ନିଝୁମ ରାତିର ନିସ୍ତବ୍ଧ ସହର
ନିଝୁମ ରାତିର ନିସ୍ତବ୍ଧ ସହର
ଏ ତ ବଡ଼ ସୁନ୍ଦର ଚଞ୍ଚଳ ବ୍ୟସ୍ତ ଏକ ସହର ,
ସାଜିଛି ସେ ନାନା ରଙ୍ଗେ ନାହିଁ ତା ପଟାନ୍ତର .
ଏଠି ଅଛି ସାଜ ସଜ୍ଜା ଅଟ୍ଟାଳିକା ବଡ଼ ବଡ଼ ଘର ,
ଅଙ୍କା ବଙ୍କା କେତେ ଗଳି ସହ ଶୋଭା ଲମ୍ବା ପକ୍କା ରାସ୍ତାର ।
ସୁର୍ୟୋଦୟ ଜାଗାଏ ସଭିଙ୍କୁ କରେ ଚଳ ଚଞ୍ଚଳ ,
କେତେ ଗାଡି କେତେ ଭିଡ ନିତି ଶୁଭେ କୋଳା ହଳ .
ଭରା ଏଠି ବିଦ୍ୟାଳୟ ମହାବିଦ୍ୟାଳୟ ଶିକ୍ଷାନୁଷ୍ଠାନ ,
ସଭିଙ୍କୁ ଦେଉଛି ସବୁ ଭିନ୍ନ ଭିନ୍ନ ଶିକ୍ଷା ଦାନ .
ବାଣିଜ୍ୟ ବ୍ୟବସାୟ ର ଅଟେ ପେଣ୍ଠସ୍ଥଳି ,
ନିତି ଜନସମାଗମ ହୁଏ ଭଳିକି ଭଳି .
ଅଛି ପୁଣି ଚିକିତ୍ସାଳୟ କେତେ ସେବାକେନ୍ଦ୍ର ,
ଧରିଛି ସଭିଙ୍କୁ ଜାଣେନା ସେ କିଏ ଭଦ୍ର କିଏ ଅଭଦ୍ର .
ଭଲ ମନ୍ଦ ସବୁ ଦେଖେ ସାକ୍ଷୀ କେତେ ବହିତ ଅଶ୍ରୁର ,
ତଥାପି ଖୋଲିଛି ତା ବକ୍ଷ ସାଜି ସୂତ୍ର ଆଶ୍ରାର .
ଦିନ ଢଳି ସଞ୍ଜ ହୁଏ ଆଗମନ ହୁଏ ରାତ୍ରିର ,
ପୁଣି ହୁଏ" ନିଝୁମ ରାତିର ନିସ୍ତବ୍ଧ ସହର "......
ଦିବସ ର କୋଳାହଳ ରେ କମ୍ପେ ଏ ସହର ,
କୋଳାଏ ସଭିଙ୍କୁ ହସି ହସି କରେ ଆପଣାର .
ଲାଗେ ସତେ ଅଛି କିଛି ମାଦକତା ତା ମାଟିରେ ,
ଚୁମ୍ବକ ସମ ଟାଣଇ ସଭିଙ୍କୁ ତା ଆକର୍ଷଣରେ .
ଭିଡ ମଧ୍ୟେ କିଏ ଲୁଟେ କିଏ ହାରେ ସବୁ ଦେଖେ ,
କିଏ ଠକେ କିଏ ଠିକେ ସବୁ ଦେଖି ଚୁପ୍ପୀ ରଖେ .
ଦେଖେ ପୁଣି କେତେ କେତେ କ୍ଷୁଧା ର ପ୍ରକାର ,
ସବୁ ଦେଖି ଲୁଚି ଲୁଚି କାନ୍ଦେ ହୋଇ ସେ ନାଚାର .
ଖାଦ୍ୟର କ୍ଷୁଧାରେ କିଏ ହୁଏ ଜର୍ଜରିତ ,
କାମନା ଲାଳସା ର କର୍ମ ଦେଖି ହୁଏ ମର୍ମାହତ .
ଯୌବନ ର ମାୟାରେ ଦେଖେ ପାପ ର କ୍ଷୁଧା ,
ଦେଖେ ମନ୍ତ୍ରଣା ଜାଲେ ଫାନ୍ଦିବାର ମସୁଧା .
