ସ୍ୱପ୍ନ ବନାମ ସତ
ସ୍ୱପ୍ନ ବନାମ ସତ
ନିଦୁଆ ଦିଶୁଥିବା ଗଛଗୁଡ଼ାଙ୍କ ଓଦା ମୁଣ୍ଡରୁ
ନିଃସଙ୍ଗ ରାତିର ଲୁହ ଟୋପାସବୁ
ଟପ୍ ଟପ୍ କରି ଝଡ଼ି ଯାଉଛି
ଶୀତଳ କରୁଛି ମାଟିର ଉଷ୍ଣ ଛାତିକୁ
ସକାଳର କଅଁଳ ଖରା ଝରକା ଫାଙ୍କ ଦେଇ
ତୋ ମହମ ପରି ଦେହକୁ ହାତ ବଢ଼ାଇ ଛୁଇଁବାକୁ
ଯେମିତି କାମାତୁର
ବନ୍ଦ୍ ପାଖୁଡ଼ା ପଦ୍ମ ପରି ତୋ ମୁହଁକୁ ଚାହିଁ
କହି ପାରିବିନି ତୁ ଉଠିଲୁଣି କି ଶୋଇଛୁ
ମୁଁ ବି ଉଠିଲିଣି କି ନିଦରେ ଏଇସବୁ ବିଳିବିଳୋଉଛି
ପକ୍କା କରି କହି ପାରିବିନି
ସତଟା ଜାଣି କ'ଣ କରିବି କହ ?
ଯେଉଁ ସତ ତୋ ଅସ୍ତିତ୍ବକୁ ମିଛ ବୋଲି କହେ
ତୋ ଚୁମ୍ବକୀୟତାକୁ ତୃଷ୍ଣା ବୋଲି କହେ
ତୋ ସହ ଜିଇଁଥିବା ଅଭୁଲା ମଧୁର କ୍ଷଣ ସବୁକୁ
ତୁଚ୍ଛା ମନଗଢ଼ା କଳ୍ପନା ବୋଲି ବିଚାରେ
ତୋ ବିନା ସହୁଥିବା ନିଃସଙ୍ଗତା ବିରହର ଜନ୍ତ୍ରଣାକୁ
ମିଛ ମାୟା ବୋଲି କହି ଉପହାସ କରେ
କ'ଣ କରିବି ସେଇଭଳି ହୃଦୟହୀନ କ୍ରୂର ସତ୍ୟକୁ ଜାଣି ?
ଯଦି ଶୋଇଛି ତେବେ ନତୁଟୁ ମୋର ଏ ତନ୍ଦ୍ରା
ନଛିଡ଼ୁ ତୋତେ ନେଇ ଏ ସୁନ୍ଦର ସୁନେଲି ଲମ୍ବା ଶିକୁଳି
ତୋ ସହ ଏଇମିତି ଶୋଇ ରହେ ଅନନ୍ତ କାଳ ଯାଏଁ
କିନ୍ତୁ ଏ ନିଷ୍ଠୁର ସତଟା କ'ଣ ଆମକୁ ଛାଡ଼ିବ ?
ଆମ ମଧ୍ୟରେ ଥିବା ଏ ଅଣୁ ଆକାରର ଖାଲି ସ୍ଥାନରେ
ଯେଉଁଠି ଆଲୋକ କି ପବନ ପଶି ପାରନ୍ତି ନାହିଁ
ସେଇଠି ସେ ଆତଙ୍କବାଦୀ ପରି ଅନୁପ୍ରବେଶ କରିବ
ସ୍ୱାମୀ ମରୁ ପଛେ ସଉତୁଣୀ ବିଧବା ହେଉ ନୀତିରେ
ଆଇନା ଦେଖେଇ ଧ୍ୱଂସ କରିଦେବ ଏ ସ୍ୱପ୍ନ ରାଜ୍ୟକୁ !
ମୋତେ ମୁଖାହୀନ ଉଲଗ୍ନ ଦିନଦରିଦ୍ର ବେସାହାରା
ନିଃସଙ୍ଗ କରିବାଟା ତା'ର ଯେମିତି ଏକମାତ୍ର ଲକ୍ଷ୍ୟ ...
