ଅନାବନା କବିତା - 15
ଅନାବନା କବିତା - 15
ଥାଳିର ଟୁକୁଡା ମାଉଁସ
ବନିଯାଉଛି ଚିଆଁ।
ମହେଞ୍ଜୋଦାରୋରୁ
ଚୋରେଇଆଣିଥିବା ସଭ୍ୟତା
ଗତ ପାଞ୍ଚହଜାର ବର୍ଷ ଧରି
ଇତିହାସ ବହିରେ
ଅସ୍ପଷ୍ଟ କଳାଧଳା ଛବି ହୋଇ
ଡରଉଛି ପିଲାଙ୍କୁ।
ଇଟା ନା ମନ୍ଦିର ନା ମସଜିଦ
ବେଳେବେଳେ ମାଟି
ରଙ୍ଗୀନ ହେବାର ସ୍ବପ୍ନ ଦେଖେ
କିଏ ଜଣେ ନାନାବାୟା ଗୀତରେ
ବୁଝେଇଦିଏ ଯେ
ଆର ଈଶ୍ବର ବୁଜଦିଲ।
ଗୋଟେ ମାଟି ଫାଟି
ଆଁ କରିଛି
ଟୋଲା ଥାଳିରେ
ଜଡେଇଯାଇଛି ଅଚଳ ପଇସା
ଶିଶୁ କାନରେ ଗୁଳାବାରୁଦ
ଦୀପାବଳିର ବାଣ। ହଁ ମ ଯିଏ
ଯେଉଁଠି ଟଳିପଡିଲା
ସେଇଟା ତା କବର
ଶବ ଡିଅଁ, ଆଗକୁ ଚାଲ। ଆଗରେ
ସ୍ଳୋଗାନ, ପତାକା, ପ୍ରତିଶୃତି
ନାଲିପାଣି, କୁକୁଡା ଚିଆଁ!
ନା,
କବିତା ହେଲାନାହିଁ
କିଏ କହିଛି କବିତା ଦରଦ
ମୋର ତ ଦରଜ।
ହରପ୍ପାର ବୁନିୟାଦରେ
କୋଉ ଦେଶ ଥିଲା ଯେ!
ଥାଳିରୁ ଉଠିଆସିଥିବା ଚିଆଁ
ତେଲ କରେଇରେ ବି ଚୁପ!
ଏତେ ତେଲମସାଲାରେ
ଆହା ବଣିଜ, ଖଣିଜ ଗଢେ
ଚିଆଁରୁ ମାଂସ
ମାଂସରୁ ଚିଆଁ
ଏଇ ବିବର୍ତ୍ତନ ତ ରାମ ମନ୍ଦିର
ମସଜିଦ ବାବ୍ରିର।
ଅନୀଲ କୁମାର ପାଢୀ