STORYMIRROR

Dr. Pratap Kumar Swain

Classics

4  

Dr. Pratap Kumar Swain

Classics

ସେ ଦିନ ଏ ଦିନ ଚତୁର୍ଥ ଭାଗ

ସେ ଦିନ ଏ ଦିନ ଚତୁର୍ଥ ଭାଗ

2 mins
233


ପୁରୁଣା ଦିନଟା ଭାରି ମନେପଡେ

ଯେତେ ଲେଖିଲେ ବି ତା ସ୍ମୃତି ନ ସରେ

ଅସରନ୍ତି ସେ କାହାଣୀ।

ସେ ଦିନ ସ୍ମୃତି ରୁ ଯେତେ ଲେଖିଲେବି

ଲାଗେ ଅସରନ୍ତି ପୁଣି ।

ପଣା ସଂକ୍ରାନ୍ତି ରେ ରାଉଳ ପାଟୁଆ

ନିଆଁ ରେ ପଶନ୍ତି ଲଭି ମାତୃ ଦୟା

ଲାଗେ ପାଲା ସଂକୀର୍ତ୍ତନ।

ଏବେ ସେସବୁକୁ ଦେଖିବା ପାଇଁକି।

ଫୁରୁସତ୍ ନାହିଁ ଧନ।

ସେଦିନ ବଜାର ଦର କମ୍ ଥିଲା

ରୋଜଗାର ମଧ୍ୟ ସ୍ବଳ୍ପ ମାତ୍ର ଥିଲା

ସେ ସମୟ ଆଉ କାହିଁ।

ଚାରେଣି ଆଠେଣି ଅଚଳ ହେଲେଣି

ଟଙ୍କା ର ମୂଲ୍ୟ କାହିଁ।

କାର୍ତ୍ତିକ ମାସରେ ଚକୁଳିଆ ପଣ୍ଡା

ବୁଲୁଥାନ୍ତି ଗାଁ ସାରା ଗଣ୍ଡା ଗଣ୍ଡା

ଉଚ୍ଚ ସ୍ବରେ ଗାଇ ଗୀତ।

ପାଞ୍ଚ ଘର ଦେଲେ ନନା ଥାଳ ପୂରେ

ହୁଏ ନନା ଆନନ୍ଦିତ ।

କେନ୍ଦରା ବଜାଇ ଯୋଗୀ ବୁଲେ ଗ୍ରାମ

କେନ୍ଦରା ର ତାଳେ ଭଜୁକି ନାରାମ

ଗାଇ ବୁଲେ ବାର ଦ୍ବାର।

ଗୀତ ଛନ୍ଦେ ସିଏ କହି ଦେଉଥାଏ

ଦୁନିଆ ଦି ଦିନ ଖେଳ।

କେଳା ଥାଳ ଧରି କେଲୁଣିର ସାଥେ

ଲାଉତୁମ୍ବା ସ୍ବରେ ବୁଲେ ଗ୍ରାମ ପଥେ

ଚାଉଳ ମୁଠାଏ ନିଏ।

ତା ଆଖିରେ ସବୁ ମଣିଷ ସମାନ

ବାବୁଆଣି ଡାକୁଥାଏ।

ନାହିଁ ଲାଉଥାଳ ନାହିଁ ସେ କେନ୍ଦରା

ଚକୁଳିଆ ପଣ୍ଡା ଅବା ସେହି କେଳା

ସମସ୍ତ ଙ୍କ ଘର ପକ୍କା।

ମଦିରା ମାଦକେ ଉଛୁଳି ଉଠନ୍ତି

ଭୁଲି ପୂର୍ବ ଦୁଃଖ କଥା।

ବାଡି ବଗିଚାର ସେଦିନ ପରିବା

ଆଜି ଲାଗେ ସ୍ବପ୍ନ ପରି ସତେ ଅବା।

ସେ ବାଡି ପଡିଆ ଆଜି

ମାଗଣାରେ ଖାଇ ଶୋଉଅଛୁ ଆମେ

କାଲି କଥାକୁ ନଭାବି।

ନଡିଆ ପତରେ ଚକ୍ରି କରିଦେଇ

ଦଉଡିଲେ ଟିକେ ଚକ୍ରି ବୁଲୁଥାଇ

କିଆ ପତର ପେଁକାଳି ।

ବଜାଇଲେ ଟିକେ ଗାଁ ଦାଣ୍ଡ ଫାଟେ

ଖୁସିରେ ଉଠୁ ଉଛୁଳି ।

କୃଷ୍ଣଚୂଡା କଢ ହାତେ ଖୋଲି ଦେଇ

ଫୁଲ ପେଟିକାରେ ଖେଳ ଚାଲିଥାଇ

ହାର ଜିତ୍ ରାଗରୁଷା।

ସଞ୍ଜ ବେଳକୁ ଆମ ଗାଆଁ ଛକରେ

ହୁଅଇ ଯେ ମିଳାମିଶା ।

ଇଟିଲି ଗୋଟାକ ସୁଉକିଟେ ପୁଣି

ରସଗୋଲା ଏକ ଟଙ୍କା।

ଦନେଇ ଦାସଯେ ଘରେ ନ ଖାଇଣ

ହୋଟେଲ ରେ ଖାଏ ଏକା।

କ୍ଷୀର ପାଏକ ଦୁଇ ଟଙ୍କାରେ ମିଳେ

ମିଶେନି ଟୋପାଏ ପାଣି

ଏବେ ପାଣିରେ କ୍ଷୀର ମିଶାଇ ଦେଇ

ପଚାଶ ନିଅଇ ଗଣି।

ଗାଆଁ ପରବରେ ସେ ଭୋଜିଭାତ

କଦଳୀ ପତରେ ଲାଗଇ ସୁଆଦ

ଏବେ କାଗଜର ଥାଳୀ।

ବଫେରେ ଛିଡା ହୋଇକରି ଆମେ

ଖୁସିରେ ଦେଉଛେ ଗିଳି।

ଘରେ ଘରେ ଦୂରଦର୍ଶନ ର ଭାଉ

ଅଜା ଆଈ ସାଥେ ବାପା ଆଉ ବୋଉ

ଚାଲେ ସିରିଏଲ ଦେଖା।

ନାତି କାନ୍ଦି କାନ୍ଦି ଅଥୟ ହେଲେ ବି

ଅଜା କହୁନାହିଁ କଥା।

ଧୋ ରେ ବାଇଆ ଲୋରୀ ବଦଳରେ

କୋଲାଭରି ଡି ବାଜେ ମୋବାଇଲ ରେ

ପିଲା ଶୁଣି ଶୁଏ ନିଦ।

ମାଆ ବିଚରାଟା ଖୁସି ହେଉଥାଏ

ନିର୍ବୋଧ କୁ କରି ବୋଧ।

ଆଧୁନିକ ଆମେ ଗରବେ କହୁଛୁ

ଛାତିକୁ ଫୁଲାଇ ଖୁସି ହେଉଅଛୁ

ସେଦିନ କଥାକୁ ଦେଖ।

ପାଠଶାଠ ସବୁ ଚୁଲିକୁ ଗଲାଣି

ବୋଲାଉଛୁ ଆମେ ମୂର୍ଖ।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics