଥାଏ।

ବସନ୍ତ ଆସିଲେ ଦୋଳଯାତ୍ରା ହୁଏ

ଗାଁ ଦାଣ୍ଡ ଖାଲି ଫାଟିପଡୁଥାଏ।

ସେଦିନ ଯାଇଛି ହଜି।

ଓଡିଶାର ନାଚଗୀତ ଆମେ ଭୁଲି

ଦାଣ୍ଡିଆ ନାଚୁଛେ ଆଜି।

କୋଇଲି ବାରୁନି ବସନ୍ତ ର ବାସ୍ନା

କୁହୁକୁହୁ ତାନ ହୋଇଛି ଅଜଣା ।

ଆଖିରୁ ଝରାଏ ଲୁହ।

ମଣିଷ କୁ ଚାହିଁ କହୁଛି ସେ ଖାଲି

ସେଦିନ ଫେରାଇ ଦିଅ।

କେତେ ଭଲ ଥିଲା ସେଦିନ ଯେ ସତେ

ଦିନ କଟୁଥିଲା ହସ ଖେଳେ ଗୀତେ

ସେଦିନ ଆସିବ ନାହିଁ ।

ଝୁରି ଝୁରି ଯେତେ ମଥା ପିଟିଲେ ବି

ସେଦିନ ଫେରିବ ନାହିଁ ।


Rate this content
Log in

Similar oriya poem from Inspirational