ନିଃସ୍ୱ ମା'ର ସମ୍ପତ୍ତି
ନିଃସ୍ୱ ମା'ର ସମ୍ପତ୍ତି
ଦୂରେଇ ଯିବାକୁ କୁହାଗଲା ପରେ
ଦୂରକୁ ନିଃସ୍ଵ ମା' ଟା ଚାଲି ଯାଉଥିଲା!
ପଚାରିଲା ତାକୁ ଦୁନିଆ ଝାଙ୍କିଦେଇ
କହ ତୋର ଆଉ କ'ଣ ବାକି ରହିଗଲା?
କହୁଥିଲା ଦୁନିଆ ସେ ମା' ଟିକୁ
ସବୁ ଜିନିଷ ତ ତୁ ଛାଡ଼ି ଦେଇଛୁ !
ସଭିଙ୍କ କଥାକୁ ମାନି ନେଇଯାଇ
ସନ୍ତାନଠୁ ଆଜି ଦୂରେଇ ଯାଉଛୁ !
ବଡ ହେଲାପରେ ପିଲା ମନ କୁହେ
ମାଆଟି ଏଥର ଦୂରେଇ ରହୁ !
ଜଗିକି ବ୍ୟସ୍ତ ରହୁଥବା ଲୋକଟି
ଏଥର ତ ତାକୁ ମୁକ୍ତ କରିଦେଉ !
ସେତେବେଳେ ତା' ଛୁଆଟି ଭାବିଲା
ମା' କେମିତି ଏତେ ଶାନ୍ତିରେ ଅଛି ?
ସବୁ ଛାଡ଼ି ଚାଲି ଗଲାବେଳେ ମଧ୍ୟ
ଏତେ ଆନନ୍ଦରେ ହସି ସେ ପାରୁଛି ?
ଅଳ୍ପ ହସି ମା' କହିଲା ଧନରେ
କୋଳଟିଏ ମୋ ପାଖରେ ଅଛି
ଯାହା ଉପରେ ତୁ କେତେ ଖେଳୁଥିଲୁ
ଲଘୁଶଙ୍କା ଗୁରୁଶଙ୍କା ସବୁ କରିଦେଇ
ମୋ ମୁହଁକୁ ଚାହିଁ ହସି ଦେଉଥିଲୁ !
ମୋ ପାଖେ ଅଛି ସେ ବାହୁ ଦୁଇଟି
ଯାହା ତୁ ତକିଆ କରି ଶୋଉଥିଲୁ
ଦୋଳି କରି ଖୁସିରେ ଝୁଲୁଥିଲୁ
ଆଉ ଭୟ କେବେ ପାଇଲେ
ଅଭୟ ପାଇଁ ଜାବୁଡ଼ି ଧରୁଥିଲୁ !
ମୋ ପାଖେ ଅଛି ସେ ପାଦ ଦୁଇଟି
ଯାହା ଛୁଇଁ ତୁ ଆଗେଇ ଯାଇଥିଲୁ
ତୋ' ପଛରେ ଗୋଡେଇ ଗୋଡେଇ
ଯିବାବେଳେ ତୁ ଟିକେ ଅଟକିଯାଇ
ଥକିଗଲୁ କି…?କହି ପଛକୁ ଆସୁଥିଲୁ !
ଅଛି ପାଖରେ ସେ ପାପୁଲି ଦୁଇଟି
ଯାହା ଧରୁଥିଲା ତୋ' ପଦ୍ମ ମୁହଁକୁ
କାନ୍ଦିଲେ ଟିକେ ବୁଝାଇ ଦେବାକୁ
କି ଋଷିଲେ ଟିକେ ମନେଇବାକୁ
ଦିନରାତି ଯିଏ ଲାଗି ପଡିଥିଲା
ତୋ' ପାଇଁ କିଛି କରିଦେବାକୁ !
ଅଛି ଦୁଇଟା କାନ ମୋ ପାଖରେ
ତୋ' ଦରୋଟି କଥା ଶୁଣି ଶୁଣି
ଯିଏ ସକ୍ରିୟ ହୋଇ ଯାଉଥିଲା
ଗୋଟିଏ ଡାକ ତୁ ଧିରେ ଡାକିଦେଲେ
ରାତି ଅଧରେ ବି ଠିଆ ହେଉଥିଲା !
ଅଛି ମୋ ପାଖରେ ସେ ଆଖି ଦିଟା
ଦିନରାତି ତୋତେ ଥରେ ଦେଖିବାକୁ
ବ୍ୟାକୁଳ ଯିଏ ହୋଇଉଠୁଥିଲା
ତୁ ଟିକେ ଦୂରେଇ ଗଲେ ଆଗରୁ
ଦି ବୁନ୍ଦା ଲୁହ ଝରେଇ ଦେଉଥିଲା !
ଅଛି ମୋ ପାଖେ ସେ ପାଟିଟା ରେ ଧନ
ଯାହା ତୋ କଥା କହି ଥକୁ ନଥିଲା
ତୋତେ ଡାକି ଡାକି ରାତି ପାହୁଥିଲା
ଆଉ ଲୋରୀ ଶୁଣାଇ ରାତି ହେଉଥିଲା !
ଅଛି ମୋ ପାଖରେ ସେ ଛାତିଟା ପରା
ଯାହାର ସ୍ପନ୍ଦନ କେବଳ ତୁ ହିଁ ତୁ
ଯେଉଁଠି ଆଉଜି ଦେଖିଛୁ ଦୁନିଆ
ନିଜେ ଡରିଲେ କି କିଏ ଡରେଇଲେ
ସେଇଠି ହିଁ ତ ତୁ ଶାନ୍ତି ପାଉଥିଲୁ !
ଏତକ ସମ୍ପତ୍ତି ଅଛି ମୋ ପାଖରେ
କେବେ କେହି ଯାହା ନେଇ ପାରିବେନି !
ଯେତେ ଦୂରକୁ ଚାଲିଗଲେ ବି ମୁଁ
ଏ ଜିନିଷ କିଏ ଦୂରେଇ ପାରିବେନି !
ତୋ ଖୁସି ଥିଲା ମୋ ସହିତ ଯେବେ
ମୁହୂର୍ତ୍ତେ ତୋତେ ମୁଁ ଦୂରେଇ ଦେଇନି !
ଆଜି ତୋତେ ଆକଟ ଭଲ ଲାଗୁନି ବୋଲି
ମୁଁ ତୋ ପାଖକୁ ଆଉ କେବେ ଆସିବିନି !
ଦୁନିଆର ନିଷ୍ଠୁର ନିୟମ ବୋଧେ ଏଇୟା
ନଈ ଶୁଖିଗଲେ ନାଆ ଅଦରକାରୀ !
କ୍ଷୀର ଶୁଖିଗଲେ ମା' ବିରକ୍ତିକର
ନିଃସ୍ବ କରି ଦୁନିଆ ତାକୁ ଦିଏ ଦୂରକରି !