ଦେଖେ ସେ ଦିବାଲୋକେ କେତେ ବ୍ୟଭିଚାର ,
ଭୁଲନ୍ତି ସବୁ ପାପର ମାୟାରେ ଆଚାର ବିଚାର .
ଦେଖୁ ଦେଖୁ ସତେ ଲଜ୍ଜ୍ୟାରେ ଖୋଜେ ଅନ୍ଧକାର ,
କି ଅବା ଥକି ଯାଏ" ନିଝୁମ ରାତିର ନିସ୍ତବ୍ଧ ସହର ".....
ତଥାପି ସେ ରହିଛି ଦେଇ ସଭିଙ୍କୁ ଆଶ୍ରୟ ,
ଭରି ତା ମନେ ଓ ହୃଦୟେ ଆଶଙ୍କା ଓ ଭୟ ।
କି ଲାଭ ଅଛି ଏତେ ସବୁ ସାଜ ସଜ୍ଜାରେ ,
ଯନ୍ତ୍ରଣା ଅଗ୍ନି ରେ ଜଳି ଜଳି ସଭିଙ୍କୁ ଆଶ୍ରା ଦେବାରେ ।
ଭାବିଥିଲା ରାତ୍ରିର ଅନ୍ଧକାର ତା ବକ୍ଷେ ଭରିବ ଶାନ୍ତି ,
କିନ୍ତୁ ଭାବନାର ଅନ୍ତ ହେଲା ବଢ଼ିଲା ତା ବିଭ୍ରାନ୍ତି ।
ରାତ୍ରିର ଅନ୍ଧକାର ଦିନ ଠାରୁ ତ ବଳି ଗଲା ,
ନାନା ଅପକର୍ମ ର ପୁଣି ତାକୁ ସାକ୍ଷୀ କଲା ।
ଦିନର ଆଲୋକେ ତ ଥିଲା କିଛି ଧର୍ମ ପୂଜା ପାଠ ,
କିଛି ସୁକର୍ମରେ ଲିପ୍ତ ରହି ଥିଲେ ତ କର୍ମଠ ।
ରାତ୍ରିର ଅନ୍ଧକାରେ କିଏ କରେ ମଦିରା କୁ ସାଥି ,
କିଏ ପୁଣି ଯାଏ ଅନ୍ୟାୟ ଅତ୍ୟାଚାର ରେ ମାତି ।
କାମନା ପିପାସୁ କେହି କରେ
କେବେ ଚୀର ହରଣ ,
କେହି ଅର୍ଥ ବଳେ କିଣେ ବାରଙ୍ଗନା ର ମନ ।
କେହି ନିଶାଶକ୍ତ ହୋଇ ହରାଏ ନିଜ ଚେତନା ,
ପଡିଥାଏ ରାଜ ରାସ୍ତାରେ ଦେଇ ଅନେକ ବେଦନା ।
କେବେ କେବେ କେହି ଧରେ ହିଂସ୍ର ରୂପ ,
କ୍ରୋଦ୍ଧେ ଅନ୍ଧ ହୋଇ କରେ ଅନେକ ଜୀବନ ଲୋପ ।
କିଏ ପୁଣି ପ୍ରଭୁ ପାଶେ କରେ ଆତ୍ମୀୟ ର ପ୍ରାଣ ଭିକ୍ଷା ,
ଅଛି ଯିଏ ଶଯ୍ୟାଶାୟୀ ଚିକିତ୍ସକ କରେ ଚିକିତ୍ସା ।
କେହି ପୁଣି ଝୁମି ଝୁମି ନିଏ ନୃତ୍ୟର ମଜା ,
କେହି କରି କୁକର୍ମ ପାଇଥାଏ ଭୀଷଣ ସଜ୍ଜା ।
ଅସହ୍ୟ ହୁଏ ଦେଖି ସବୁ ମନେ ଆସଇ ବିକାର ,
କିଛି କ୍ଷଣେ ସବୁ ଥମି ହୋଇଯାଏ ସ୍ଥିର ।
ବଡ ବିଭତ୍ସ ଲାଗେ ଏ ସମୟ ରାତ୍ରିର ଅନ୍ଧକାର ,
ସୁପ୍ତ ରହେ "ନିଝୁମ ରାତିର ନିସ୍ତବ୍ଧ ସହର " ।।