STORYMIRROR

Prafulla Chandra Mishra

Classics

5  

Prafulla Chandra Mishra

Classics

ଶିଶିର

ଶିଶିର

2 mins
490


ପଉଷ ମାଘ ମାସ ରେ ପଡଇ ଶିଶିର 

ଶୀତ ଶିକ୍ତ ଶିଶିରେ ମେଦିନୀ ଥରହର

ଛୋଟ ଦିନ ରାତି ବଡ ଶିତଳ ପବନ

ପାଣ୍ଡୁର ରଙ୍ଗରେ ନଭେ ହସୁଥାଏ ଜହ୍ନ ।।


କୁଝ୍ଝଟିକା ଧୁମ୍ର ଭିଜା ଅବନୀ ଅମ୍ଵର

ଅଭେଦ୍ୟ ହୁଏ ପ୍ରଭାତେ ଅଂଶୁମାଳି କର

ବିନ୍ଦୁ ବିନ୍ଦୁ କାକର ରେ ଦ୍ରୁମ ଗୁଳ୍ମ ଲତା

ଦୃଶ୍ୟ ଅବର୍ଣ୍ଣନୀୟ ତା ସତେ କି ମୁକୁତା ।।


କାକର ରେ ଭିଜା ଯେତେ “ବନସ୍ପତି ଚୟ

ପରେ” ଶୋଭା ପ୍ରତେ ଶୁଭ୍ର ଅଭ୍ର ଜ୍ୟୋତିର୍ମୟ

ମୁକ୍ତା ମାଳା ପରିହିତା ପ୍ରକୃତି ସୁନ୍ଦରୀ

ମାଳା କରି ନାଇଛିକି ସସ୍ର କରମାଳି ।।


ସ୍ଫଟିକ ସମାନ ଅଂଶୁ କର ରେ “ନିର୍ମିତ

ମାଳିକା” ଶିଶିରେ ଦେହେ ହୋଇଣ ବିମ୍ଵିତ

ଔଜଲ୍ୟତା ଭରା ସ୍ଫଟିକ କିଅବା ତୋରଣ

ଗୁନ୍ଥିଛି ମଣି ମର୍କତ ହୀରା ଲୀଳା ମାନ ।।


ସାତ ରଙ୍ଗ ବିଭାସିତ ଶିକର ସୁଷମା

ଅପୂର୍ବ ବରଣେ ତୋରା ବିଜେ ହେବେ ରମା

ବଇକୁଣ୍ଠ ତେଜି ଏହି ଲଗନେ ଜନନୀ

ବିଜେ ହେବା ପାଇଁ ସଜ ହୋଇଛି ଧରଣୀ ।।

  

ଅଷ୍ଟ ରତ୍ନ ବୈଡୁର୍ଯ୍ୟ ର ବିପଣି ସମ୍ଭାର

ଫେଇଛି ଧରଣୀ ବକ୍ଷେ ୟେ ଶୀତ ଶିଶିର

ଧନଦାତ୍ରୀ ପଡିଦାତ୍ରୀ ଐଶ୍ଵର୍ଯ୍ୟ ଦାୟିନୀ

ଦେବୀ ଙ୍କ ଆଗମେ ଶୀତ ଗାଏ ଆବାହନୀ ।।


କେଶବ ପୁଷ୍ପ ହଳଦୀ ଗୁରୁଗୁରୁ ଦେହେ

ବିନ୍ଦୁ ବିନ୍ଦୁ କାରର ରେ ମନ ମୋହି ନିଏ

ଏହି ପୁଷ୍ପ ପ୍ରିୟ ମାତା ମହାଲକ୍ଷ୍ମୀଙ୍କର

ତେଣୁ ଧୌତ କରେ ତାକୁ କୌମୁଦୀ କାକର ।।


ଶିଶିର ଶୋଭିତ ଚିତ୍ର କ୍ଷଣିକ ମାତର

ରବି ପ୍ରଚଣ୍ଡ ରଶ୍ମିରେ ଶୁସ୍କ ତା ଶରୀର

ଔଷଧିୟ ଗୁଣେ ଯଥା ବିଷଲ୍ୟ କରଣୀ

ଚରକ ସଂହିତା ତାହା ଦେଇଛି ବଖାଣି ।।


ଜହ୍ନ ରୁ ଶିଶିର ଝର ପୀୟୂଷ ସମାନ

ନିର୍ଜୀବ ତରୁ ତୃଣାଦି ଲଭେ ପୁନର୍ଜନ୍ମ

ଶ୍ୟାମଳ ବିମଳ ଆଭା ପ୍ରକଟେ ମହୀରେ

କଅଁଳ ଖରା ଅମିୟ ୟେ ଶୀତ ସକାଳେ ।। 


ଶିଶିର ସ୍ପର୍ଶେ ଶୀତ ସମୀରଣ ଲହରୀ

ଆନମନା ପ୍ରାଣୀ ପ୍ରଣୟୀ ମନେ”ସଂଚରି

ଉଠେ”କାମଭୋଳେ ଶିଶିର ମଧ୍ୟସ୍ଥି କିବା

ମୀନକେତନ ର ଫୁଲ ଧନୁଶର ଅବା ।।


ଶିଶିର ଧୌତ ଚିତ୍ରଭାନୁ ଚିତ୍ର ସିନ୍ଦୂର ବିନ୍ଦୁ

ସମାନ ଦିଗାଙ୍ଗୀ କପୋଳେ ଝଟକେ ନଭୁ

ସେ ଛବି ବିଭାସେ ପ୍ରତି ଶିକରରେ “ଶୀତ

ରୁତୁ” ରେ ପ୍ରକୃତି କାନ୍ତି ସ୍ନିଗ୍ଧ ଶାନ୍ତ କାନ୍ତ ।।


ଶୀତରେ ଶିଶିର ବରଷାରେ ବାରି ଧାରା

ଗ୍ରୀଷ୍ମରେ ନିଦାଘ ବସନ୍ତେ ଫୁଲ ପସରା

ଖଞ୍ଜିଛି ବିଧାତା ଆକାଶରେ ଗ୍ରହ ତାରା

ପ୍ରାଣୀ ଜଗତର ହୀତ ପାଇଁ ବିଶ୍ଵ ସାରା ।।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics