ଶାମ୍ବ ଦଶମୀ
ଶାମ୍ବ ଦଶମୀ


ହେ ଆଦିତ୍ୟ କାଶ୍ୟପେୟ ପ୍ରଣତି ଘେନ
ଅଜ୍ଞାନ ମୁଁ କରେ ତୁମ ଗୁଣ କିର୍ତ୍ତନ ।
ଦୋଷ ଥିଲେ କ୍ଷମାନିଧି କରିବ କ୍ଷମା
ଦୟାମୟ ଅମାନିଧି ହେ ଦ୍ବାଦଶତ୍ମା ।
ଦିନମଣି ଦିନବନ୍ଧୁ ହେ ଦିବାକର
ଅସୀମ ମହିମା ମୟ ଭାନୁ ଭାଷ୍କର ।
ଅ°ଶୁମାଳି ଅ°ଶୁମାନ ଅର୍କ ଅରୁଣ
ନର ପଶୁ ପକ୍ଷୀ ଲତା ଜୀବ ଜୀବନ ।
ପ୍ରଭାକର ବିଭାକର ସୁର ସବିତା
ଅଜ୍ଞାନ ଅନ୍ଧକାର ନାସ ଜ୍ଞାନଦାତା ।
ସୂର୍ଯ୍ୟ ନାରାୟଣ ହେ ରବି ନାରାୟଣ
ସୁନ୍ଦର ସର୍ଜନା ସବୁ ତୁମରି କାରଣ ।
ଛାୟାକାନ୍ତ ଲୋକବନ୍ଧୁ ପ୍ରଭୁ ତପନ
ତୁମଲାଗି ହସେ ମାଟି ପାଣି ପବନ ।
ସକଳ ଶକ୍ତିର ପ୍ରଭୁ ତୁମେ ଆଧାର
ତୁମକୁ ପୂଜିଲେ ଘୁଞ୍ଚେ ଅମା ଅନ୍ଧାର ।
କୃଷ୍ଣ ପୁତ୍ର ସାମ୍ବଙ୍କର ଅଚଳ ଭକ୍ତି
କୁଷ୍ଠ ରୋଗୁ ଦେଲ ତୁମେ ତାଙ୍କୁ ମୁକତି ।
ସାମ୍ଵ ଦଶମୀ ବ୍ରତ ଗାଏ ସେ ଗାଥା
ତୁମରି ମହିମା ପ୍ରଭୁ ଅମର ଗାଥା ।
କ°ଶବଧ କରି କୃଷ୍ଣ ଧର୍ମ ସ୍ଥାପିଲେ
ଦେବଗଣ ଆକାଶରୁ ପୁଷ୍ପ ବର୍ଷିଲେ ।
କ°ଶର ଶଶୁର ସେତ ଜରା ଷଣ୍ଢଟି
ସହିପାରିଲାନି ଜମା ଏହି କଥାଟି ।
କୃଷ୍ଣଙ୍କ ସାଥିରେ ଆସି କଲା ସମର
କୃଷ୍ଣ ତା ପାଖରେତ ମାନିଲେ ହାର ।
ମଥୁରା ଛାଡିସେ ଗଲେ ଦ୍ବାରକା ପୁର
ଗଢିଲେ ସେଇଠି ତାଙ୍କ ରାଜ ନଅର ।
ଅଷ୍ଟପାଟ ବ°ଶୀ ରାଣୀ ରାଜ କୁମର
ସୁଖର ଦୁନିଆ କୃଷ୍ଣ ଦ୍ବାରକା ପୁର ।
କୃଷ୍ଣଙ୍କର ପ୍ରିୟ ପତ୍ନୀ ସେ ଜାମ୍ବବତୀ
ପୁତ୍ର ତାର ସାମ୍ବ ସେତ ଜ୍ଞାନୀ ଗୁଣିଟି ।
ରୂପରେ ଗୁଣରେ ସେ ଭାରି ତେଜିଆନ
କୃଷ୍ଣଙ୍କର ସିଏ ପ୍ରିୟ ପୁତ୍ର ଆଜ୍ଞାଧୀନ ।
ବେଳେବେଳେ ବେଳକାଳ ରହେନି ଭଲ
ଅକାଳେ କାଳ ଆସି କରେ କଲବଲ ।
ସାମ୍ବଙ୍କ ଜୀବନରେ ଘଟିଲା ସେମିତି
ଅକାରଣେ ରାହୁ ଯେ ଗ୍ରାସିଲା ଯେମିତି ।
ଦୋଷ ନଥାଇ ସେ ପୁଣି ହୋଇଲେ ଦୋଷୀ
କୁଷ୍ଠ ରୋଗ ଗଲା ତାଙ୍କ ଦେହକୁ ଗ୍ରାସି ।
କୃଷ୍ଣଙ୍କର ମନ ଦିନେ ହେଲା ଚଞ୍ଚଳ
ଜାମ୍ବବତୀ ସାଥେ ରତି ବଳିଲା ମନ ।
