କବିତାର ଆରପାଖ - 32
କବିତାର ଆରପାଖ - 32


କବିତାର ଆରପାଖ - 32
ଅନୀଲ କୁମାର ପାଢୀ
ଦୁର୍ଗା ପ୍ୟାଣ୍ଡାଲର
ପଛପାଖ ଅପରିଚ୍ଛନ୍ନ ଅନ୍ଧାର,
ଏଯାଏ କେବଳ
ଆଗାମୀ ଦୋକାନର କଙ୍କାଳ
କିଛି ପଲିଥିନ୍
କିଛି ଚିତ୍ରିତ ଶୂନ୍ୟତା
କିଛି ବ୍ୟର୍ଥ ବ୍ୟଥା।
ଦୁର୍ଗାଙ୍କ ମୃଣ୍ମୟୀ ମୂର୍ତ୍ତି
ଆଗରେ ସଫେଦ ପରଦା
ଅଧାଗଢା ଅବୟବ
ବର୍ଷବର୍ଷ, ଯୁଗଯୁଗ ଧରି
ଅଗଢା ଯେ ଦୁର୍ଗା!
ମୁଁ ଅନ୍ଧାର ଆଡୁ
ଫେରିଆସୁଥିଲି ଆଲୁଅ ଆଶାରେ
ଆଲୁଅ ଲୋଭରେ ଧାଇଁଥିବା
ମଣିଷ ମୁଁ
ପ୍ରତିଥର ଶେଷ ହୁଏ ପତଙ୍ଗରେ।
ମୁଁ,
ଗୋଟାଏ ସ୍ଫୁଲିଙ୍ଗ ପାଲଟିବା
ଅଳପ ଆଗରୁ କେହିଜଣେ
ଧରିନେଲା ହାତ ଅତି ସନ୍ତର୍ପଣେ।
ଚଉଡା ଛାତି ତା'ର
ବିପୁଳ ଶରୀଳ
ବଳିଷ୍ଠ ବାହୁ ଆଉ
ଅସ୍ତବ୍ୟସ୍ତ କେଶରାଜି ତା'ର
ସେ ରେ ମହିଷାସୁର।
ଏତେ ଗ୍ଳାନି
ଏତେ ଲୁହ ଥାଇପାରେ
ନାରୀ ଖାଦକର!
ସେ କହିଲା
ଏ ଦେହର ବଳ
ତ ଦେବତାର ବର
ଏ କ୍ରୂର ଅହଂକାର
ପରିଚୟ ମୋ କୁଚ୍ଛ୍ର ତପସ୍ୟାର।
ମୁଁ ଖାଲି ପ୍ରତିଥର ଫେରୁଥିବି
ଅମୁକ୍ତି ଓ ଅଭିଶାପରେ
ମୋତେ ବର ଦେଇ
ଈଶ୍ବର ତା ପରମାର୍ଥ
କହୁଥିବ ପ୍ରତି ପାର୍ବଣରେ?
ମୋ ମୁକ୍ତି
ମୁଁ ଖୋଜୁଥିବି ସିଂହର ଦାନ୍ତରେ
ମୂର୍ତ୍ତିର ଛାଂଚରେ
ଆଉ ବିସର୍ଜନରେ!