ବିଜେହେଲେ କୃଷ୍ଣ ଯାଇ ସେ ଅନ୍ତପୁର
ଶାମ୍ବ ଙ୍କୁ କହିଲେ ବାବୁ ଜଗିବୁ ଦ୍ବାର ।
ଭିତରକୁ କାହାକୁତ ଛାଡିବୁ ନାହିଁ
ଆସୁପଛେ ଯିଏ ଜମା ଶୁଣିବୁ ନାହିଁ ।
ପିତାଙ୍କ କଥାକୁ ସେ ଶିରୋଧାର୍ଯ୍ୟ କଲେ
ଦ୍ବାରଦେଶେ ଶାମ୍ବ ପରା ଜଗିତ ବସିଲେ ।
ତେଣେ ଅନ୍ତପୁରେ କୃଷ୍ଣ ହେଲେ ପ୍ରବେଶ
ଦେଖି ଜାମ୍ବବତୀ ରାଣୀ ହେଲେ ହରଷ ।
ସ୍ବାମୀ ଙ୍କୁ ସାଦରେ ରାଣୀ ପାଛୋଟି ନେଲେ
ପଲଙ୍କେ ବସାଇ ସେତ ପାଶେ ବସିଲେ ।
ପତିପତ୍ନୀ ଖୁସିରେ କୋଳାକୋଳି ହେଲେ
ପ୍ରିତିଭରା କଥା ଦୁହେଁ ଦୁହିଁଙ୍କୁ କହିଲେ ।
ହସୁଥାନ୍ତି ରାଣୀ ଯେ ଲାଜଲାଜ ହୋଇ
ପଣତକୁ ଟାଣି କୃଷ୍ଣ ନେଲେ କୋଳେଇ ।
ଦୁହିଁଙ୍କର ମନ ତହୁଁ ଉଚାଟହେଲା
ରତିକ୍ରିୟା ପାଇଁ ବାସ ମୁକୁଳି ଗଲା ।
ଅପୂର୍ବ ଶୁଖରେ ସେତ ହେଲେ ବିଭୋର
ସତରେ କୃଷ୍ଣହେ ତୁମ ଲିଳା ଅପାର ।
ପିତାମାତା ଅନ୍ତପୁରେ ଭୋଳ ରତିରେ
ଦ୍ବାର ଜଗିଥାନ୍ତି ସାମ୍ବ ଭକତି ଭରେ ।
ଏ କାଳେ ଦୁର୍ବାଶା ଋଷି ହୋଇ ଆଗତ
କହେଲେ ଭେଟିବି ପ୍ରଭୁ ଛାଡରେ ବାଟ ।
ଋଷିଙ୍କୁ ଭକ୍ତି ରେ ଶାମ୍ବ ପ୍ରଣାମ କଲେ
ଅପେକ୍ଷା କରିବା ପାଇଁ ଧିରେ କହିଲେ ।
ଦୁର୍ବାଶା କହିଲେ ମୁଁ ଯେ ହରି ଭକତ
ରୋକି ପାରିବେନି କେହି ମୋହରି ବାଟ ।
ବୁଝାଇଲେ ଶାମ୍ବ ଯେତେ ମିନତି କଲେ
ବୁଝିଲେନି ଋଷି କିଛି ଛାଡ କହିଲେ ।
ନବୁଝି ଦୁର୍ବାଶା ଯେଣୁ ବାଧ୍ୟ କରିଲେ
ଶାମ୍ବ ତେଣୁ ରାଗ ରୋଷେ ଅଥୟ ହେଲେ ।
କହିଲେ ପିତାଙ୍କର ମୋତେ ଆଦେଶ
ଅନ୍ତପୁରେ ହେବ ନାହିଁ କାର ପ୍ରବେଶ ।
ବଳ ପୂର୍ବକ ଯଦି ପଶିବତ କେହି
ନିଶ୍ଚୟ ତାଙ୍କୁ ମୁଁ ଯେ ଦେବି ଘଉଡାଇ ।
ଶାମ୍ବ ଙ୍କ ଉତ୍ତର ଶୁଣି ସେ ଋଷି ପ୍ରବର
କ୍ରୋଧରେ ଜଳି ସେତ କଲେ ଥରହର ।
ମୋର କଥାକୁ ତୁହି କରୁନୁ ଖାତର
ଜାଳିପୋଡି କରିବି ସବୁ ନାରଖାର ।
ଋଷି ଙ୍କ କ୍ରୋଧ ଦେଖି ଶାମ୍ବ ଡରିଗଲେ
କ୍ଷମାକର ଯତି ମୋତେ ଧିରେ କହିଲେ ।
ଅପେକ୍ଷା କରନ୍ତୁ ବାରେ ଦ୍ବାର ଦେଶରେ
ଅନୁମତି ପାଇଁ ଯିବି ମୁଁ ଅନ୍ତ ପୁରେ ।
କ୍ରୋଧ ତେଜିଦୁର୍ବାଶା ଯେ ଅପେକ୍ଷା କଲେ
ବିଚାରା ଶାମ୍ବ ଅନ୍ତପୁରେ ପ୍ରବେଶିଲେ ।
ରତିକ୍ରିୟା ରେ ବ୍ୟସ୍ତ କୃଷ୍ଣ ଜାମ୍ବବତୀ
ଶାମ୍ବ ଙ୍କୁ ଦେଖିଣ ସେ ଉଠିଲେ ଝଟତି ।
ପିନ୍ଧା ବସନକୁ କୃଷ୍ଣ ଦେଲେ ସଜାଡି
ଲାଜରେ ରାଣୀ ସଜାଡିଲେ ତାଙ୍କ ଶାଢ଼ୀ ।
ଶାମ୍ବ ମଉନେ ଛିଡା ତଳକରି ମୁହଁ
କ୍ରୋଧରେ କୃଷ୍ଣ ସେତ କରିଲେ ଚିତ୍କାର ।
ଧନ୍ୟ ରେ ପୁତ୍ର କେମିତି କଥା ନରଖି
ପିତାମାତା ଙ୍କର ରତି ଆସିଲୁ ଦେଖି ।
ତୋପରି ନିର୍ଲଜ ପୁତ୍ର ନାହିଁ ରେ କେହି
ଅଭିଶାପ ବିନା ତୋର ମୁକତି ନାହିଁ ।
ଜ୍ଞାନ ଶୂନ୍ୟ ହୋଇ ସେ ଅଭିଶାପ ଦେଲେ
କୁଷ୍ଠ ରୋଗ ଭୋଗିବୁତୁ ରାଗେ କହିଲେ ।
ଋଷିଙ୍କର ରୋଷ ପିତାଙ୍କ ଅଭିଶାପ
ବିଚାରା ଶାମ୍ବଙ୍କୁ କୁଷ୍ଠ କଲା କୁରୂପ ।
ଆଖିରୁ ଝରାଇ ଲୁହ ଶାମ୍ବ କହିଲେ
ଦୁର୍ବାଶା ଙ୍କ ଯୋଗୁ ସିଏ ତହିଁ ଆସିଲେ ।
ଋଷି ବୁଝିଲେନି କିଛି ରୋଷ ବହିଲେ
ଛାରଖାର କରିଦେବେ ରାଗି କହିଲେ ।
ଉପାୟ ନଥିଲା କିଛି ଆସିଲି ଧାଇଁ
ଲୁହଧାର ଯାଉଥିଲା ଆଖିରୁ ବହି ।
ପୁତ୍ରର ବଚନ ଶୁଣି ଅଧିର କୃଷ୍ଣ
ନବୁଝି ମୁଁ ରୋଷ କଲି ହରାଇ ଜ୍ଞାନ ।
ପୁତ୍ର ର ଏ ଦଶା ଦେଖି ମା ଜାମ୍ବବତୀ
କାନ୍ଦି କାନ୍ଦି ନିଜକୁ ଧିକାର କରନ୍ତି ।
କୃଷ୍ଣ କହିଲେ ଚାଲ ଋଷିଙ୍କୁ ଭେଟିବା
ଶାପ ରୁ ମୁକ୍ତି ବାଟ ତାଙ୍କୁ ପଚାରିବା ।
କୃଷ୍ଣ ଜାମ୍ବବତୀ ସେ ଦ୍ବାର ଦେଶେ ଗଲେ
ଦେଖି ଦୁର୍ବାଶା ଖୁସିରେତ ଲୋଟି ଗଲେ ।
ଧନ୍ୟ ହେଲା ନେତ୍ର ଦେଖି ଶ୍ରୀ ଓ ଶ୍ରୀପତି
ମାତା ପିତା ବାରେ ଘେନ ଆମ୍ଭ ପ୍ରଣତି ।
ଏଣେଯେ ଶାମ୍ବ ଙ୍କର କୁରୂପକୁ ଦେଖି
ଦୁର୍ବାଶା ଋଷି ସତେ ପଡିଲେ ଚମକି ।
କାମ ରୂପ ଜିଣି କାନ୍ତି କାହିଁ ଯେ ଗଲା
ଏମିତି ବିଭତ୍ସ ରୂପ କେମିତି ହେଲା ।
କୃଷ୍ଣ ବଖାଣିଲେ ସବୁ ତାଙ୍କରି ଦୋଷ
ତାଙ୍କ ଯୋଗୁ ପୁତ୍ର ତାଙ୍କ ହେଲା ବିଭତ୍ସ ।
ତ୍ରୀକାଳ ଦର୍ଶୀ ହେ ଯତି ଦିଅ ବତାଇ
ଏ ଘୋର ବିପଦୁ ମୁକ୍ତି ବାଟଯେ କାହିଁ ?
ଜାମ୍ବବତୀ ରାଣୀ ସେତ ହେଲେ ଅଧୀର
ଏକଇର ବଳା ମୋର କର ଉଦ୍ଧାର ।
ଚିନ୍ତା କରି ଦୁର୍ବାଶା ଦେଲେ ଆଶ୍ବସନା
ମୁକତି ବାଟ ସେତ ସୂର୍ଯ୍ୟ ଉପାଶନା ।
ପୂର୍ବ ଉପକୂଳେ ଅଛି ଅର୍କ କ୍ଷେତ୍ରଟି
ସୂର୍ଯ୍ୟ ଙ୍କୁ ପୂଜିବ ଶାମ୍ବ ଯାଇ ସେଇଠି ।
ତୋଷ ହେଲେ ଅ°ଶୁମାନ ହେବ ଆରୋଗ୍ୟ
ନିଶ୍ଚୟ ଭଲ ହେବ ଏହି କୁଷ୍ଠ ରୋଗ ।
ଋଷି ଙ୍କ କଥାମାନି ଶାମ୍ବ ଯେ ଚଳିଲେ
ଚନ୍ଦ୍ରଭାଗା କୂଳେ ବସି ତପସ୍ୟା କଲେ ।
ଅନ୍ନ ଜଳ କିଛି ସେତ କଲେନି ସ୍ପର୍ଶ
ସୂର୍ଯ୍ୟଙ୍କର ନାମ ସଦା କରିଲେ ଜପ।
ବିତିଗଲା ଦିନମାସ ବରଷ ପୁଣି
ଭକତିରେ ତୋଷ ହେଲେ ସେ ଦିନମଣି ।
ଦୟାକଲେ ଛାୟାକାନ୍ତ ହୋଇ ହରଷ
ଫେରି ପାଇଲେ ଶାମ୍ବ ପୂର୍ବ ସ୍ବରୂପ ।
ସୂର୍ଯ୍ୟଙ୍କୁ ପ୍ରଣମି ଶାମ୍ବ ରାଜ୍ୟେ ଫେରିଲେ
ପିତାମାତା ଦେଖି ତାଙ୍କୁ ଖୁସି ଯେ ହେଲେ ।
ସୂର୍ଯ୍ୟଙ୍କର ଗୁଣକୁ ସେ କଲେ କିର୍ତ୍ତନ
ସୂର୍ଯ୍ୟ ପୂଜା ପାଇଁ କଲେ ସେ ଆୟୋଜନ ।
ସେହି ଦିନୁ ଏହି ପୂଜା ହୋଇ ଆସୁଛି
ଶାମ୍ବ ଦଶମୀ ନାମରେ କଥା ରହିଛି ।
ପୌଷ ଶୁକ୍ଳ ଦଶମୀ ରେ ହୁଏ ଏ ପୂଜା
ସୂର୍ଯ୍ୟ ଦେବଙ୍କର ଯହିଁ ଉଡଇ ଧ୍ବଜା ।
ସନ୍ତାନ ମାନଙ୍କ ସୁଖ ଶାନ୍ତି ମନାସି
ନାରୀମାନେ ଏହି ପୂଜା କରନ୍ତି ବସି।
ସୂର୍ଯ୍ୟ ଉଦୟ ପୂର୍ବରୁ ସାରନ୍ତି ସ୍ନାନ
ପ୍ରଭାତରୁ ପୂଜା ପାଇଁ ଦିଅନ୍ତି ଧ୍ୟାନ ।
ତିନିଥର ସୂର୍ଯ୍ୟ ଙ୍କୁ ତ ଭୋଗ ଲାଗଇ
ଯିଏ ଯାହା ମାନଶିକ କରିଯେ ଥାଇ ।
ସୂର୍ଯ୍ୟୋଦୟ ପୂର୍ବରୁ ହୁଏ ବାଳଭୋଗ
ମଧ୍ୟାହ୍ନେ କ୍ଷୀରି ଖେଚୁଡ଼ି ଲାଗି ହୁଏ ଆଗ ।
ସନ୍ଧ୍ୟା ପୂର୍ବରୁ ହୁଏ ଶେଷ ପୂଜା ଜାଣ
ପିଠା ମିଠା ସୂର୍ଯ୍ୟଙ୍କୁ ତ ହୁଏ ଅର୍ପଣ ।
ଶାମ୍ବ ଦଶମୀ ର ଏହି ଅପୂର୍ବ କଥା
ସୂର୍ଯ୍ୟ ଉପାସନା ପାଇଁ ଦିଏ ବାରତା ।।